ପାଟକୁରାରେ ବିଜେଡିର ବିଜେପୁର ଫର୍ମୁଲା ! ମଇଦାନକୁ ଓହ୍ଲାଇଲେ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ, ସିଧାସଳଖ ବିଜୟ-ଜୟନ୍ତଙ୍କୁ ଦେବେ ଟକ୍କର ।

326

କନକ ବ୍ୟୁରୋ : ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ମେ ମାସ ୧୯ ତାରିଖରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ୍ । ମଇଦାନରେ ଅଛନ୍ତି ତିନି ହେଭିୱେଟ୍ ପ୍ରାର୍ଥୀ । ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ମଇଦାନରେ ଲଢୁଥିବା ବେଳେ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆଉ ଦିବଙ୍ଗତ ନେତା ତଥା ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।

ଗତ ଏପ୍ରିଲ ମାସ ୨୦ ତାରିଖରେ ରାଜ୍ୟ ରାଜନୀତିର ବର୍ଷିଆନ୍ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା । ୮୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ ଏହି ଦିବଙ୍ଗତ ନେତା । ୬ ଥର ବିଧାୟକ ରହିଥିବା ବେଦପ୍ରକାଶ ଅଗ୍ରୱାଲଙ୍କୁ ଚଳିତ ନିର୍ବାଚନରେ ମଧ୍ୟ ପୁଣି ଥରେ ମଇଦାନକୁ ଓହ୍ଲାଇଥିଲା ବିଜେଡି । ତେବେ ବେଦପ୍ରକାଶଙ୍କ ଦେହାନ୍ତ ପରେ ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିଥିଲେ ରିଟଣ୍ଣିଂ ଅଫିସର ।

ତେବେ ପରବର୍ତ୍ତୀ ସମୟରେ ମେ ମାସ ୧୯ ତାରିଖରେ ଏହି ବିଧାନସଭା ଆସନରେ ନିର୍ବାଚନ ହେବା ନେଇ ଘୋଷଣା କରାଯାଇଥିଲା । ଆଉ ଏହା ପରେ ଜୋର ଧରିଥିଲା ରାଜନୀତି । କିଏ ହେବ ପାଟକୁରାର ବିଜେଡି ପ୍ରାର୍ଥୀ, ଏନେଇ ଚାଲିଥିଲା ଅନେକ ଚର୍ଚ୍ଚା ଆଲୋଚନା । ଏପରିକି ବେଦପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ମଧ୍ୟ କୁହାଯାଉଥିଲା । ତେବେ କାହା ହାତରେ ନବୀନ ପାଟକୁରାର ମଙ୍ଗ ଧରାଇବେ ଏବଂ କିଏ ବିଜେଡି ମୁଖିଆଙ୍କ ଭରସା ଜିତିପାରିବ ସେନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଥିଲା । ତେବେ ସବୁ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ଆଜି ପାଟକୁରା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କ ହାତରେ ପାଟକୁରାର ମଙ୍ଗ ଧରାଇଛନ୍ତି ନବୀନ । ସେପଟେ ମଇଦାନରେ ବିଜୟ ମହାପାତ୍ରଙ୍କ ଭଳି ଟାଣୁଆ ନେତା ଥିବାରୁ ଏଥର ପାଟକୁରାରେ ଏକ ହାଇଭୋଲଟେଜ ଲଢେଇ ଦେଖିବାକୁ ମିଳିପାରେ ।