ନୂଆପଡାରେ ନୂଆ ସମୀକରଣ : ତ୍ରିମୁଖୀ ଲଢେଇରେ ଶକ୍ତିଶାଳୀ କିଏ?

484

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ନୂଆପଡା ରାଜନୀତି ସରଗରମ ହୋଇଛି । କାରଣ ଚଳିତ ପଞ୍ଚାୟତ ନିର୍ବାଚନରେ ନୂଆ ସମୀକରଣକୁ ନେଇ ମୈଦାନକୁ ଓହ୍ଳାଇଛନ୍ତି ୩ ଦଳ । ଆଉ ସବୁଠୁ ବଡ କଥା ହେଲା ଏଠାରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ପୂର୍ବ ପଞ୍ଚାୟତ ଫଳାଫଳକୁ ଦେଖିଲେ ବିଜେଡି ଏଠାରେ ବଳଶାଳୀ ରହିଛି ନିଶ୍ଚୟ, କିନ୍ତୁ ୨୦୧୯ ନିର୍ବାଚନର ଫଳାଫଳ ନୂଆପଡାରେ ଭିନ୍ନ ଏକ ସମୀକରଣ ଛିଡା କରିଛି । କାରଣ ଦୁଇ ବିଧାନସଭା ଆସନରୁ କଂଗ୍ରେସ ଓ ବିଜେଡି ଗୋଟିଏ ଲେଖାଏଁ ଆସନ ଅକ୍ତିଆର କରିଥିବା ବେଳେ ସାଂସଦ ପଦ ଆସିଛି ବିଜେପି ଖାତାକୁ । ତେଣୁ ନୂଆପଡାରେ ଚଳିତ ପଞ୍ଚାୟତ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି । ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଏବେ କସରତ ଆରମ୍ଭ କରିଛନ୍ତି ୩ ଦଳ ।

୧୪ଟି ଜିଲ୍ଳା ପରିଷଦ ଜୋନ୍ ଥିବା ନୂଆପଡାରେ ଗତ ୩ଟି ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିଜେଡି । ଆଉ ଲଗାତାର ୪ର୍ଥ ଥର ପାଇଁ ନୂଆପଡାକୁ ଦଖଲ କରିବାକୁ ଦଳ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଗତଥର ୯ଟି ଆସନ ହାତେଇବା ସହ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା । କିନ୍ତୁ ଏଥର ନୂଆପଡା ଦଖଲ ବିଜେଡି ପାଇଁ ସେତେଟା ସହଜ ହେବନି ବୋଲି କୁହାଯାଉଛି । କାରଣ ୨୦୧୯ ନିର୍ବାଚନର ଫଳାଫଳ କିଛି ସେମିତି ସଂକେତ ଦେଇଛି । ଦଳ ଏଠାରେ ଗୋଟିଏ ବିଧାନସଭା ଆସନ ରକ୍ଷା କରିବାରେ ସକ୍ଷମ ହୋଇଛି । ଯେଉଁ ବିଧାନସଭା ଆସନରେ ଦଳ ବିଜୟୀ ହୋଇଛି ସେଠାରେ ବିଜେପି ସାଂସଦଙ୍କର ମଧ୍ୟ ଦବଦବା ରହିଛି । ତେଣୁ ଦଳର ଏକଚାଟିଆ ପ୍ରଭାବ ନୂଆପଡାରେ ଖୁବ୍ କମ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଏହାସତ୍ତେ୍ୱ ମଧ୍ୟ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ନିଜ ନିର୍ବାଚନମଣ୍ଡଳୀରେ ଥିବା ୬ଟି ଜୋନର ମଙ୍ଗ ଧରିଛନ୍ତି । ଆଉ ଏହି ୬ଟି ଜୋନରେ ଦଳକୁ ବିଜୟ ଭେଟି ଦେବା ରାଜେନ୍ଦ୍ରଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି । ସେହିଭଳି ଖଡିଆଳ ବିଧାନସଭା ଅଧୀନରେ ଆସୁଥିବା ୮ଟି ଜୋନର ମଙ୍ଗ ଦଳର ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କୁ ଦିଆଯାଇଛି । ଆଉ ଉଭୟ ରାଜେନ୍ଦ୍ର ଓ ଲମ୍ବୋଦରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଜିଲ୍ଲା ସଭାପତିଙ୍କୁ ଗୁରୁଦାୟିତ୍ୱ ଦେଇଛି ଦଳ । ଅଥାର୍ତ ଦଳ ନବୀନଙ୍କ ବ୍ୟତିରକେ ଏଠାରେ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଚେହେରାଙ୍କ ନେତୃତ୍ୱରେ ନିର୍ବାଚନ ଲଢୁନାହିଁ । ବରଂ ନୂଆପଡା ଦଖଲ ପାଇଁ ମିଳିତ ଭାବେ ଲଢେଇ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଆଉ ଏଭଳି ରଣନୀତି ବଳରେ ଦଳ ନୂଆପଡା ଦଖଲ କରିବା ଲକ୍ଷ୍ୟରେ ରହିଛି ।

ଅନ୍ୟପଟେ ଗତ ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିବା କଂଗ୍ରେସ ଏଥର ନୂଆପଡାରେ ହାତ ଟେକିବାକୁ ଲକ୍ଷ୍ୟ ରଖିଛି । କାରଣ ଦଳ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ରାଜନୀତିରେ ଅଧିକ ସଙ୍ଗଠିତ ହୋଇଛି । ଯାହାର ଫଳାଫଳ ଦଳକୁ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଖଡିଆଳ ବିଧାନସଭା ଆସନକୁ ଅକ୍ତିଆର କରି କଂଗ୍ରେସ ଏଠାରେ କମବ୍ୟାକ୍ କରିବାର ସଂକେତ ଦେଇଛି । କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ ନୂଆପଡାରେ ରାଜନୈତିକ ସମୀକରଣକୁ ଗୋଳମାଳ କରିବା ସହ ଉଭୟ ବିଜେପି-ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛନ୍ତି । ନୂଆପଡା ଦାୟିତ୍ୱ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ଦେଇଥିବା ବେଳେ ଖଡିଆଳରେ ନିର୍ବାଚନ ମଙ୍ଗ ନିଜେ ଧରିଛନ୍ତି ଅଧିରାଜ । ଦଳ ଭିତରେ ଅସନ୍ତୁଷ୍ଟ ଗୋଷ୍ଠୀ ନ ରହିବା କଂଗ୍ରେସକୁ ମଧ୍ୟ ବେଶ ସୁହାଇଛି । ତେଣୁ ନୂଆପଡାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ନୂଆ ଅଧ୍ୟାୟ ଲେଖିବା ଲକ୍ଷ୍ୟରେ କଂଗ୍ରେସ ରହିଛି ।

ଏସବୁ ଭିତରେ ନୂଆପଡା ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି । କାରଣ ଗତ ନିର୍ବାଚନରେ ଦଳର ବିଧାୟକ ଥାଇ ସୁଦ୍ଧା ଗୋଟିଏ ବି ଜିଲ୍ଲା ପରିଷଦ ଆସନ ହାତେଇପାରିନଥିଲା ବିଜେପି । ଏପରିକି ୨୦୧୯ ନିର୍ବାଚନରେ ସେହି ବିଧାନସଭା ଆସନକୁ ମଧ୍ୟ ହରାଇଥିଲା ଦଳ । ଅବଶ୍ୟ ସାଂସଦ ପଦ ହାତେଇବା ଦଳର କ୍ଷତିକୁ କିଛି ମାତ୍ରାରେ ଭରଣା କରିଥିଲା । ଆଉ ଏବେ ନୂଆପଡାରେ ବିଜେପିର ଭାଗ୍ୟ ସାଂସଦ ବସନ୍ତ ପଣ୍ଡାଙ୍କ ଗୋଟିଚାଳନା ଉପରେ ନିର୍ଭର କରୁଛି । ନିଜେ ବସନ୍ତ ପଣ୍ଡା ପୂର୍ବରୁ ନୂଆପଡାର ବିଧାୟକ ରହିଥିବାରୁ ଦଳ ଏଠାରେ ଟିକିଏ ସୁବିଧାଜନକ ସ୍ଥିତିରେ ରହିବ ବୋଲି କୁହାଯାଉଛି । କିନ୍ତୁ ବିଜେଡି ଓ କଂଗ୍ରେସର ସଙ୍ଗଠନକୁ ମାତ୍ ଦେଇ ବସନ୍ତ ଏଠାରେ ବିଜେପିକୁ ବଡ ବିଜୟ ଭେଟି ଦେଇ ପାରିବେ ତାହାର ସମ୍ଭାବନା କ୍ଷୀଣ । କାରଣ ଏଠାରେ ତ୍ରିମୁଖୀ ଲଢେଇ ହେଉଥିବା ବେଳେ କେହି କାହାକୁ ସହଜରେ ବାଟ ଛାଡିବା ମୁଡରେ ନାହାନ୍ତି । ଏଭଳି ସ୍ଥଳେ
ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ କିଏ ଅଧ୍ୟକ୍ଷା ହେବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ତେବେ ଏଭଳି ଚର୍ଚ୍ଚା ଓ କଳ୍ପନା ଜଳ୍ପନାରେ ଭୋଟ ଗଣତି ପରେ ହିଁ ପୂର୍ଣ୍ଣଚ୍ଛେଦ ପଡିବ ।