କନକ ବ୍ୟୁରୋ : ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା, ଆଉ ଚଳିତ ନିର୍ବାଚନରେ ମଧ୍ୟ ଚର୍ଚ୍ଚାରେ ରହିଛି ମୟୂରଭଞ୍ଜ । ନାମାଙ୍କନପତ୍ର ଦାଖଲ ପରଠାରୁ ଏବେ ଜିଲ୍ଲାରେ କେବଳ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ପୂର୍ବ ସଫଳତାକୁ ଦୋହରାଇବାକୁ ଆଶା ବାନ୍ଧିଥିବା ବେଳେ ବିଜେଡି ପୁଣିଥରେ ଗଡ ଦଖଲ ଅଭିଯାନ ଆରମ୍ଭ କରିଛି । କଂଗ୍ରେସ ଓ ଜେଏମଏମ ପଞ୍ଚାୟତ ଲଢେଇ ରେସରେ ବହୁ ପଛରେ ରହିଛନ୍ତି । ତେବେ ମୟୂରଭଞ୍ଜରେ ହେବାକୁ ଥିବା ମହାଲଢେଇରେ ଜନତା କାହାକୁ ସମର୍ଥନ କରିବେ ତାହା ଜାଣିବା ପାଇଁ ଉତ୍କଣ୍ଠା ବଢିଛି । କିନ୍ତୁ ୨୦୧୭ ନିର୍ବାଚନର ଯେଉଁ ଫଳାଫଳ ମୟୂରଭଞ୍ଜ ଦେଖିଥିଲା ସେଥିରେ ବଡଧରଣର ବ୍ୟତିକ୍ରମ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହା ପଛର କାରଣ ହେଲା, ମୟୂରଭଞ୍ଜ ପାଇଁ ବିଜେଡି କରିଥିବା ସ୍ୱତନ୍ତ୍ର ରଣନୀତି ।
ରାଜ୍ୟର ସର୍ବବୃହତ ତଥା ଆଦିବାସୀ ପ୍ରବଣ ଜିଲ୍ଲା ମୟୂରଭଞ୍ଜରେ ୫୬ଟି ଜିଲ୍ଲାପରିଷଦ ଜୋନ ଓ ୯ ଟି ନିର୍ବାଚନମଣ୍ଡଳୀ ରହିଛି । ସେଥିମଧ୍ୟରୁ ୭ ଟି ନିର୍ବାଚନମଣ୍ଡଳୀ ମୟୂରଭଞ୍ଜ ଲୋକସଭା ଆସନ ଅଧିନରେ ରହିଥିବା ବେଳେ ବଡସାହି ନିର୍ବାଚନମଣ୍ଡଳୀ ବାଲେଶ୍ୱର ଓ କରଞ୍ଜିଆ ନିର୍ବାଚନମଣ୍ଡଳୀ କେନ୍ଦୁଝର ଲୋକସଭା ଅଧୀନରେ ରହିଛି । ତେବେ ଦୀର୍ଘଦିନ ଧରି ବିଜେଡି ମୟୂରଭଞ୍ଜକୁ ନିଜର ସୁରକ୍ଷିତ ଗଡ ଭାବେ ଗଢି ତୋଳିଥିବା ବେଳେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଏହି ଗଡରେ ଗେରୁଆ ବାନା ଉଡାଇବାରେ ସଫଳ ହୋଇଥିଲା ବିଜେପି । ବିଜେଡିର ଅତ୍ୟଧିକ ଆତ୍ମବିଶ୍ୱାସ ଓ ଅସନ୍ତୋଷ ପାଇଁ ବିଜେପି ଏଠାରେ ସେଭଳି କଠିନ ପରିଶ୍ରମ ନକରି ମଧ୍ୟ ଆଶା ଠାରୁ ଅଧିକ ସଫଳତା ପାଇଥିଲା । ୨୦୧୨ରେ ଏକାକୀ ସଂଖ୍ୟା ଗରିଷ୍ଠ ଦଳ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିବା ବିଜେଡି ୨୦୧୭ ନିର୍ବାଚନରେ ଏକ ଅଙ୍କ ଆସନରେ ସୀମିତ ରହିଥିଲା । ଆଉ ଏହିଠାରୁ ମୟୂରଭଞ୍ଜରେ ଆରମ୍ଭ ହୋଇଥିଲା ବିଜେଡିର ପତନ ।
୨୦୧୭ରେ ଯେଉଁ ଟ୍ରେଣ୍ଡ ଆରମ୍ଭ ହୋଇଥିଲା ୨୦୧୯ ନିର୍ବାଚନରେ ମଧ୍ୟ ସେହି ସମାନ ଟ୍ରେଣ୍ଡ ବିଜେଡି ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ୬ଟି ବିଧାନସଭା ଆସନରେ ବିଜେପି ବିଜୟ ବାନା ଉଡାଇଥିବା ବେଳେ ଲୋକସଭା ଆସନ ମଧ୍ୟ ନିଜ ଖାତାରେ ଯୋଡିଥିଲା ପଦ୍ମ କ୍ୟାମ୍ପ । କେବଳ ୩ଟି ଆସନରେ ବିଜେଡି ଜିତି ତାର ଅସ୍ତିତ୍ୱ ରକ୍ଷା କରିବାରେ ସକ୍ଷମ ହୋଇଥିଲା । ହେଭିୱେଟ ନେତା ଅରୁଣ ସାହୁ ଜିଲ୍ଲାର ଦାୟିତ୍ୱ ନେଇଥିଲେ ମଧ୍ୟ ଦଳକୁ ସେଭଳି ସଫଳତା ମିଳିନଥିଲା । ଆଉ ଏହା ପରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ମଙ୍ଗ ଧରିଥିଲେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଦାୟିତ୍ୱ ଥିଲା କିଭଳି ଦଳର ସଙ୍ଗଠନକୁ ମଜବୁତ କରିବା ସହ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା । ଆଉ ଏଭଳି ଏକ ଦାୟିତ୍ୱ ବବିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ତେଣୁ ସାଙ୍ଗଠନିକ ଦୃଷ୍ଟିରୁ ଜିଲ୍ଲାରେ ପ୍ରଥମ ୨ ଜଣ ସଭାପତିଙ୍କ ନାଁରେ ମୋହର ବାଜିଥିଲା । ଯାହାଦ୍ୱାରା ଦଳୀୟ କନ୍ଦଳକୁ ପ୍ରଥମେ ମାତ୍ ଦେବାରେ ସକ୍ଷମ ହୋଇଥିଲେ ବବି । ଆଉ ଏହାପରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦଳର ସଙ୍ଗଠନକୁ ମଜବୁତ କରିବା ସହ ମୟୂରଭଞ୍ଜ ଫୋକସରେ ରହିଥିବା ନେଇ ବାର୍ତ୍ତା ଦିଆଯାଇଥିଲା । ଆଉ ଏହି ଫର୍ମୁଲା ହିଁ ମୟୂରଭଞ୍ଜରେ ବିଜେଡିକୁ ଶକ୍ତିଶାଳୀ କରିଥିବା ଚର୍ଚ୍ଚା ହେଉଛି । ଏହାଛଡା ଅନ୍ୟ ଦଳର ହେଭିୱେଟ ନେତାଙ୍କୁ ବିଜେଡି କ୍ୟାମ୍ପରେ ସାମିଲ କରି ବିଜେଡି ଆହୁରି ବଳୀୟାନ ହୋଇଛି । ଯାହାର ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାର୍ଚନରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।
ଅନ୍ୟପଟେ ୨୦୧୭ରେ ବିଜେପି ଏକାକୀ ୪୯ଟି ଜିଲ୍ଲା ପରିଷଦ ଆସନ ହାତେଇ ବିଜେଡି ଗଡରେ ଧସେଇ ପଶିଥିଲା । ଆଉ ଏଥିପାଇଁ ବିଜେପିକୁ ସେଭଳି ପରିଶ୍ରମ କରିବାକୁ ମଧ୍ୟ ପଡିନଥିଲା । ବିଜେଡିରେ ଥିବା ଅନ୍ତଃକନ୍ଦଳ ବିଜେପି ପାଇଁ ଅଣ୍ଡରକରେଣ୍ଟ ଭଳି କାମ କରିଥିଲା । ବାସ୍ କେତୋଟି ଝଟକାରେ ବିଜେଡି ଶିବିର ଛାରଖାର ହୋଇ ଯାଇଥିଲା । ଆଉ ଏହି ଧାରା ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିଥିଲା । ୨୦୧୯ରେ ମଧ୍ୟ ବିଜେଡିକୁ ୨୦୧୭ ଭଳି ସମଦଶା ଭୋଗିବାକୁ ପଡିଥିଲା । ପଞ୍ଚାୟତ ଫଳାଫଳର ରିପିଟ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପି ସପକ୍ଷରେ ଥିବା ହାୱା ମୟୂରଭଞ୍ଜରେ ମାତ୍ରାଧିକ ବେଗରେ ବହିଥିଲା । ଭୋଟର ବିଜେପିକୁ ଭରସା କରିଥିଲେ, ଆଉ ଦଳ ସାଂସଦ ପଦ ସହ ୬ ବିଧାନସଭା ଆସନ ହାତେଇଥିଲା । ଏପରିକି ମୟୂରଭଞ୍ଜବାସୀଙ୍କୁ ଉପହାରସ୍ୱରୂପ କେନ୍ଦ୍ରମନ୍ତ୍ରୀ ପଦ ଭେଟି ଦେଇଥିଲେ ବିଜେପି ସରକାର ।
କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ହାବଭାବ ହିଁ ବିଜେପିକୁ ବ୍ୟାକଫୁଟକୁ ଠେଲିଦେବ ବୋଲି କୁହାଯାଉଛି । କାରଣ ଜିଲ୍ଲାରେ ବିଜେପିର ନେତୃତ୍ୱ ନେଉଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମାଡ଼ ତତ୍ୱ ଦଳପାଇଁ ଏବେ କାଳ ସାଜିଛି । ପୂର୍ବରୁ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରି ବିବାଦରେ ରହିଆସିଥିବା ବିଶେଶ୍ୱର ନିକଟରେ ଦୁଇଜଣ ସରକାରୀ ଅଧିକାରୀଙ୍କୁ ମାଡ ମାରି ଜଣକର ହାତ ଭାଙ୍ଗିଦେବା ଘଟଣା ଏବେ ଦଳ ପାଇଁ ବୁମେରାଂ ପାଲଟିଛି । ଜଣେ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ଆଚାର ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ଦଳର ଭୋଟବ୍ୟାଙ୍କ ଭୟଙ୍କର ଭାବେ ପ୍ରଭାବିତ ହେବ ବୋଲି କୁହାଯାଉଛି । ଯାହାର ପ୍ରଭାବ ଚଳିତ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ସବୁଠୁ ବଡ କଥା ହେଲା, ବିଜେଡିର ସ୍ଥାନୀୟ ନେତା ମଧ୍ୟ ବିଶେଶ୍ୱରଙ୍କ ଏଭଳି ମାଡ ତତ୍ତ୍ୱକୁ ମୁଦ୍ଦା କରିବା ସହ ବିଜେପି ବିରୋଧରେ ମାହୋଲ ତିଆରି କରିବାକୁ ସୁଯୋଗ ପାଇଛନ୍ତି । ଯେହେତୁ ବିଶେଶ୍ୱରଙ୍କୁ ଛାଡିଦେଲେ ଦଳର ଅନ୍ୟ କୌଣସି ନେତା ନିଜ ନିର୍ବାଚନମଣ୍ଡଳୀ ବାହାରେ ସେତେଟା ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇନାହାନ୍ତି ତେଣୁ ବିଜେପି ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଜେପି ବିଶେଶ୍ୱରଙ୍କୁ ଆସେଟ ଭାବେ ସାମ୍ନାକୁ ଆଣୁଥିବା ଏହା ଦଳ ପାଇଁ ଅଭିଶାପ ନା ଆର୍ଶୀବାଦ ପାଲଟିବ ତାହା ଆଗାମୀ ପଞ୍ଚାୟତ ଫଳାଫଳ କହିବ ।
ଅନ୍ୟପଟେ କଂଗ୍ରେସ ଓ ଜେଏମଏମ ଏବେ ମୟୂରଭଞ୍ଜ ରାଜନୀତିରେ ସମ୍ପୂର୍ଣ୍ଣ ପ୍ରଭାବଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି । କଂଗ୍ରେସ ସେଭଳି କୌଣସି ବଡ ଚେହେରାଙ୍କୁ ସାମ୍ନାକୁ ଆଣୁନି, ଯାହାଙ୍କୁ ଲୋକେ ଭରସା କରିବେ । ସେହିଭଳି ଏକଦା ମୟୂରଭଞ୍ଜ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ଜେଏମଏମ ମଧ୍ୟ ମାତ୍ର କେତୋଟି ଆସନ ମଧ୍ୟରେ ନିଜର ପତିଆରା ଜାହିର କରୁଛି । ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି । କିନ୍ତୁ ଫଳାଫଳ ୨୦୧୭ ଭଳି ହେବନି ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୧୭ ଫଳାଫଳର ଯେପରି ପୁନରାବୃତ୍ତି ନ ହେବ ସେଥିପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଛି ବିଜେଡି । ଆଉ ଅନ୍ୟପଟେ ୨୦୧୭ ତୁଳନାରେ ଚଳିତଥର ବିଜେପି ଶିବିର ସେତେଟା ସକ୍ରିୟ ନାହିଁ ।