କୋରାପୁଟ : ବିଜେଡିରେ ଯାହା, କଂଗ୍ରେସରେ ତାହା! ଗଳାବାଟ ଖୋଜୁଛି ବିଜେପି!

197

କନକ ବ୍ୟୁରୋ : ୨୦୧୭ ପଞ୍ଚାୟତ ନିର୍ବାଚନ, ୨୦୧୯ ନିର୍ବାର୍ଚନ,  ରାଜ୍ୟର ରାଜନୀତି ସମୀକରଣକୁ ବଦଳାଇଥିଲା । ବିଜେଡି ନିଜ ଆସନରେ ସ୍ଥିର ରହିଥିବା ବେଳେ ବିଜେପି ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଥିଲା, ଆଉ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଥିଲା । ରାଜ୍ୟ ରାଜନୀତିରେ ଯେଉଁ ଫଳାଫଳ ଦେଖିବାକୁ ମିଳିଥିଲା,  କୋରାପୁଟ ରାଜନୀତିରେ ତାହା ସମ୍ପୂର୍ଣ୍ଣ ବିପରୀତ ଥିଲା । କୋରାପୁଟରେ ବିଜେପି ନୁହେଁ କଂଗ୍ରେସର ଦବଦବା ଦେଖିବାକୁ ମିଳିଥିଲା । ଦଳ ଏଠାରୁ କେବଳ ସାଂସଦ ପଦ ହାତେଇନଥିଲା ବରଂ ଜୟପୁର ଆସନରେ କଂଗ୍ରେସ ହାତ ଟେକିଥିଲା । କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନ ପୁଣି ଏକ ନୂଆ ସମୀକରଣକୁ ଜନ୍ମ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡି-କଂଗ୍ରେସର ଅନ୍ତଃକନ୍ଦଳ ଏବେ କୋରାପୁଟରେ ପଦ୍ମ ଫୁଟିବା ପାଇଁ ବାତାବରଣ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି । ଆଉ ପଞ୍ଚାୟତ ନିର୍ବାଚନରୁ ଏହାର ପୁନାଦି ପଡିପାରେ ବୋଲି କୁହାଯାଉଛି । ଚଳିତ ଥର ପ୍ରତି ଦଳ ନଜରରେ ଜିଲ୍ଲା ପରିଷଦ ଆସନ ରହିଛି । ତେଣୁ ଗୋଳିଆ ରାଜନୀତି ଭିତରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କିଏ ହାତେଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଗତ ୨୦୧୭ ନିର୍ବାଚନରେ ଜିଲ୍ଲାର ୨୯ ଜିଲ୍ଲା ପରିଷଦ ଆସନରୁ ୨୪ଟି ହାତେଇବାରେ ସଫଳ ହୋଇଥିଲା ବିଜେଡି । ଆଉ ଏହାସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି କ୍ୟାମ୍ପକୁ ଆସିଥିଲା । କିନ୍ତୁ ୨୦୧୭ ପଞ୍ଚାୟତ ଫଳାଫଳ ୨୦୧୯ ନିର୍ବାଚନରେ ପ୍ରତିଫଳିତ ହୋଇନଥିଲା ।  କୋରାପୁଟ ବିଜେଡିର ହେଭିୱେଟ ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଲା । ଏହାଛଡା ସାଂସଦ ପଦ ମଧ୍ୟ ଦଳ ହରାଇଥିଲା । ଆଉ ଏହାପରେ ଜିଲ୍ଲା ରାଜନୀତିରେ ରବିଙ୍କ ତେଜ କମିବା ଆରମ୍ଭ ହୋଇଥିଲା । ଦୁଇ ଦୁଇ ଥର ନିର୍ବାଚନ ହାରିବା ପରେ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ରବି ଅଲୋଡା ହୋଇ ପଡିଥିବା ଭଳି ମନେ ହେଉଛି । ଆଉ ଏହାର ଫାଇଦା ଉଠାଇଛନ୍ତି ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀ । କୁହାଯାଉଛି ଚଳିତ ପଞ୍ଚାୟତ ନିର୍ବାଚନରେ ଇଶ୍ୱରଙ୍କ ଇସାରାରେ ଦଳୀୟ ପ୍ରାର୍ଥୀଙ୍କ ନାଁରେ ମୋହର ବାଜିଛି । ତେଣୁ ପ୍ରାର୍ଥୀଙ୍କ ବିଜୟ ଦାୟିତ୍ୱ ଏବେ ଇଶ୍ୱରଙ୍କ ହାତରେ ।

ଅନ୍ୟପଟେ ଇଶ୍ୱରଙ୍କ ଏଭଳି ପ୍ରଭାବ ବିସ୍ତାର ବିରୋଧୀଙ୍କ ଅପେକ୍ଷା ନିଜ ଦଳର ନେତା ରବି ନନ୍ଦଙ୍କ ପାଇଁ ବିପଦ ବୋଲି କୁହାଯାଉଛି । କାରଣ କୋରାପୁଟ ଜିଲ୍ଲାରେ ସାଧାରଣବର୍ଗଙ୍କ ପାଇଁ କେବଳ ଜୟପୁର ଆସନ ସଂରକ୍ଷିତ ରହିଛି । ତେଣୁ ଜିଲ୍ଲା ରାଜନୀତିରେ ଯାହାର ପତିଆରା ବଢିବ ଜୟପୁର ଆସନର ହକଦାର ସିଏ ହେବ ବୋଲି ଆଲୋଚନା ହେଉଛି । ଯେଉଁଥିପାଇଁ ଉଭୟ ଇଶ୍ୱର ଓ ବିରୋଧୀଙ୍କୁ ଚେକ୍ ଦେବାକୁ ନିଜ ପତ୍ନୀଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ରବି ନନ୍ଦ । ଜିଲ୍ଲା ରାଜନୀତିରେ ନିଜର ପତିଆରା ବଞ୍ଚାଇବାକୁ ଏଭଳି ରଣନୀତି ରବି ଆପଣାଇଥିବା କୁହାଯାଉଛି । ଆଉ ପତିଆରାର ଏହି ଲଢେଇ ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି । ତେବେ ଦଳର ବିଜୟ ଓ ପରାଜୟ ଉପରେ ରବି ନନ୍ଦଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ନିର୍ଭର କରିବ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ଗତ ପଞ୍ଚାୟତ ନିର୍ବାଚନରେ ୪ଟି ଜିଲ୍ଲା ପରିଷଦ ଆସନ ହାତେଇଥିବା କଂଗ୍ରେସ ଏଥର ଆସନରେ ହାତ ଟେକିବ ବୋଲି ଆଶା ବାନ୍ଧିଛି । କିନ୍ତୁ କୋରାପୁଟ ଜିଲ୍ଲା କଂଗ୍ରେସରେ ସବୁ କିଛି ଯେ ଠିକ୍ ନାହିଁ ଏକଥା କାହାକୁ ଆଉ ଅଛପା ନାହିଁ । ସାଂସଦ ସପ୍ତଗିରି ଉଲାକା ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧରେ କଂଗ୍ରେସର ହାତ ଶିଥିଳ ପଡିଯିବା ନେଇ ଚର୍ଚ୍ଚା ହେଉଛି । ଦଳୀୟ ବୈଠକରେ ଉଭୟ ନେତା ଏକାଠି ନହେବା, କର୍ମୀଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି । କାହା ନେତୃତ୍ୱକୁ କର୍ମୀ ବିଶ୍ୱାସ ଓ ଭରସା  କରିବେ ତାହା ଜାଣିପାରୁନାହାନ୍ତି । ଅନ୍ୟପଟେ ତାରାଙ୍କ ପତ୍ନୀ ମିନାକ୍ଷୀ ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ୱରେ ଥିବାରୁ କୋରାପୁଟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରୁଛି ବାହିନୀପତି ପରିବାର । ଆଉ ଏହି ରେସରେ ସାଂସଦ ସପ୍ତଗିରି ଉଲାକା ବାହିନୀପତି ପରିବାରର ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି । ତେଣୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ପୂର୍ବଭଳି ପ୍ରଦର୍ଶନ କରିପାରିବ ନା ଗୋଷ୍ଠୀ କନ୍ଦଳ ଦଳକୁ କାଳ ହେବ ତାହା ପଞ୍ଚାୟତ ଫଳାଫଳ ହିଁ ସ୍ପଷ୍ଟ କରିବ ।

ଅନ୍ୟପକ୍ଷରେ ବିଜେପି ସମ୍ପୂର୍ଣ୍ଣ ଭାବେ ଜୟରାମ ପାଙ୍ଗୀଙ୍କ ରଣନୀତି ଉପରେ ନିର୍ଭର କରିବ ବୋଲି ଅନୁମାନ କରାଯାଉଛି । ଟିକେଟ ବାଣ୍ଟିବା ଠାରୁ ଆରମ୍ଭ କରି ପ୍ରଚାର କାର୍ଯ୍ୟ  ଜୟରାମଙ୍କ ନେତୃତ୍ୱରେ ଦଳ ଆଗକୁ ବଢୁଛି । ଏହାସତ୍ତେ୍ୱ ମଧ୍ୟ ଦଳରେ ବିଜେଡି-ବିଜେପି ଭଳି ସମାନ ସ୍ଥିତି ରହିଛି । ଗୋଟିିଏ ପଟେ ଜୟରାମ ପାଙ୍ଗୀ ରହିଥିବା ବେଳେ ଅନ୍ୟପକ୍ଷେ ରହିଛନ୍ତି  ଜୟପୁର ନିର୍ବାଚନମଣ୍ଡଳୀର  ବିଜେପି ଦଳର ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତ ରାୟ । ଗୌତମ ମଧ୍ୟ ନିଜ ପତିଆରା ବୃଦ୍ଧି କରିବାକୁ ପଞ୍ଚାୟତ ନିର୍ବାଚନକୁ ପରୀକ୍ଷା ଭାବେ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ମଧ୍ୟ ବଡ ଚେହେରା ଭାବେ ଜୟରାମ ନିର୍ବାଚନ ପରିଚାଳନା କରୁଥିବାରୁ ବିଜେପି ପଞ୍ଚାୟତ ଫଳାଫଳକୁ ନେଇ ବେଶ ଆଶାବାଦୀ ରହିଛି । ଦଳରେ ଅସନ୍ତୋଷ ଥିଲେ ମଧ୍ୟ ଏହାକୁ ଆଲୋଚନା ମାଧ୍ୟମରେ ମ୍ୟାନେଜ କରିବାକୁ ଶୀର୍ଷ ନେତୃତ୍ୱ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ୨୦୧୭ରେ ଦଳ ମାତ୍ର ଗୋଟିଏ ଆସନରେ ଖାତା ଖୋଲିଥିବା ବେଳେ ଚଳିତଥର ଏହି ସଂଖ୍ୟା ୨ ଅଙ୍କକୁ ବଢାଇବାକୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି । ତେବେ ଚଳିତ ନିର୍ବାଚନ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ହେବାକୁ ଥିବା ବେଳେ କେଉଁଠି ନା କେଉଁଠି ଗଳା ବାଟ ଖୋଜୁଛି ବିଜେପି  । କିନ୍ତୁ ସର୍ବଦା ରାଜ୍ୟ ରାଜନୀତିର ବିପରୀତରେ ଯାଉଥିବା କୋରାପୁଟବାସୀ କାହାକୁ ଭରସା କରିବେ ତାହା ପଞ୍ଚାୟତ ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ।