କନ୍ଧମାଳ ଗଡ ବଞ୍ଚାଇବା ବିଜେଡି ପାଇଁ ଚ୍ୟାଲେଞ୍ଜ! ଶାସକ  ଦଳକୁ ସହଜରେ ବାଟ ନ ଛାଡିବାକୁ ବିରୋଧୀଙ୍କ  ବ୍ଲୁ-ପ୍ରିଣ୍ଟ ।

242

କନକ ବ୍ୟୁରୋ :  କନ୍ଧମାଳରେ ଶୀତର ଲହରୀ ଏଯାଏଁ କମିନଥିବା ବେଳେ ଜିଲ୍ଲା ରାଜନୀତିକୁ ଉଷ୍ମ କରିଛି ପଞ୍ଚାୟତ ନିର୍ବାଚନ । ଚଳିତଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ଘର ବୁଲି ଭୋଟ ମାଗୁଛନ୍ତି । ଖାସକରି ଜିଲ୍ଲା ପରିଷଦ ଆସନ ହାତେଇବା ଏବେ ୩ ଦଳର ଫୋକସରେ ରହିଛି । ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଲଢାଯାଉଥିବାରୁ ଏହାକୁ ଅକ୍ତିଆର କରିବାକୁ ୩ ଦଳର ନେତାଙ୍କ ମଧ୍ୟରେ ବ୍ୟସ୍ତତା ବଢିଯାଇଛି । ନାମାଙ୍କନପତ୍ର ଦାଖଲ ଶେଷ ହୋଇଥିବାରୁ ପ୍ରାର୍ଥୀଙ୍କୁ ଧରି ଏବେ ପ୍ରଚାର ମୈଦାନରେ ନେତା । ତେବେ ଚଳିତଥର କନ୍ଧମାଳବାସୀ କାହା ସପକ୍ଷରେ ଭୋଟ କରିବେ ତାହାର ଆକଳନ କରିବା ଏବେଠାରୁ କଷ୍ଟକର ହୋଇପଡିଛି । କାରଣ ଗତ ନିର୍ବାଚନରେ କିଛି ସେଭଳି ସ୍ଥିତି ଦେଖିବାକୁ ମିଳିଥିଲା । ପୂରା ରାଜ୍ୟରେ ଦ୍ୱିମୁଖୀ ଲଢେଇ ହେଉଥିବା ବେଳେ କନ୍ଧମାଳରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଥିଲା । ଭୋଟର ଭାଗ ଭାଗ ହୋଇଯାଇଥିଲେ । ଯାହାର ଫାଇଦା ଶାସକ ବିଜେଡିକୁ ମିଳିଥିଲା ।

୨୦୧୭ ପଞ୍ଚାୟତ ନିର୍ବାଚନରେ ୧୮ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ଏକାକୀ ୯ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଓ ବିଜେପି ୪ଟି ଲେଖାଏଁ ଜିଲ୍ଲା ପରିଷଦ ଅକ୍ତିଆର କରିଥିଲେ । ଆଉ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଥିଲେ । ଆଉ  ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନ ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବଡ ଭୂମିକାରେ ଦେଖିବାକୁ ମିଳିଥିଲା । ବିଜେଡି ହାତେଇଥିଲା ଜିଲ୍ଲା ପରିଷଦ ଆସନ । ଆସନ ଦୃଷ୍ଟିରୁ ବିଜେଡି ଆଗରେ ରହିଥିଲା କିନ୍ତୁ ଭୋଟ ଦୃଷ୍ଟିରୁ ୩ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଚଳିତଥର ସ୍ଥିତିରେ ବଡ ଧରଣର ପରିବର୍ତ୍ତନ  ଦେଖିବାକୁ ମିଳିପାରେ । କାରଣ ପଞ୍ଚାୟତ ନିର୍ବାଚନ ଫଳାଫଳର ଝଲକ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିନଥିଲା । ଜିଲ୍ଲାର ୩ ବିଧାନସଭା ଆସନରେ ବିଜେଡି ବିଜୟ ବାନା ଉଡାଇଥିଲା । ତେଣୁ ଏହି ଧାରାକୁ ପଞ୍ଚାୟତ ନିର୍ବାଚନରେ ବଜାୟ ରଖିବାକୁ ବିଜେଡି ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଜେଡିର ବଡ ଚେହେରା ଭାବେ ସାଂସଦ ଅଚ୍ୟୁତ ସାମନ୍ତଙ୍କ କାନ୍ଧରେ ରହିଛି ପଞ୍ଚାୟତ ଲଢେଇ ଭାର । ତେବେ ବିଜେଡିର ଫଳାଫଳକୁ ଗୋଷ୍ଠୀ କନ୍ଦଳ କିଛି ମାତ୍ରାରେ ପ୍ରଭାବିତ କରିପାରେ ।

ଅନ୍ୟପଟେ ୨୦୧୯ ନିର୍ବାଚନ ପରେ ବିଜେପି ଓ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନିକଟରେ ଫୁଲବାଣୀରେ କଂଗ୍ରେସ ଏକ ବିଶାଳ ସମାବେଶ କରି ଅନ୍ୟ ଦଳର କିଛି ଛାମୁଆ ନେତାଙ୍କୁ ଦଳରେ ସାମିଲ କରି ବିଜେଡିର ଚିନ୍ତାକୁ ବଢାଇ ଦେଇଛି । ସେହିପରି ବିଜେପି ମଧ୍ୟ ଏହି ରେସରେ ପଛରେ ନାହିଁ । ଦଳ ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଦ୍ୱାହି ଦେଇ ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ କରୁଛି । ଜିଲ୍ଲାରେ ଉଭୟ ଦଳ ନିକଟରେ ସେଭଳି ଜଣାଶୁଣା ଚେହେରା ନଥିବା ବେଳେ ଦଳୀୟ ପ୍ରାର୍ଥୀ ନିଜ ବଳରେ  ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।

ବିଜେଡି ଚଳିତ ନିର୍ବାଚନରେ ଆସନ ସଂଖ୍ୟା ବୃଦ୍ଧି ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରସ୍ତୁତ ହେଉଛି । ତେବେ ବିଜେଡିକୁ ଏତେ ସହଜରେ ବାଟ ଛାଡିବେନି ଉଭୟ ବିଜେପି ଓ କଂଗ୍ରେସ । ବିଜେପି ଯୁବ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରୁଥିବା ବେଳେ କଂଗ୍ରେସର ପାରମ୍ପରିକ ଭୋଟ ବଳରେ କନ୍ଧମାଳ ଗଡ ଜିତିବାକୁ ଆଶା ରଖିଛି । ଦାରଡଙ୍ଗବାଡିରେ କଂଗ୍ରେସ କ୍ରମାଗତ  ଭାବେ ଏକପାଖିଆ  ବିଜୟ ହାସଲ କରିଆସୁଛି ।   ଏଭଳି ସ୍ଥିତିରେ ଶାସକ ବିଜେଡି ପାଇଁ କନ୍ଧମାଳ ଜିଲ୍ଲାରେ ଗଡ ରକ୍ଷା କରିବା ଏତେ ସହଜ ହୋଇନପାରେ । ତେବେ ଗତଥର ଭଳି ଏଥର ଉଭୟ ଦଳ ଶାସକ ବିଜେଡିକୁ କଡା ଟକ୍କର ଦେଇପାରୁଛନ୍ତି ନା ବିଜେଡି ନିଜର ସଙ୍ଗଠନ ବଳରେ ସହଜ ବିଜୟ ହାସଲ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।