କଳହାଣ୍ଡିର କମାଣ ଧରିବ କିଏ? ପ୍ରସଙ୍ଗ ଅଛି, ସୁଯୋଗ ଅଛି, ତଥାପି ବିରୋଧୀ ଶୋଇ ରହିଛି । କଳହାଣ୍ଡିରେ ଶଙ୍ଖନାଦ କରିବାକୁ ବିଜେଡି ଏଥର ସଜାଗ ରହିଛି ।

185

କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା କଳାହାଣ୍ଡି । ଭବାନୀପାଟଣାରୁ ଭୁବନେଶ୍ୱର, ସବୁଠି କଳାହାଣ୍ଡିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ପ୍ରସଙ୍ଗ ମଧ୍ୟ କିଛି ସେହିଭଳି ଥିଲା । ମମିତା ହତ୍ୟାକାଣ୍ଡ ଭଳି ବହୁ ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । କଳହାଣ୍ଡିରେ ସରକାରଙ୍କ ବିରୋଧରେ ବିରୋଧୀ ଯେଉଁ ଗର୍ଜନ ଦେଉଥିଲା ତାହା ଭୁବନେଶ୍ୱର ପର୍ଯ୍ୟନ୍ତ ଶୁଭୁଥିଲା । କିନ୍ତୁ ଏବେ ପଞ୍ଚାୟତ ନିର୍ବାଚନର କୋଳାହଳ ଭିତରେ ମମିତା ପ୍ରସଙ୍ଗ ଉଭେଇ ଯାଇଛି । ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି କମାଣ କିଏ ଧରିବ ତାହାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି । ଆଉ ଗତଥର ଧରାଶାୟୀ ହୋଇ ପଡିଥିବା ବିଜେଡି ପାଇଁ ଏଥର ସୁଯୋଗ ସୃଷ୍ଟି ହୋଇଛି । ବିଜେପି ପୂର୍ବ ସଫଳତାକୁ ଦୋହରାଇ ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖାଦେଇଛି । ଅନ୍ୟପଟେ ଭୋଟରଙ୍କ ଭରସା ହରାଇଥିବା କଂଗ୍ରେସ ପୁଣିଥରେ ଯେ କମବ୍ୟାକ୍ କରିପାରିବ ତାହାର ସମ୍ଭାବନା ଯଥେଷ୍ଟ କମ ରହିଛି । ଶାସକ ଦଳକୁ ଘେରିବାକୁ ବିରୋଧୀଙ୍କ ପାଖେ ପ୍ରସଙ୍ଗ ଅଛି ଏଥର ଜିଲ୍ଲା ପରିଷଦ ଆସନ ଉପରେ ସବୁ ଦଳର ଫୋକସ ରହିଥିବା ବେଳେ ଫଳାଫଳ କଣ ହେବ ତାହା ଅସ୍ପଷ୍ଟ ରହିଛି ।

୩୬ଟି ଜିଲ୍ଲା ପରିଷଦ ଆସନକୁ ନେଇ ଗଠିତ କଳାହାଣ୍ଡିରେ ଗତଥର ଧରାଶାୟୀ ହୋଇଥିଲା ଶାସକ ବିଜେଡି । ବିଜେପି ଏକାକୀ ୩୩ ଆସନରେ ବିଜୟୀ ବାନା ଉଡାଇବା ସହା କଳାହାଣ୍ଡିକୁ କବଜା କରିଥିଲା । ଏଥର ମଧ୍ୟ ଦଳ ପାଖରେ ବଡ ପ୍ରସଙ୍ଗ ରହିଛି ଶାସକ ଦଳକୁ ପୁଣିଥରେ ଧରାଶାୟୀ କରିବା ପାଇଁ, କିନ୍ତୁ ଏହାକୁ ଭୋଟରଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳୀୟ ନେତୃତ୍ୱଙ୍କର ଇଚ୍ଛାଶକ୍ତିର ଅଭାବ ରହିଛି । ଦଳ ଏଥର କାହା ନେତୃତ୍ୱରେ ନିର୍ବାଚନକୁ ଓହ୍ଲାଇଛି ତାହା କର୍ମୀ ଜାଣିପାରୁନାହାନ୍ତି । ଦଳର ଟାଣୁଆ ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅସୁସ୍ଥତା ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ୟପଟେ ସାଂସଦ ବସନ୍ତ ପଣ୍ଡାଙ୍କ ଉପରେ ଦଳୀୟ କର୍ମୀ ଓ ନେତୃବୃନ୍ଦ ଅସନ୍ତୁଷ୍ଟ ଅଛନ୍ତି । ଟିକେଟ ବଣ୍ଟନ ସମୟରେ ବି ପ୍ରଦୀପ୍ତଙ୍କ ସମର୍ଥକଙ୍କୁ ଟିକେଟ ଦେବାରେ ପାତର ଅନ୍ତର ନୀତିକୁ ନେଇ ଦଳରେ ଅସନ୍ତୋଷ ବଢିଛି । ଏହାଛଡା ପ୍ରଦୀପ୍ତଙ୍କ ଅସୁସ୍ଥତା ପାଇଁ ବହୁ ବିଜେପି କର୍ମୀ ବିଜେଡି ମୁହାଁ ହୋଇଛନ୍ତି । ଯାହା ଦଳର ସଙ୍ଗଠନକୁ ଦୁର୍ବଳ କରିଛି । ବସନ୍ତ ଓ ପ୍ରଦୀପ୍ତଙ୍କୁ ଛାଡିଦେଲେ ଦଳର ସେଭଳି ବଡ ଚେହେରା ନାହାନ୍ତି ଯିଏ ପଞ୍ଚାୟତ ଫଳାଫଳକୁ ପ୍ରଭାବିତ କରିପାରିବ । ସାଂସଦ ବସନ୍ତ ପଣ୍ଡା ନୂଆପଡା ଉପରେ ଅଧିକ ଫୋକସ କରୁଥିବା ବେଳେ ଦଳ ଚଳିତ ନିର୍ବାଚନରେ ପୁଣିଥରେ ୨୦୧୭ର ରିପିଟ୍ କରିପାରିବ କି ନାହିଁ ତାହାକୁ ନେଇ ସଂଶୟ ଦେଖାଦେଇଛି । ଏହାବାଦ୍ ଗତ ନିର୍ବାଚନରେ ପଡୋଶୀ ଛତିଶଗଡର ବିଜେପି ସଙ୍ଗଠନ ବଳରେ ବଳୀୟାନ ହୋଇଥିଲା କଳାହାଣ୍ଡି ବିଜେପି । କିନ୍ତୁ ଏଥର ସେଭଳି ସ୍ଥିତି ନାହିଁ । କାରଣ ଛତିଶଗଡରେ ବିଜେପି ଧରାଶାୟୀ ହୋଇଛି । ଏସବୁ ଭିତରେ ମଧ୍ୟ ବିଜେପି ପାଇଁ ବଡ ସୁଯୋଗ ହେଉଛି ଦଳ ପାଖରେ ଥିବା ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ମମିତା ଓ ଧାନ କିଣା ପ୍ରସଙ୍ଗ ଭୋଟ ରାଜନୀତିକୁ ଯଥେଷ୍ଟ ପ୍ରଭାବିତ କରିପାରିବ କିନ୍ତୁ ଏହାକୁ ଭୋଟରଙ୍କ ପାଖରେ କିଏ ପହଞ୍ଚାଇବ ତାହା ହିଁ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।

ଅନ୍ୟପଟେ ମମିତା ଓ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେଡି ବ୍ୟାକଫୁଟରେ ଥିବା ସତ୍ତେ୍ୱ ମଧ୍ୟ ଏଥର କଳାହାଣ୍ଡି ଦଖଲ କରିବାକୁ ଅଣ୍ଟା ଭିଡିଛି । ଦଳ ଗତଥରର ଫଳାଫଳରୁ ଅନେକ କିଛି ଶିକ୍ଷା ଲାଭ କରିଛି । ବିଜେଡି ଏଥର ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଦଳ ଏଥର ଜିଲ୍ଲାର ସବୁ ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଛି । ଆଉ ଏହି ଦାୟିତ୍ୱ ବିକେନ୍ଦ୍ରୀକରଣ ଜିଲ୍ଲା ବିଜେଡିକୁ ବେଶ ସୁହାଇବ ବୋଲି କୁହାଯାଉଛି । ଜୋନ ସ୍ତରରେ ବିଜେଡି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରି ନିର୍ବାଚନ ପରିଚାଳନା କରୁଛି । ଜିଲ୍ଲାରେ ଦଳର ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ, ଭୂପିନ୍ଦର ସିଂ ଓ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟରେ ବ୍ଲକୱାରୀ ଜୋନ ବାଣ୍ଟି ଦିଆଯାଇଥିବା ଫଳାଫଳ କିଭଳି ଦଳ ସପକ୍ଷରେ ଆସିବ ସେଥିପାଇଁ ଶୀର୍ଷ ସ୍ତରରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଯାହା ଚଳିତ ଥର ବିଜେଡି ପାଇଁ କଳାହାଣ୍ଡିରେ ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଦଳକୁ କାଳ ହୋଇପାରେ ଓଭରଲୋଡ । ବିଭିନ୍ନ ଦଳରୁ ଆମଦାନୀ ହୋଇଥିବା ନେତାଙ୍କୁ ଗୁରୁତ୍ୱ ଦିଆଯିବା ପୁରୁଣା କର୍ମୀ ଓ ନେତାଙ୍କୁ ଅସନ୍ତୁଷ୍ଟ କରୁଛି । ଏହାଛଡା ଟିକେଟ ବଣ୍ଟନକୁ ନେଇ ମଧ୍ୟ ଦଳ ଭିତରେ ବଡ ଧରଣର ବିଦ୍ରୋହର ନିଆଁ କୁହୁଳୁଛି । ଯାହା ଦଳର ପଞ୍ଚାୟତ ଫଳାଫଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇବାକୁ କଂଗ୍ରେସ ପାଖରେ ନେତୃତ୍ୱର ଅଭାବ ରହିଛି । ଶାସକ ବିଜେଡିକୁ ଘେରିବାକୁ ପ୍ରସଙ୍ଗ ରହିଛି, ସୁଯୋଗ ମଧ୍ୟ ରହିଛି । କିନ୍ତୁ ନେତୃତ୍ୱର ଅଭାବ ଦଳକୁ କଳାହାଣ୍ଡି ରେସରୁ ଦୂରେଇ ଦୂରେଇ ନେଉଛି । ଗତ ୨୦୧୯ ନିର୍ବାଚନରେ ଦଳର ଟାଣୁଆ ନେତା ପରାଜିତ ହେବା ପରେ ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ରହୁନାହାନ୍ତି । ଆଉ ଭକ୍ତଙ୍କ ଅନୁପସ୍ଥିତି ଦଳୀୟ ସଙ୍ଗଠନ ଦୁର୍ବଳ ହେବା ପଛର ବଡ କାରଣ । ଭକ୍ତ ମଣିପୁର ନିର୍ବାଚନରେ ବ୍ୟସ୍ତ ରହିଥିବାରୁ ପୁଅ ସାଗର ଦାସ ଓ ଜିଲ୍ଲା ସଭାପତି ଭାରତ ବେମାଲଙ୍କ ହାତରେ ସଙ୍ଗଠନର ଦାୟିତ୍ୱ । କିନ୍ତୁ ରାଜନୀତିରେ ବେଶ ପୋଖତ ଥିବା ଭକ୍ତଙ୍କ ବିନା ଯେ କଳାହାଣ୍ଡିରେ କଂଗ୍ରେସ ହାତ ଟେକିପାରିବ ତାହାର ସମ୍ଭାବନା କ୍ଷୀଣ । କାରଣ ତୃଣମୂଳସ୍ତରରେ ଦଳର ସଙ୍ଗଠନ ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ବେଳେ ବହୁ କଷ୍ଟରେ ସବୁ ଆସନରେ ପ୍ରାର୍ଥୀ ଦେଇଛି ଦଳ । କିନ୍ତୁ ଏମାନଙ୍କର ବିଜୟ ପାଇଁ ଏଯାବତ୍ ଦଳ ପକ୍ଷରୁ ସେଭଳି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇନାହିଁ । ଗତଥର ମାତ୍ର ୨ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ପୂର୍ବରୁ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ୨ ଥର ପରିଷଦ ଗଠନ କରି ସାରିଛି। କିନ୍ତୁ ସେତେବେଳେର ସଂଗଠନ ଓ କର୍ମୀ ଏବେ ଦଳ ପାଖରେ ନାହିଁ । ଯାହା କଂଗ୍ରେସକୁ କଳାହାଣ୍ଡିର କ୍ଷମତା ରେସରୁ ବହୁ ଦୂରରେ ରଖିଥିବା ନେଇ ଚର୍ଚ୍ଚା ହେଉଛି ।