କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି । ରାଜ୍ୟର ସବୁଠୁ ଅଧିକ ବିଧାନସଭା ଆସନ ଥିବା ଏହି ଜିଲ୍ଲାରେ ସବୁବେଳେ ରାଜନୀତି ସରଗରମ ରହିଥାଏ । ଏହାଛଡା ଏହି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବାରୁ ରାଜନୈତିକ ମହଲରେ ଗଞ୍ଜାମର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ଏହି ଜିଲ୍ଲା ଉପରେ ସବୁ ଦଳର ନଜର ରହି ଆସିଛି । ଆଉ ଚଳିତ ପଞ୍ଚାୟତ ନିର୍ବାଚନ ଜିଲ୍ଲା ରାଜନୀତିକୁ ଆହୁରି ଉଷ୍ମ କରିଛି । ପୂର୍ବରୁ ଗଞ୍ଜାମ ବିଜେଡିର ଗଡ ହୋଇ ରହି ଆସିଛି । ଯାହାକୁ ଭେଦ କରିବାକୁ ଅନେକବାର ବିରୋଧୀଙ୍କ ପକ୍ଷରୁ ପ୍ରୟାସ ହୋଇଛି କିନ୍ତୁ ପ୍ରତିଥର ମାତ୍ ଖାଇଛନ୍ତି ବିରୋଧୀ । ଚଳିତ ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ରାଜ୍ୟର ସବୁଠୁ ଅଧିକ ଜିଲ୍ଲା ପରିଷଦ ଆସନ ଥିବା ଗଞ୍ଜାମ ଜିଲ୍ଲା ଏବେ ୩ ରାଜନୈତିକ ଦଳର ରାଡାରରେ ରହିଛି । ୬୯ ଜିଲ୍ଲା ପରିଷଦ ଆସନ ଥିବା ଗଞ୍ଜାମ ଜିଲ୍ଲାକୁ ଏଥର ଦଖଲ ପାଇଁ ୩ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କିନ୍ତୁ ପ୍ରତି ଦଳ ପାଇଁ କିଛି ନା କିଛି ଚ୍ୟାଲେଞ୍ଜ ରହିଛି, ଯାହାକୁ ପାର କରିପାରିଲେ ନିର୍ବାଚନରେ ବିଜୟ ସହଜ ହେବ ।

Advertisment

୨୦୦୨ ମସିହାରୁ ପଞ୍ଚାୟତ ନିର୍ବାଚନରେ ବିଜେଡିର ଗଡ ରହି ଆସିଛି ଗଞ୍ଜାମ । ଦଳ ଏଠାରେ ଲଗାତାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଛି । ଆଉ ତାହା ବି ପୁଣି ବିରୋଧୀଙ୍କ ବହୁ ପଛରେ ପକାଇ । ଗତ ନିର୍ବାଚନରେ ଦଳ ଏଠାରେ ଏକାକୀ ୬୪ଟି ଜିଲ୍ଲା ପରିଷଦ ଜୋନ ହାତେଇଥିଲା । ଟକ୍କର ଦେବା ତ ଦୂରର କଥା ବିରୋଧୀ ଶାସକ ବିଜେଡିର ପାଖ ମଧ୍ୟ ମାଡି ପାରିନଥିଲେ । ଆଉ ଏହି ଟ୍ରେଣ୍ଡ ଆଗକୁ ନେବାକୁ ଏବେ ବଳ କଷୁଛି ବିଜେଡି । ଜିଲ୍ଲାରେ ବିଜେଡିର ସବୁଠୁ ବଡ ଭୋଟବ୍ୟାଙ୍କ ହେଉଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ନାଁରେ ଦଳ ଏଠାରେ ପୂର୍ବରୁ ନିର୍ବାଚନ ବୈତରଣୀ ପାର ହେଉଥିଲା, ଆଗକୂୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଆଶା ବାନ୍ଧିଛି । ନବୀନଙ୍କ ବିକାଶମୂଳକ ଯୋଜନା, ନବୀନଙ୍କ ଲୋକପ୍ରିୟତା ଗଞ୍ଜାମରେ ବିଜେଡିର ବିଜୟ ପଛର ସବୁଠୁ ବଡ ପୁଞ୍ଜି । ଏହାଛଡା ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀଙ୍କ ଭଳି ଟାଣୁଆ ନେତାଙ୍କ ସାଙ୍ଗଠନିକ ଦକ୍ଷତା ବଳରେ ଗଞ୍ଜାମରେ ବିଜେଡି ନିଜର ଦବଦବା ବଜାୟ ରଖିବାରେ ସଫଳ ହୋଇଛି । ଏହାଛଡା ବିରୋଧୀ ଦଳର ଛାମୁଆ ନେତାଙ୍କୁ ନିଜ କ୍ୟାମ୍ପକୁ ନେଇ ଗଞ୍ଜାମରେ ବିଜେଡିକୁ ଆହୁରି ସୁଦୃଢ କରିଛନ୍ତି ଦଳର ଶୀର୍ଷ ନେତୃତ୍ୱ । କିନ୍ତୁ ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଅସନ୍ତୁଷ୍ଟ ଗୋଷ୍ଠୀ । ଟିକେଟ ବଣ୍ଟନକୁ ନେଇ ତୃଣମୂଳସ୍ତରରେ ଅନେକ ସ୍ଥାନରେ ଦଳର ସଙ୍ଗଠନ ଦିଫାଳ । ଯାହା ବିଜେଡିର ଫଳାଫଳକୁ କିଛି ମାତ୍ରାରେ ପ୍ରଭାବିତ କରିପାରେ । ଏହାଭିତରେ ଗୋପାଳପୁର ବିଧାୟକଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି । ତେଣୁ ଗୋପାଳପୁର ନିର୍ବାଚନମଣ୍ଡଳୀ ଅଧିନରେ ଆସୁଥିବା ଜୋନ୍ ଗୁଡିକରେ ବିଜେଡିର ପ୍ରଦର୍ଶନ କେମିତି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସେହିଭଳି ଗତ ନିର୍ବାଚନରେ ଗଞ୍ଜାମର ମାତ୍ର ୨ଟି ଜିଲ୍ଲା ପରିଷଦ ଜୋନରେ ପଦ୍ମ ଫୁଟିଥିଲା । କିନ୍ତୁ ଏଥର ଗଞ୍ଜାମରେ ସେହି ଆସନ ବଜାୟ ରଖିବା ମଧ୍ୟ ଦଳ ପାଇଁ ସହଜ ହୋଇନପାରେ । ୨୦୧୯ ନିର୍ବାଚନ ପରେ ଦଳୀୟ ପ୍ରାର୍ଥୀ ହୋଇଥିବା ଅନେକ ନେତା ଗଞ୍ଜାମ ରାଜନୀତିରୁ ଉଭାନ ହୋଇଯାଇଥିବା ବେଳେ ଆଉ କିଛି ନେତାଙ୍କ ଦର୍ଶନ କଦବା କ୍ୱଚିତ ଦେଖିବାକୁ ମିଳୁଛି । ଆଉ ଏଭଳି ନେତୃତ୍ୱଙ୍କ ଉପରେ କର୍ମୀଙ୍କ ଭରସା କମୁଛି, ଯାହାର ଦଳର ସଙ୍ଗଠନକୁ ଦୁର୍ବଳ କରୁଥିବା କୁହାଯାଉଛି । ଆଉ ଏଭଳି ଦୁର୍ବଳ ସଙ୍ଗଠନ ବଳରେ ଶକ୍ତିଶାଳୀ ବିଜେଡିକୁ ମୁକାବିଲା କରିବା ବିଜେପି ପାଇଁ ସହଜ ହୋଇ ନପାରେ । ତଥାପି ମୋଦୀ ସରକାରଙ୍କ ବିଭିନ୍ନ ଯୋଜନାକୁ ଆଧାର କରି ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ କରୁଛି ବିଜେପି । କିନ୍ତୁ ଏହି ଷ୍ଟ୍ରାଟେଜି ଦଳର ଆସନ ବୃଦ୍ଧିରେ ସହାୟକ ହେବ କି ନାହିଁ ତାହା ପଞ୍ଚାୟତ ନିର୍ବାଚନର ଫଳାଫଳ କହିବ ।

ଅନ୍ୟପଟେ ବିଜେଡିର ଗଡ ଥିବା ଗଞ୍ଜାମରେ କଂଗ୍ରେସ କିଛି ସ୍ଥାନରେ ନିଜର ଦବଦବା ଜାହିର କରି ଆସୁଛି । ସାନଖେମୁଣ୍ଡି ଏହାର ଏକ ବଡ ଉଦାହରଣ । କାରଣ ଗଞ୍ଜାମ ଜିଲ୍ଲାରୁ ଏକମାତ୍ର କଂଗ୍ରେସ ବିଧାୟକ ଭାବେ ଏହି ଆସନରୁ ନିର୍ବାଚିତ ହୋଇଛନ୍ତି ରମେଶ ଜେନା । ତେବେ ସାନଖେମୁଣ୍ଡିକୁ ଛାଡିଦେଲେ ଅନ୍ୟ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ଏତେଟା ଭଲ ନାହିଁ । ଏପରିକି ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଦଳକୁ ଶେଷ ପର୍ଯ୍ୟନ୍ତ କସରତ କରିବାକୁୂ ପଡିଛି । ଗତ ନିର୍ବାଚନରେ ଦଳ ଗଞ୍ଜାମରେ ମାତ୍ର ଗୋଟିଏ ଆସନ ହାତେଇଥିବା ବେଳେ ଚଳିତ ନିର୍ବାଚନରେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଲଢେଇ କରିବ ବୋଲି ଚର୍ଚ୍ଚା ହେଉଛି । କାରଣ ରାଜ୍ୟର ଦଳର ସ୍ଥିତି ଯାହା, ଜିଲ୍ଲାରେ ମଧ୍ୟ ଦଳର ସ୍ଥିତି ସେୟା । ତେଣୁ ଗଞ୍ଜାମରେ ବଳ ଜୁଟାଇ କଂଗ୍ରେସ ଯେ ବିଜେଡି ସହ ମୁକାବିଲା କରିପାରିବ ତାହାର ସମ୍ଭାବନା କ୍ଷୀଣ । ତେଣୁ ଏଭଳିସ୍ଥିତିରେ ଗଞ୍ଜାମରେ ନମ୍ବର-୨ ଦଳ କିଏ ହେବ ତାହା ଉପରେ ସମସ୍ତଙ୍କର ନଜର ରହିବ ।