ଢେଙ୍କାନାଳ ବାଜି ଜିତିବ କିଏ? ବିଜେଡି ଓ ବିଜେପିକୁ କାଳ ଗୋଷ୍ଠୀକନ୍ଦଳ, କଂଗ୍ରେସର ‘ହାତ’ ପୂରା ଦୁର୍ବଳ ।

243

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଉଠୁଛି ପଡୁଛି ଢେଙ୍କାନାଳ ରାଜନୀତି । କାରଣ ଗତ କିଛି ଦିନର ରାଜନୈତିକ ଦୃଶ୍ୟପଟ୍ଟ ଢେଙ୍କାନାଳ ରାଜନୀତିର ସମୀକରଣକୁ ଓଲଟପାଲଟ କରିଦେଇଛି । ଦଳବଦଳ ରାଜନୀତି ଏବେ ଢେଙ୍କାନାଳ ଭୋଟରଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି । ତେବେ ଏସବୁ ଭିତରେ ପଞ୍ଚାୟତ ପରୀକ୍ଷାରେ କିଏ ପାସ୍ କରୁଛି ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ତେବେ ଦଳୀୟ ଚିହ୍ନରେ ଲଢାଯାଉଥିବାରୁ ଜିଲ୍ଲା ପରିଷଦ ଆସନ ଏବେ ପ୍ରତି ଦଳର ଫୋକସରେ ରହିଛି ।

ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକରେ ମୋଟ ୨୭ଟି ଜିଲ୍ଲା ପରିଷଦ ଆସନ ପାଇଁ ପଡିବ ଭୋଟ । ମୋଟ ୮ ଲକ୍ଷ ୪୭ ହଜାରରୁ ଅଧିକ ଭୋଟରଙ୍କ ହାତରେ ରହିଛି ଉଭୟ ପ୍ରାର୍ଥୀ ଓ ନେତାଙ୍କ ଭାଗ୍ୟ । ଯେଉଁଥିପାଇଁ ଜିଲ୍ଲା ପରିଷଦ ଆସନ ହାତେଇବାକୁ ଏବେ ଏବେ ରାଜନୈତିକ ଦଳ ମଧ୍ୟରେ ବଳ କଷାକଷି ଆରମ୍ଭ ହେଲାଣି । କିନ୍ତୁ ଜିଲ୍ଲାରେ ବିଜେଡି ଓ ବିଜେପି ମଧ୍ୟରେ ହିଁ ଘମାଘୋଟ ଲଢେଇ ହେବ, କଂଗ୍ରେସ ଏକପ୍ରକାର ପଞ୍ଚାୟତ ଫାଇଟ ରେସରୁ ବାଦ୍ ପଡିଛି । ଗତ ୨ଟି ପଞ୍ଚାୟତ ନିର୍ବାଚନରେ ମଧ୍ୟ କିଛି ସେମିତି ସ୍ଥିତି ଦେଖିବାକୁ ମିଳିଥିଲା । ଉଭୟ ନିର୍ବାଚନରେ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲେ ମଧ୍ୟ ବିଜେପି କଡା ଟକ୍କର ଦେଇଥିଲା । ୨୦୧୭ରେ ବିଜେଡି ୧୫ଟି ଆସନ ହାତେଇଥିବା ବେଳେ ବିଜେପି ଖାତାକୁ ଆସିଥିଲା ୧୨ ଆସନ । ତେବେ ଉପ-ନିର୍ବାଚନ ପରବର୍ତ୍ତୀ ସମୀକରଣରେ ଏହି ସଂଖ୍ୟା ୧୬-୧୧କୁ ଆସିଥିଲା । କିନ୍ତୁ ଚଳିତଥର ନିର୍ବାଚନ ରୋଚକ ହେବାକୁ ଯାଉଛି । ଉଭୟ ବିଜେଡି ଓ ବିଜେପି ନିଜର ଏଜେଣ୍ଡାକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ କିନ୍ତୁ ଭୋଟର କାହାକୁ ଭରସା କରିବେ ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ । ଏସବୁ ଭିତରେ ଉଭୟ ଦଳ ପାଇଁ ଅଡୁଆ ସୃଷ୍ଟି କରିପାରେ ଅନ୍ତଃକନ୍ଦଳ । ଯାହା ଧୀରେ ଧୀରେ ଏବେ ସାମ୍ନାକୁ ଆସିଲାଣି ।

ବିଜେଡିରେ ସାଂସଦ-ବିଧାୟକଙ୍କ ଗୋଷ୍ଠୀ ମଧ୍ୟରେ ସବୁକିଛି ଠିକ୍ ନଥିବା ବେଳେ ଏହା ଦଳ ପାଇଁ ବୁମେରାଂ ହୋଇପାରେ । ଉପରସ୍ତରରେ ନେତାଙ୍କ ମଧ୍ୟରେ ଭଲ ସର୍ମ୍ପକ ଥିଲେ ମଧ୍ୟ ତୃଣମୂଳସ୍ତରରେ କର୍ମୀଙ୍କ ମଧ୍ୟରେ କଳହ ଉଗ୍ର ରୂପ ନେଇପାରେ । ସେହିଭଳି ହିନ୍ଦୋଳର ପୂର୍ବତନ ବିଧାୟିକା ଅଞ୍ଜଳୀ ବେହେରା ଏହା ଭିତରେ ଦଳ ଛାଡି ପଦ୍ମ ଧରିଥିବାରୁ ଏହା ପଞ୍ଚାୟତ ଫଳାଫଳକୁ ଭୟଙ୍କର ମାତ୍ରାରେ ପ୍ରଭାବିତ କରିପାରେ । କାରଣ ଗତଥର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ୪ଟି ଜୋନରୁ ୩ଟି ଆସନ ବିଜେଡି ହାତେଇଥିବା ବେଳେ ବିଜେପି ଖାତାକୁ ଗୋଟିଏ ଆସିଥିଲା । କିନ୍ତୁ ପ୍ରତି ଆସନରେ ପରାଜୟର ବ୍ୟବଧାନ ୧୦୦ରୁ ୩୦୦ ମଧ୍ୟରେ ରହିଥିଲା । ତେଣୁ ହିନ୍ଦୋଳରେ ଥିବା ୪ ଜୋନ୍ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ତେବେ ଏହି କ୍ଷତିର ଭରଣା କରିବାକୁ ଦଳ ଅଞ୍ଚଳୀଙ୍କ ଭାଇ ଅଶୋକ ନାଏକଙ୍କୁ ବିଜେଡିରେ ସାମିଲ କରିଛି । ଅନ୍ୟପଟେ ଏହି ଆସନରେ ବିଜେଡି ବିଧାୟିକା ରହିଥିବାରୁ ଦଳ ଏଠାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ । କିନ୍ତୁ ହିନ୍ଦୋଳରେ ବିଜେଡି ପାଇଁ ଅଡୁଆ ସାଜିପାରନ୍ତି ଅଞ୍ଚଳୀ ।

ଅନ୍ୟପଟେ ବିଜେପି ଗତଥର ୧୨ଟି ଆସନ ହାତେଇଥିବା ବେଳେ ଏଥର ଏହି ସଂଖ୍ୟାକୁ ବଢାଇବା ଲକ୍ଷ୍ୟ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । କିନ୍ତୁ ବିଜେପି ପାଇଁ ମଧ୍ୟ ସମାନ ସମସ୍ୟା ସୃଷ୍ଟି କରିବ ଗୋଷ୍ଠୀକନ୍ଦଳ । କାରଣ ଅଞ୍ଜଳୀ ବେହେରା ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ତୃଣମୂଳସ୍ତରର କର୍ମୀଙ୍କ ମଧ୍ୟରେ ସେ ଏତେଟା ଗ୍ରହଣୀୟ ହୋଇପାରିନାହାନ୍ତି । ତେଣୁ ବିଜେପିରେ ମଧ୍ୟ ସମାନ୍ତରଳ ସଙ୍ଗଠନ ମୁଣ୍ଡ ଟେକିଛି । ତେଣୁ କର୍ମୀ କେଉଁ ନେତୃତ୍ୱଙ୍କୁ ଭରସିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି । କିନ୍ତୁ ଏସବୁ ଭିତରେ ୨୦୨୪ ନିର୍ବାଚନରେ ଅଞ୍ଜଳୀ ବେହେରା ବିଜେପି ଲାଗି କେତେ ଫଳପ୍ରଦ ହେବେ ତାର ପ୍ରମାଣ ପଞ୍ଚାୟତ ଫଳାଫଳ ବୟାନ କରିବ ।

ଜିଲ୍ଲାରେ କଂଗ୍ରେସର ସେଭଳି ଆଧିପତ୍ୟ ନଥିବାର ପ୍ରମାଣ ୨୦୧୨ ଏବଂ ୨୦୧୭ ନିର୍ବାଚନରୁ ସ୍ପଷ୍ଟ ହୋଇସାରିଛି । ଢେଙ୍କାନାଳ ରାଜା ତଥା କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଗ୍ରେଡିୟର କେ.ପି ସିଂହଦେଓ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ବେଳେ ଜିଲ୍ଲା କଂଗ୍ରେସ ମଧ୍ୟ ଦିଗହରା ହୋଇପଡିଛି । ଦଳର ଛାମୁଆ ନେତା ଏବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ବିଜେପି ମୁହାଁ । ତେବେ କଂଗ୍ରେସ ଦଳର ଥିବା କିଛି ପାରମ୍ପରିକ ଭୋଟକୁ ହାତେଇବାକୁ ଏବେ ସ୍ଥାନୀୟ ନେତାଙ୍କ ସହ ବିଜେଡି ଓ ବିଜେପି ନେତାଙ୍କ ଡିଲ ଆରମ୍ଭ ହୋଇଛି । ତେଣୁ ଚଳିତ ନିର୍ବାଚନରେ ଦଳ କିଭଳି ନିଜର ଅସ୍ତିତ୍ୱ ବଞ୍ଚାଇବ ତାହା ସବୁଠୁ ବଡ ଚ୍ୟାଲେଞ୍ଜ । ଏଭଳି ରାଜନୈତିକ ସମୀକରଣ ଏବେ ଢେଙ୍କାନାଳ ରାଜନୀତିକୁ ଏକ ନୂଆ ମୋଡରେ ଛିଡା କରିଛି ।