କନକ ବ୍ୟୁରୋ : ପଞ୍ଚାୟତ ଭୋଟ ପାଇଁ ସମୟ ଯେତିକି ପାଖେଇ ଆସୁଛି, ଗାଁ ଗହଳିରେ ରାଜନୀତି ସେତିକି ରୋଚକ ହେଉଛି । ଆଉ ସିଲଭର ସିଟି ଏଥିରୁ ବାଦ୍ ପଡନ୍ତା ବି କିପରି? ସିଲଭର ସିଟି କଟକର ସିଏମସି ଅଞ୍ଚଳକୁ ଛାଡିଦେଲେ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନର ମାହୋଲ ଉଷ୍ମ ରହିଛି । ରାଜନୈତିକ ଦୃଷ୍ଟିକୋଣରୁ କଟକରେ ବିଜୟ ଧ୍ୱଜା ଉଡାଇବା ସବୁ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରିଥାଏ । ଆଉ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ କିଛି ସେମିତି ବାତାବରଣ ଦେଖିବାକୁ ମିଳୁଛି । ୨୦୧୭ ତୁଳନାରେ ୨୦୨୨ ନିର୍ବାଚନରେ ଜିଲ୍ଲା ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଉ ଏହାର ପ୍ରଭାବ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଚଳିତ ଥର ସବୁ ରାଜନୈତିକ ଦଳ ଜିଲ୍ଲା ପରିଷଦ ଆସନ ଉପରେ ଫୋକସ କରୁଛନ୍ତି, ତେଣୁ କିଏ କେତୋଟି ଆସନ ଅକ୍ତିଆର କରିବ ତାହାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହେଲାଣି ।
କଟକରେ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବିଜୟ ବାନା ଉଡାଇଥିଲା । ୪୬ଟି ଜିଲ୍ଲା ପରିଷଦ ଜୋନରୁ ଏକାକୀ ୩୭ଟି ହାତେଇବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା ବିଜେଡି । ବିଜେପି ଏଠାରେ ୮ଟି ଆସନ ହାତେଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଥିଲା ଗୋଟିଏ ଜୋନ । କଂଗ୍ରେସ ଏଠାରେ ଖାତା ଖୋଲି ପାରିନଥିଲା । କିନ୍ତୁ ୨୦୧୭ ନିର୍ବାଚନର ପୁନରାବୃତ୍ତି ଯେ ୨୦୨୨ରେ ଦେଖିବାକୁ ମିଳିବ ତାହା ଏବେ ବି ସସପେନ୍ସରେ । କାରଣ କଂଗ୍ରେସର ଟାଣୁଆ ନେତା ପ୍ରକାଶ ବେହେରା ଏହା ଭିତରେ ବିଜେପି କ୍ୟାମ୍ପରେ ଯୋଗ ଦେଇଥିବା ବେଳେ ବିଜେଡି ପାଇଁ ଅଡୁଆ ସାଜିପାରେ ଗୋଷ୍ଠୀ କନ୍ଦଳ । ଏହାବାଦ୍ ଜିଲ୍ଲାର ଅନେକ ଦଳୀୟ ନେତା ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇପଡିଥିବାରୁ ବିଜେଡି ପାଇଁ ଏହା ବୁମେରାଂ ହୋଇପାରେ । ଖାସକରି ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା ବିବାଦୀୟ ହୋଇଥିବା ବେଳେ ଏହା କିଛି ମାତ୍ରାରେ ଦଳୀୟ ଭୋଟବ୍ୟାଙ୍କକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି । ସେହିଭଳି ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମଧ୍ୟ ନିଜ ନିର୍ବାଚନମଣ୍ଡଳୀରେ ଚାପା ବିରୋଧର ସମ୍ମୁଖୀନ ହେଉଛନ୍ତି । ତେଣୁ ଦଳ ଏଠାରେ କେମିତି ପ୍ରଦର୍ଶନ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ସେହିଭଳି ଆଠଗଡରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ କିଛି ମାତ୍ରାରେ ଜନ ଅସନ୍ତୋଷ ରହିଛି, ତେଣୁ ଏହାକୁ ପ୍ରଶମିତ କରିବା ବିଜେଡି କ୍ୟାମ୍ପ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ଏହାବାଦ୍ ସାଲେପୁରରେ ବିରୋଧୀଙ୍କ ରଣନୀତି ବିଜେଡି କ୍ୟାମ୍ପକୁ ଅଡୁଆରେ ପକାଇପାରେ । ଏଭଳି ସ୍ଥଳେ ଦେଖିବାକୁ ଗଲେ କେବଳ ନିଆଳିରେ ଦଳର ସ୍ଥିତି ଭଲ ରହିଛି । କିନ୍ତୁ ଏଠାରେ ଅନ୍ତଃକନ୍ଦଳ ଦଳ ପାଇଁ ସବୁଠୁ ବଡ ବିପଦ ହୋଇ ଛିଡା ହୋଇଛି । ଜିଲ୍ଲାରେ ଦଳର ମଙ୍ଗ ଦେବାଶିଷ ସାମନ୍ତରାୟଙ୍କ ହାତରେ ରହିଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ବଡ ଧରଣର ପ୍ରଭାବ ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରତି ନିର୍ବାଚନମଣ୍ଡଳୀରେ ଦଳର ହେଭିୱେଟ ନେତା ରହିଛନ୍ତି, ଯେଉଁମାନେ ନିଜ ସଙ୍ଗଠନ ବଳରେ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏହି ଫର୍ମୁଲା ଦଳ ପାଇଁ କେତେ ଉପଯୋଗୀ ସାବ୍ୟସ୍ତ ହେବ ତାହା ଆଗାମୀ ପଞ୍ଚାୟତ ନିର୍ବାଚନ ଫଳାଫଳ କହିବ ।
ଅନ୍ୟପଟେ ଗତ ନିର୍ବାଚନ ଅପେକ୍ଷା ଚଳିତ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାରେ ବିଜେପି ନିଜର ସଙ୍ଗଠନକୁ ଆହୁରି ମଜବୁତ କରିଛି । କାରଣ ବିଜେପି କ୍ୟାମ୍ପରେ କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା ସାମିଲ ହୋଇଥିବା ବେଳେ ଏହା ଦଳକୁ ଆହୁରି ସଙ୍ଗଠିତ କରିଛି । ପ୍ରକାଶଙ୍କ ହାତରେ ଦଳର ମଙ୍ଗ ରହିଥିବା ବେଳେ ବିଜେଡିକୁ ଘେରିବାକୁ ଦଳ ପାଖରେ ବଡ ବଡ ପ୍ରସଙ୍ଗ ରହିଛି । ଯାହା ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବେଶ ସୁହାଇବ ବୋଲି କୁହାଯାଉଛି । ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ସମବାୟରେ ଦୁର୍ନୀତି ଅଭିଯୋଗ ଭଳି ପ୍ରସଙ୍ଗ ବିଜେପି ପାଇଁ କଟକରେ ସୁଯୋଗ ସୃଷ୍ଟି କରିଛି । ତେବେ ଦଳ ଭିତରେ ଅନ୍ତଃକନ୍ଦଳ ନଥିଲେ ମଧ୍ୟ ନେତୃତ୍ୱର ଅଭାବ ଦଳର ସଫଳତା ଉପରେ ସସପେନ୍ସର ପରଦା ଢାଙ୍କିଛି । ଏହାବାଦ୍ ବିଜେପିର ଟାଣୁଆ ନେତା ସମୀର ଦେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଦଳକୁ ସେତେଟା ସମୟ ଦେଇପାରୁନାହାନ୍ତି । ଅନ୍ୟପଟେ ପୂର୍ବଥର ବିଜେପିରୁ ପ୍ରକାଶ ମିଶ୍ର ସାଂସଦ ପ୍ରାର୍ଥୀ ହୋଇ ହାରିଥିଲେ ସୁଦ୍ଧା ଦଳ ସାଂଗଠନିକ କାର୍ଯ୍ୟରୁ ଅନେକ ସମୟରେ ଦୂରେଇ ରହିବା ଦଳକୁ କେଉଁଠି ନା କେଉଁଠି ପଞ୍ଚାୟତ ଲଢେଇରେ ପଛୁଆ କରିଛି ।
ସେହିଭଳି ଗତ ନିର୍ବାଚନରେ କଟକ ଜିଲ୍ଲାରେ ଖାତା ଖୋଲିପାରିନଥିବା କଂଗ୍ରେସ ଚଳିତଥର ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ରହିଛି । ଦଳ ତୃଣମୂଳସ୍ତରରେ ପହଞ୍ଚିବା ଉପରେ ଗୁରୁତ୍ୱ ଦେଉଥିବାର ଚଳିତ ନିର୍ବାଚନରେ କିଛି ମାତ୍ରାରେ ଶାସକ ବିଜେଡି ଓ ବିଜେପି ଦଳକୁ ଟକ୍କର ଦେବ ବୋଲି କୁହାଯାଉଛି । କଂଗ୍ରେସ ସଙ୍ଗଠନର ମଙ୍ଗ ମାନସ ଚୌଧୁରୀ ଧରିଥିବା ବେଳେ କଂଗ୍ରେସ କଟକରେ ପୁଣିଥରେ କମବ୍ୟାକ କରିବାକୁ ଆଶା ବାନ୍ଧିଛି । ବିଜେପି ଭଳି କଂଗ୍ରେସର ମଧ୍ୟ ନେତୃତ୍ୱ ଅଭାବ ଦଳକୁ ବ୍ୟାକଫୁଟକୁ ଠେଲିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଜିଲ୍ଲା ସଭାପତି ମାନଓ ଚୌଧୁରୀଙ୍କ ସହ ଜିଲ୍ଲାର ଦଳୀୟ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଉ ଏହା ମଧ୍ୟ ଦଳ ପାଇଁ ବୁମେରାଂ ହୋଇପାରେ । ମୋଟ ଉପରେ କଟକ ଜିଲ୍ଲାରେ ବିଜେଡିର ପଲ୍ଲା ଭାରି ରହିଛି ସତ କିନ୍ତୁ ଏକାଧିକ ପ୍ରାର୍ଥୀ ବିଜେଡି ସମର୍ଥନ ପାଇବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ତେଣୁ ଦଳୀୟ ଭୋଟ ବିଭାଜନର ବଡ ଆଶଙ୍କା ରହିଛି । ଆଉ ଏଥିରୁ ଫାଇଦା ନେବାକୁ ସୁଯୋଗ ଖୋଜୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।