ହାଇପ୍ରୋଫାଇଲ ଆସନରେ ହେବ ହାଇଭୋଲଟେଜ ଲଢେଇ!ବାପାଙ୍କ ଆସନରୁ ବିଜେଡି ଟିକେଟରେ ଲଢିବେ ପୁଅ, ନରସିଂହଙ୍କୁ ଟକ୍କର ଦେଇପାରିବେ ତ ଅର୍କେଶ?

358

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ହାଇପ୍ରୋଫାଇଲ ବିଧାନସଭା ଆସନ ବଲାଙ୍ଗୀର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୁଣିଥରେ ରାଜପରିବାରର ସଦସ୍ୟଙ୍କ ଉପରେ ଭରସା କରିଛି ଦଳ । ବାପାଙ୍କ ଆସନରେ ପୁଅଙ୍କୁ ସାମ୍ନାକୁ ଆଣିଛନ୍ତି ବିଜେଡି ସୁପ୍ରିମୋ । ପଶ୍ଚିମ ଓଡିଶାର ହେଭିୱେଟ କୁହାଯାଉଥିବା ଅନଙ୍ଗ ଉଦୟ ସିଂହଦେଓଙ୍କ ବଦଳରେ ତାଙ୍କ ସାନପୁଅ ଅର୍କେଶ ସିଂହଦେଓଙ୍କୁ ଟିକେଟ ଦେଇଛି ଦଳ । ଗତଥର ଏହି ଆସନରୁ ବାପା ଅନଙ୍ଗ ଉଦୟ ଲଢିଥିବା ବେଳେ ଚଳିତଥର ଏହି ଆସନର ମଙ୍ଗ ଧରିଛନ୍ତି ପୁଅ ଅର୍କେଶ ସିଂହଦେଓ ।

ପ୍ରଥମ ପର୍ଯ୍ୟାୟରେ ଦଳ ୫୪ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବଲାଙ୍ଗୀର ଆସନକୁ ନେଇ ବଡ ଦ୍ୱନ୍ଦରେ ପଡିଥିଲା । ଏପରିକି ଏହି ହାଇପ୍ରୋଫାଇଲ ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ କନଫ୍ୟୁଜନ ଦେଖାଦେଇଥିଲା । ଏପରିକି ସାନପୁଅ ଅର୍କେଶଙ୍କ ରାଜନୈତିକ କ୍ୟାରିୟର ଗଢିବା ପାଇଁ ନିଜେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ ଅନଙ୍ଗ ଉଦୟ ସିଂହଦେଓ । କିନ୍ତୁ ଅର୍କେଶଙ୍କୁ ନେଇ ବଲାଙ୍ଗୀର ବାଜି ଖେଳିବାକୁ ପଛାଇଥିଲା ଦଳ । ଏହାଛଡା ନବୀନଙ୍କ ମହିଳା କୋଟାରେ ବଲାଙ୍ଗୀର ଆସନରୁ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡିଥିଲେ ଶ୍ରୀମୟୀ ମିଶ୍ର । ଏପରିକି ଦଳର ଗୋଟିଏ ଗୋଷ୍ଠୀ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବାକୁ ନବୀନ ନିବାସରେ ଲବି ମଧ୍ୟ ଆରମ୍ଭ କରିଥିଲେ । ଯେଉଁଥିପାଇଁ ବଲାଙ୍ଗୀର ଆସନକୁ ନେଇ ଦ୍ୱନ୍ଦରେ ପଡିଥିଲା ଦଳ ।

ଏହାଛଡା କଂଗ୍ରେସ ଟିକେଟରୁ ବରିଷ୍ଠ ତଥା ରାଜ୍ୟ ରାଜନୀତିର ହେଭିୱେଟ ନେତା ନରସିଂହ ମିଶ୍ର ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ଟକ୍କର ଦେବା ଭଳି ପ୍ରାର୍ଥୀଙ୍କୁ ମୈଦାନକୁ ଆଣିବାକୁ ଅଙ୍କ କଷୁଥିଲା ବିଜେଡି । ତେବେ ଅନଙ୍ଗ ନିଜେ ଲଢୁ ନଥିବା ବେଳେ ତାଙ୍କ ପୁଅଙ୍କୁ ଟିକେଟ ଦେବାକୁ ନବୀନ ନିବାସରେ ଲବି ଆରମ୍ଭ କରିଥିଲେ । ଆଉ ନିଜ ବାଲ୍ୟବନ୍ଧୁ ଅନଙ୍ଗଙ୍କ କଥା ରକ୍ଷା କରି ଅର୍କେଶଙ୍କୁ ବିଜେଡି ସୁପ୍ରିମୋ ନବୀନ ଟିକେଟ ଦେଇଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ବଲାଙ୍ଗୀର ଲୋକସଭା ଆସନ ପାଇଁ ଅନଙ୍ଗଙ୍କ ବଡ ପୁଅ କଳିକେଶଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ବିଜେଡିର ଟିକେଟ ଘୋଷଣା ପରେ ବଲାଙ୍ଗୀର ଆସନରୁ କେଉଁ ଦଳରୁ କେଉଁ ଯୋଦ୍ଧା ମୈଦାନକୁ ଓହ୍ଳାଇବେ ତାହା ସ୍ପଷ୍ଟ ହୋଇଯାଇଛି । ପଶ୍ଚିମ ଓଡିଶାର ଏହି ହାଇପ୍ରୋଫାଇଲ ଆସନରୁ ବିଜେଡି ସିପାହୀ ଭାବେ ଅର୍କେଶ ନିର୍ବଚନ ରଣଭୂମିକୁ ଓହ୍ଳାଉଥିବା ବେଳେ କଂଗ୍ରେସର ଯୋଦ୍ଧା ଭାବେ ମୈଦାନକୁ ଓହ୍ଲାଇବେ ହେଭିୱେଟ ନରସିଂହ ମିଶ୍ର । ସେହିଭଳି ବିଜେପି ମଧ୍ୟ ଏହି ଆସନର ଭାର ଅନନ୍ତ ଦାଶଙ୍କ କାନ୍ଧରେ ଦେଇଛି । ତେଣୁ ଏହି ଆସନରେ କଡା ଟକ୍କ୍ର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।