ବଲାଙ୍ଗୀରରେ ହେବ ବିଗ୍ ଫାଇଟ । ରାଜପରିବାରର ଦୁଇ ଭାଇଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀ ସାଜିଛନ୍ତି ମିଶ୍ର ପରିବାରର ବାପା-ପୁଅ ଯୋଡି, କାହାକୁ ଭରସା କରିବେ ଭୋଟର?

262

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଫୋକସରେ ରହିଛି ବଲାଙ୍ଗୀର ଆସନ । ବଲାଙ୍ଗୀରର ଉଭୟ ଲୋକସଭା ଓ ବିଧାନସଭା ଆସନରେ ରାଜପରିବାରର ଦୁଇ ଭାଇଙ୍କ ସହ ଲଢିବେ ମିଶ୍ର ପରିବାରର ବାପା-ପୁଅ ଯୋଡି । ଯାହା ବଲାଙ୍ଗୀର ରାଜନୀତିକୁ ରୋଚକ ସ୍ଥିତିକୁ ଟାଣି ଆଣିଛି । ପ୍ରଥମ ଥର ପାଇଁ ଦୁଇ ଭାଇଙ୍କ ସହ ଲଢିବେ ବାପା-ପୁଅ ଯୋଡି । ଆଉ ଏହି ଲଢେଇରେ ରାଜପରିବାରର ବିଜୟ ହେଉଛି ନା ମିଶ୍ର ପରିବାରର ବିଜୟ ହେଉଛି ତାହା ଉପରେ ପୂରା ଜିଲ୍ଲାବାସୀଙ୍କ ନଜର ରହିଛି ।

ବଲାଙ୍ଗୀର ଲୋକସଭା ଆସନ ପାଇଁ ବିଜେଡି ପଶ୍ଚିମ ଓଡିଶାର ହେଭିୱେଟ ତଥା ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ ନାରାୟଣ ସିଂହଦେଓଙ୍କୁ ମୈଦାନକୁ ଓହ୍ଲାଇଛି । ଆଉ ରାଜପରିବାରର ଦବଦବାକୁ ମାତ୍ ଦେବାକୁ କଂଗ୍ରେସ ରାଜ୍ୟ ରାଜନୀତିରେ ପୋଖତ ଖେଳୁଆଡର ପରିଚୟ ଦେଇଥିବା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରଥମ ଥର ନିର୍ବାଚନରେ ଡେବ୍ୟୁ କରାଇଛି । ପୂର୍ବରୁ ଏହି ଆସନ ରାଜପରିବାରର ଗଡ ଭାବରେ ରହି ଆସିଥିବାରୁ ଏହାକୁ ଭେଦ କରିବାକୁ ନବାଗତ ଯୋଦ୍ଧାକୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । କିନ୍ତୁ ଲଗାତାର ଦୁଇଥର ବିଜୟୀ ହୋଇ ଆସିଥିବା କଳିକେଶ ମଧ୍ୟ ନିର୍ବାଚନ ବାଜି ଜିତିବା ପାଇଁ ଭିନ୍ନ ରଣନୀତି କରିଛି । ଏପରିକି ବିଜୟର ହ୍ୟାଟ୍ରିକ ମାରିବାକୁ କଳିକେଶ ଅଙ୍କ କଷୁଛନ୍ତି ।

ସେହିଭଳି ବଲାଙ୍ଗୀର ବିଧାନସଭା ଆସନରେ ସିଂହ ସାଙ୍ଗିଆ ଧାରୀ ଓ ସିଂହ ନାମଧାରୀଙ୍କ ମଧ୍ୟରେ ସିଂହାସନ ଦଖଲ କରିବା ପାଇଁ ହେବ ଲଢେଇ । କ୍ଷମତା ଲଢେଇରେ ବାଜି ମାରିବାକୁ ଅଭିଜ୍ଞ ନରସିଂହ ମିଶ୍ର ଓ ନବାଗତ ଅର୍କେଶ ସିଂହଦେଓଙ୍କ ମଧ୍ୟରେ ଦେଖିବାକୁ ମିଳିବ ବିଗ୍ ଫାଇଟ । ବିଜେଡି ଏହି ଆସନରୁ ଏୟୁ ସିଂହଦେଓଙ୍କ ସାନପୁଅ ତଥା ରାଜନୀତିରେ ନୂଆ କରି ଏଣ୍ଟ୍ରି ମାରିଥିବା ଅର୍କେଶଙ୍କୁ ନିର୍ବାଚନ ରଣଭୂମିକୁ ଓହ୍ଲାଇଥିବା ବେଳେ କଂଗ୍ରେସରୁ ଅଭିଜ୍ଞ ଯୋଦ୍ଧା ନରସିଂହଙ୍କୁ ମୈଦାନକୁ ଓହ୍ଲାଇଛନ୍ତି । ତେଣୁ ଏହି ଆସନରେ ମଧ୍ୟ ରାଜପରିବାର ଓ ମିଶ୍ର ପରିବାର ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ଏହି ଆସନରେ ଅଭିଜ୍ଞ ନରସିଂହ ରାଜପରିବାରର ବିଜୟଧାରାରେ ବ୍ରେକ ଲଗାଇଥିବା ବେଳେ ପୁଣିଥରେ ଏହାର ପୁନରାବୃତ୍ତି କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୧୪ରେ ବଲାଙ୍ଗୀର ରାଜା ଅନଙ୍ଗଉଦୟଙ୍କୁ ମାତ୍ ଦେଇ ନରସିଂହ ନିର୍ବାଚନ ରଣଭୂମିରେ ବିଜୟ ବାନା ଉଡାଇଥିଲେ । କିନ୍ତୁ ଚଳିତଥର କଂଗ୍ରେସରୁ ନରସିଂହ ମୈଦାନରେ ଥିବା ବେଳେ ବିଜେଡି ଶିବିରରୁ ବାପାଙ୍କ ବଦଳରେ ମୈଦାନକୁ ଓହ୍ଲାଇଛନ୍ତି ପୁଅ । ତେଣୁ ଏହି ନୂଆ ରଣନୀତିରେ ବିଜେଡି କେତେ ସଫଳ ହେଉଛି ତାହା ଦେଖିବା ବାକି ରହିଲା ।