ବାଲେଶ୍ୱରରେ ବିଗ୍ ଫାଇଟ୍ । ବିଶାଳ ରାଲିରେ ଶକ୍ତି ପ୍ରଦର୍ଶନ କଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ, ନାମାଙ୍କନ ଭରିଲେ ନବଜ୍ୟୋତି ପଟ୍ଟନାୟକ ।

171

କନକ ବ୍ୟୁରୋ: ବାଲେଶ୍ୱର ଲୋକସଭା ଆସନରେ ବିଗ୍ ଫାଇଟ୍ । ନାମାଙ୍କନ ଭରିଲେ ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାଳୟକୁ ନିଜର ସମର୍ଥକଙ୍କ ବିଶାଳ ରାଲି କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବଜ୍ୟୋତି ପଟ୍ଟନାୟକ । ତେବେ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଥିବା ନବଜ୍ୟୋତି ଶକ୍ତି ପ୍ରଦର୍ଶନ କରିଛନ୍ତି । ବାଲେଶ୍ୱରରେ ଏକ ବିଶାଳ ରାଲି କରି ବିରୋଧୀଙ୍କୁ ଦମ୍ ଦେଖାଇଛନ୍ତି ନବଜ୍ୟୋତି ।

ବାଲେଶ୍ୱର ଲୋକସଭା ପାଇଁ କଂଗ୍ରେସ କାର୍ଡ ଖୋଲିବାପରେ ବିରୋଧୀ ଶିବିରରେ ଛକାପଞ୍ଝା ଲାଗି ରହିଛି । ‘ହାତ’ରୁ ଶ୍ରୀକାନ୍ତ ଜେନା ବିଦା ହେବାପରେ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା । ଯାହାର ପରଦା ଉଠାଇ ନବଜ୍ୟୋତିଙ୍କୁ କଂଗ୍ରେସ ଟିକେଟ୍ ମିଳିବା ପରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବଜ୍ୟୋତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ନିର୍ବାଚନୀ ମୈଦାନ ପାଇଁ କଂଗ୍ରେସ ହାଇକମାଣ୍ଡ ବାଛିବାପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ନବଜ୍ୟୋତି ।

ସେପଟେ ଆସନ୍ତା ୨୯ ତାରିଖ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ରରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ତେଣୁ ଉଭୟ ଶାସକ ବିଜେଡି ଦଳର ପ୍ରାର୍ଥୀ ରବିନ୍ଦୟ୍ର ଜେନା ଓ ବିଜେପିର ହେଭିୱେଟ ପ୍ରତାପ ଷଡ଼ଙ୍ଗୀଙ୍କୁ ଚେକ୍ ଦେବା ପାଇଁ ନବାଗତ ନବଜ୍ୟୋତିଙ୍କ ହାତରେ କଂଗ୍ରେସ ମଙ୍ଗ ଧରାଇ ନିର୍ବାଚନୀ ବୈତରଣୀ ପାର ହେବାକୁ ବଳ କଷୁଛନ୍ତି କଂଗ୍ରେସ ହାଇକମାଣ୍ଡ । ଏନେଇ ନବଜ୍ୟୋତି ମଧ୍ୟ କହିଛନ୍ତି କି, ବାଲେଶ୍ୱରବାସୀଙ୍କ ବିପୁଳ ସମର୍ଥନ ମୋ ସହିତ ରହିଛି ତାଙ୍କ ଆଶିର୍ବାଦ ନେଇ ମୁଁ ନାମାଙ୍କନ ପତ୍ର ଦାଖଲ କରିଛି ଏବଂ ତାଙ୍କ ଆଶିର୍ବାଦ ପାଇ ନିଶ୍ଚୟ ବିଜୟ ହେବି ବୋଲି କହିଛନ୍ତି ନବଜ୍ୟୋତି ।