କନକ ବ୍ୟୁରୋ : କୁହାଯାଏ ମାଘ ମାସରେ ବାଘ ଭଳି ଶୀତ ହୁଏ । କିନ୍ତୁ ଚଳିତଥର ମାଘ ମାସରେ ଉଷ୍ମତା ବଢିଲାଣି । ଆଉ ତାହା ବି ପୁଣି ପଞ୍ଚାୟତ ନିର୍ବାଚନକୁ ନେଇ । ଆଉ ଏହାର ଝଲକ ରାୟଗଡାରେ ଦେଖିବାକୁ ମିଳୁଛି । ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାୟଗଡା ରାଜନୀତି ବେଶ ଚଳଚଞ୍ଚଳ । ଜିଲ୍ଲା ରାଜନୀତିରେ ଏଥର କିଏ ରାଜମୁକୁଟ ପିନ୍ଧିବ ତାହାର ଅନ୍ଦାଜ ଲଗାଇବା କଷ୍ଟକର ହୋଇପଡିଛି । କାରଣ ଗତଥରର ନିର୍ବାଚନ ଫଳାଫଳ କିଛି ସେମିତି ସଂକେତ ଦେଇଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ବିଜେଡି-ବିଜେପି ମଧ୍ୟରେ ଫାଇଟ୍ ହେଉଥିଲା, କିନ୍ତୁ ରାୟଗଡାରେ ଶାସକ ଦଳ ସହ କେବଳ କଂଗ୍ରେସ ଲଢିନଥିଲା ବରଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମଧ୍ୟ ହାତେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି କ୍ୟାମ୍ପକୁ ଆସିଥିଲା । ଆଉ ଏହି ୫ ବର୍ଷ ଭିତରେ ଜିଲ୍ଲା ରାଜନୀତିରେ ଏମିତି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ଯାହା ରାୟଗଡା ରାଜନୀତିକୁ ରୋଚକ କରିଛି । ଖାସକରି ଚଳିତଥର ବିଜେଡି ପାଇଁ ପଞ୍ଚାୟତ ନିର୍ବାଚନ ବେଶ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ।
ଦିନେ ରାୟଗଡା ବିଜେଡି କହିଲେ, ରାଜ୍ୟସଭା ସାଂସଦ ଥିବା ଏନ୍ ଭାସ୍କର ରାଓଙ୍କୁ ବୁଝାଉଥିଲା । କିନ୍ତୁ ପରିବର୍ତ୍ତିତ ରାଜନୀତି ପାଣିପାଗ ଏନ୍ ଭାସ୍କର ରାଓଙ୍କୁ ପାୱାର ପଲିଟିକ୍ସରୁ ଏକପ୍ରକାର ଦୂରେଇ ଦେଇଥିବା ଚର୍ଚ୍ଚା ହେଉଛି । କାରଣ ଟିକେଟ ବଣ୍ଟନ ଠାରୁ ଆରମ୍ଭ କରି ପଞ୍ଚାୟତ ନିର୍ବାଚନ ପରିଚାଳନାର ସମସ୍ତ ନିଷ୍ପତ୍ତି ଜିଲ୍ଲା ସଭାପତି ସୁଧୀର ଦାସ ନେଉଥିବା ଦେଖାଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋଲନରା ବ୍ଲକରେ । ଏହି ବ୍ଲକର ଜଣେ ଆଗଧାଡ଼ିର ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯିଏକି ଭାସ୍କର ରାଓଙ୍କ ମୁଖ୍ୟ ଅନୁଗତ ଭାବେ ଜଣାଶୁଣା ବାନାଗାଡି ତିରୁପତିଙ୍କୁ ଟିକଟ ମିଳିନଥିବା ବେଳେ କଂଗ୍ରେସ ଛାଡି ଦଳରେ ଯୋଗ ଦେଇଥିବା ଜଣେ ନେତାଙ୍କୁ ବିଜେଡି ଟିକଟ ଦେଇଛି । ଯାହାକୁ ନେଇ ଜିଲ୍ଲା ବିଜେଡିରେ ଅସନ୍ତୋଷ ଏବେ ଦାନା ବାନ୍ଧୁଥିବା ଦେଖିବାକୁ ମିଳୁଛି ।
ଗତଥର ବିଜେଡି ୨୨ଟି ଜିଲ୍ଲା ପରିଷଦ ଆସନରୁ ମାତ୍ର ୮ଟି ଦଖଲ କରିଥିଲା । ଯେଉଁଥିପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବାରୁ ମାତ୍ର କେଇପାଦ ଦୂରରେ ରହିଥିଲା । କିନ୍ତୁ ପରବର୍ତ୍ତିତ ରାଜନୈତିକ ପାଣିପାଗ ବିଜେଡିକୁ ପୁଣିଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦେବା ସହ ପାୱାର କରିଡରକୁ ଫେରାଇଥିଲା । ଯାହାକୁ ବଜାୟ ରଖିବା ଏବେ ଦଳ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । କାରଣ ରାୟଗଡା ବିଜେଡି ରାଜନୀତିରେ ଏବେ ଅସନ୍ତୋଷ ଦାନା ବାନ୍ଧୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ରାଜନୀତିରେ ପ୍ରଭାବଶୂନ୍ୟ ହୋଇପଡିଥିବା ଏନ୍ ଭାସ୍କର ରାଓଙ୍କ କ୍ୟାମ୍ପରେ ଗତ କିଛି ଦିନ ପୂର୍ବେ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଦେଖିବାକୁ ମିଳିଥିଲା । ସେମିତିରେ ମକରନ୍ଦଙ୍କ ସମର୍ଥକ ଏହା ଭିତରେ ବିଜେଡି କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି କିନ୍ତୁ ନିଜେ ମକରନ୍ଦ ଏଯାଏଁ ବିଧିବଦ୍ଧ ଭାବେ ସବୁଜ ଶିବିରରେ ଏଣ୍ଟ୍ରି କରିନାହାନ୍ତି । ତେଣୁ ପଞ୍ଚାୟତ ନିର୍ବାଚନରେ ମକରନ୍ଦଙ୍କ ଆଭିମୁଖ୍ୟ କଣ ରହିବ ତାହା ଏଯାବତ ସ୍ପଷ୍ଟ ହୋଇପାରୁନାହିଁ । ଯାହା ବିଜେଡିର ଚିନ୍ତାକୁ ଦ୍ୱିଗୁଣିତ କରିଛି ।
ଅନ୍ୟପଟେ ଗତଥର କଂଗ୍ରେସ ୧୦ଟି ଆସନ ଜିତି ପରିଷଦ ଗଠନ କରିଥିବା ବେଳେ ଅଧକ୍ଷ ଥିବା ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁପରେ ବିଜେଡି କ୍ରସ ଭୋଟିଂ କରାଇ ଉପ-ନିର୍ବାଚନରେ ଅଧକ୍ଷ ପଦ ହାତେଇ ଥିଲା । ତେବେ ରାଜନୈତିକ ପାଣିପାଗ ବଦଳିବା ସହ ଅନେକ କଂଗ୍ରେସ ନେତା ବିଜେଡ଼ିରେ ମିଶିବା ଏବେ ଦଳର ପୂର୍ବ ସଫଳତାର ପୁନରାବୃତ୍ତି ହେବା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ତେବେ ଦଳର ପାରମ୍ପରିକ ଭୋଟ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଗତିବିଧି କଂଗ୍ରେସର ହାତକୁ ଏଯାବତ ଟାଣ କରି ରଖିଛି । ଦଳ ନିର୍ଦ୍ଦିଷ୍ଟ ଗୋଟିଏ ନିର୍ବାଚନମଣ୍ଡଳୀ ନୁହେଁ ବରଂ ସବୁ ଅଞ୍ଚଳରେ ସକ୍ରିୟ ରହିବା ବିଜେଡିର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହାଛଡା ବିଜେଡିରେ ଥିବା ଅନ୍ତଃକନ୍ଦଳର ଫାଇଦା ନେବାକୁ ଦଳ ପକ୍ଷରୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି । କିନ୍ତୁ କଂଗ୍ରେସ ପକ୍ଷରୁ ହେଉଥିବା ଏହି ଉଦ୍ୟମ କେତେ ମାତ୍ରାରେ ଦଳକୁ ଫାଇଦା ଦେବ ତାହା ଅସ୍ପଷ୍ଟ । ଆଉ ଏହା ପଛର ବଡ କାରଣ ହେଲା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ନୀରବତା ।
ସେହିଭଳି ଗତ ପଞ୍ଚାୟତ ନିର୍ବାଚନରେ ୪ଟି ଆସନ ଅକ୍ତିଆର କରି ଖାତା ଖୋଲିଥିବା ବିଜେପି ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ ବେଶ ଆଶାବାଦୀ ରହିଥିଲା । କିନ୍ତୁ ସମୟ ବିତିବା ସହ ଏହି ଆଶା ମଧ୍ୟ ମଉଳିବା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଦଳ ଏଠାରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଲଢୁଥିଲେ ମଧ୍ୟ ଭୋଟରଙ୍କୁ ସେଭଳି ପ୍ରଭାବିତ କରିବାର ଆଶା କ୍ଷୀଣ ବୋଲି କୁହାଯାଉଛି । କାରଣ ଦଳ ଏଠାରେ ପୁରୁଖାଙ୍କ ବଦଳରେ କିଛି ନୂଆ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି । ଯାହାକୁ ନେଇ ଦଳ ଭିତରେ କେବଳ ଅସନ୍ତୋଷ ଦେଖିବାକୁ ମିଳିନାହିଁ କିଛି ପ୍ରାର୍ଥୀ ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇବା ସହ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଯାହା ଦଳକୁ ଅଡୁଆରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ଦଳ ଗତଥର ପ୍ରଚ୍ଛଦପଟରେ କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା କିନ୍ତୁ ଏଥର ଦଳକୁ ନିଜର ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି । ଆଉ ଏଭଳି ସମୀକରଣ ଏବେ ରାୟଗଡା ରାଜନୀତିକୁ କେବଳ ଉଷ୍ମ କରିନାହିଁ ବରଂ ଫଳାଫଳ କାହା ସପକ୍ଷରେ ଯିବ ତାହାକୁ ନେଇ ନେତାଙ୍କ ଚିନ୍ତାକୁ ବଢାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/19-37.jpg)