କେନ୍ଦ୍ରାପଡା କୁରୁକ୍ଷେତ୍ର ପାଇଁ ନବୀନଙ୍କ ସୈନିକ ଅନୁଭବ । ବୈଜୟନ୍ତଙ୍କୁ ମାତ୍ ଦେଇ ଅଣକଂଗ୍ରେସ ଓ ଅଣବିଜେପି ଗଡରେ ଉଡାଇ ପାରିବେ କି ବିଜୟ ଧ୍ୱଜା ?

502

କନକ ବ୍ୟୁରୋ : କେନ୍ଦ୍ରାପଡା ନିର୍ବାଚନ କୁରୁକ୍ଷେତ୍ରରେ ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା । ମୁହାଁମୁହିଁ ହେବେ ରାଜନୀତିର ପୋଖତ ଖେଳାଳି ବୈଜୟନ୍ତ ଓ ଲୋକପ୍ରିୟତାର ଶୀର୍ଷରେ ଥିବା ଅନୁଭବ ମହାନ୍ତି । କେନ୍ଦ୍ରାପଡା ପାଇଁ ବିଜେଡି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏବେ ଏହିଭଳି ଚିତ୍ର ସାମ୍ନାକୁ ଆସିଛି । କିଏ କେନ୍ଦ୍ରାପଡାବାସୀଙ୍କ ମନ ଜିଣି ଭୋଟ ହାତେଇବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

୨୦୧୯ ନିର୍ବାଚନ ରଣଭୂମିରେ କେନ୍ଦ୍ରାପଡା ଦେଖିବ ମହାଲଢେଇ । କାରଣ ରାଜ୍ୟ ରାଜନୀତିର ଦୁଇ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଘମାଘୋଟ ଲଢେଇ ।
ଅଣ କଂଗ୍ରେସ ଓ ଅଣ ବିଜେପି ରାଜନୀତିର ଗଡ ହୋଇ ରହିଛି କେନ୍ଦ୍ରାପଡା । ଗତ ୬ ଦଶନ୍ଧିର ରାଜନୀତିରେ ନା ଏଠି ସର୍ବ ପୁରାତନ ରାଜନୈତିକ ଦଳର ବିଜୟ ଧ୍ୱଜା ଉଡିଛି ନା ଏହି ଅଂଚଳ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି । ହେଲେ ପରିବର୍ତ୍ତିତ ସ୍ଥିତିରେ ବଦଳିଥିବା ରାଜନୈତିକ ସମୀକରଣରେ ସମସ୍ତଙ୍କ ଫୋକସ୍ ଆସି ଅଟକିଛି କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ର ଉପରେ ।

୨ ଥରର ରାଜ୍ୟସଭା ସାଂସଦ ଓ ୨ ଥରର ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ୨୦୧୯ରେ ଏଠି ବିଗ୍ ଫାଇଟ୍ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଏପରିକି ଅନୁଭବଙ୍କ କ୍ରେଜ ବଳରେ ବିଜେଡି କେନ୍ଦ୍ରାପଡାର ବିଜୟ ଧ୍ୱଜା ଉଡାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି । ଖାସକରି ବିଜେଡିର ଗଡ ରହି ଆସିଥିବା ଏହି ଆସନକୁ କେବେ ଦଳ ହାତଛଡା କରିବାକୁ ଚାହିଁବନି । ଏହାଛଡା ବିଜେଡି ପାଇଁ କେନ୍ଦ୍ରାପଡା ଲଢେଇ ଏକ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । କାରଣ ଇତିହାସ ପୃଷ୍ଠା ଯଦି ଲେଉଟାଇବା ତେବେ କେନ୍ଦ୍ରାପଡାରେ ଆଜି ପର୍ଯ୍ୟନ୍ତ କେବେ ବିଜେପି ଓ କଂଗ୍ରେସ ଖାତା ଖୋଲିପାରିନାହିଁ । ତେଣୁ ଏହି ଧାରାକୁ ବଜାୟ ରଖିବା ବିଜେଡି ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇପାରେ ।

କେନ୍ଦ୍ରାପଡା ପାଇଁ ଅନୁଭବ ସମ୍ପୂର୍ଣ୍ଣ ନବାଗତ ହୋଇଥିବା ବେଳେ ବୈଜୟନ୍ତ ଏହି ଆସନରୁ ଦୁଇ ଦୁଇ ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ତେବେ ବୈଜୟନ୍ତ ଏହି ଦୁଇଥର ବିଜେଡି ଟିକେଟରୁ ହିଁ ବିଜୟୀ ହୋଇଛନ୍ତି । ତେଣୁ ବିଜେଡି ପାଇଁ ହିଁ ବୈଜୟନ୍ତ ଏଠାରୁ ବିଜୟୀ ହେଉଥିଲେ ଏଭଳି ଏକ ଧାରଣା ନିର୍ବାଚନମଣ୍ଡଳୀବାସୀଙ୍କ ମନରେ ରହିଛି । ଏହାଛଡା କେବଳ କେନ୍ଦ୍ରାପଡା ଯେ କେବଳ ବିଜେଡି ପାଇଁ ଏସିଡ ଟେଷ୍ଟ ହେବାକୁ ଯାଉଛି ତାହା ନୁହେଁ ବରଂ ବିଜେପି ଓ ବୈଜୟନ୍ତଙ୍କୁ ମଧ୍ୟ ଏଠାରେ ଅଗ୍ନିପରୀକ୍ଷା ଦେବାକୁ ପଡିବ । ବୈଜୟନ୍ତଙ୍କ ପାଇଁ ଏହି ଆସନ ନୂଆ ହୋଇନଥିଲେ ମଧ୍ୟ ଚିହ୍ନ କିନ୍ତୁ ସମ୍ପୂର୍ଣ୍ଣ ନୂଆ । ତେଣୁ ଏହି ଚିହ୍ନ ଉପରେ ନିର୍ବାଚନମଣ୍ଡଳୀବାସୀ କେତେ ଭରସା କରିବେ ତାହା ସବୁଠୁ ବଡ ପ୍ରଶ୍ନ । ଏହାବାଦ୍ କେନ୍ଦ୍ରାପଡା ବିଜେପିର ହେଭିୱେଟ କୁହାଯାଉଥିବା ବିଜୟ ମହାପାତ୍ର ଏହାମଧ୍ୟରେ ଦଳରୁ ଇସ୍ତଫା ଦେଇଥିବା ବେଳେ ଏହା ବୈଜୟନ୍ତଙ୍କ ହିସାବ କିତାବକୁ ସମ୍ପୂର୍ଣ୍ଣ ରୂପେ ଗୋଳମାଳିଆ କରିଦେଇଛି । ବିଜୟଙ୍କ ବିନା ବୈଜୟନ୍ତଙ୍କ ନିର୍ବାଚନ ବୈତରଣୀ ପାର ହେବା କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି ।

ଇତିହାସ କଣ କହୁଛି :
୨୦୦୪ରେ ଅର୍ଚ୍ଚନା ନାୟକ ବିଜେଡି ଟିକେଟରୁ ଲଢି ଜିତିଥିଲେ । ହେଲେ ୨୦୦୯ରେ ଟିକେଟ ନ’ମିଳିବା ପରେ ଅର୍ଚ୍ଚନା ବିଜେପି ଟିକେଟରେ ଲଢି ପରାସ୍ତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ବୈଜୟନ୍ତ ବିଜେଡି ଟିକେଟରୁ ଲଢି ଜିତିଥିବା ବେଳେ ୨୦୧୯ରେ କିନ୍ତୁ କ୍ୟାମ୍ପ ବଦଳାଇଛନ୍ତି । ଅତୀତରେ ନେତା ଦଳ ବଦଳାଇଥିଲେ ମଧ୍ୟ କର୍ମୀ ଆଭିମୁଖ୍ୟ ବଦଳାଇନଥିବାର ଅନେକ ଉଦାହରଣ ରହିଛି । ସେହି ଦୃଷ୍ଟିକୋଣରେ ବୈଜୟନ୍ତଙ୍କ ସାମ୍ନାରେ ଆହ୍ୱାନ ଅଧିକ ରହିଛି ।

୧୯୫୭, ୧୯୬୨ ଓ ୧୯୬୭ରେ ପ୍ରଜା ସୋସିଆଲିଷ୍ଟ ପାର୍ଟି, ୧୯୭୧ରେ ଉତ୍କଳ କଂଗ୍ରେସ, ୧୯୭୭, ୧୯୮୦, ୧୯୮୪, ୧୯୮୫ରେ ଜନତା ପାର୍ଟି, ୧୯୮୯, ୧୯୯୧, ୧୯୯୬ରେ ଜନତା ଦଳ, ୧୯୯୮ରୁ ଏଯାଏଁ ବିଜେଡି ପ୍ରାର୍ଥୀ ବାଜିମାତ କରି ଆସିଛନ୍ତି । ଏ ତଥ୍ୟ ଗୋଟିଏ ଦିଗ ଦର୍ଶାଉଛି, ଅଣ ବିଜେପି ଓ ଅଣ କଂଗ୍ରେସର ପ୍ରାର୍ଥୀ କେନ୍ଦ୍ରାପଡାରେ ସବୁବେଳେ ଆହ୍ୱାନର ସାମ୍ନା କରନ୍ତି ।

୨୦୧୯ରେ ଯେତେବେଳେ ସ୍ଥିତି ବଦଳିଛି, ଠିକ ସେତିକି ବେଳେ ରାଜନୀତିର ଦୃଶ୍ୟପଟ ବଦଳିବା ସହ ନୂଆ ଇତିହାସ ଲେଖାଯିବ ନା ଅତୀତର ଧାରା ଏଠି ମଧ୍ୟ ଜାରି ରହିବ, ଯାହା ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିବ, ତା’ଉପରେ ନଜର ରହିଛି ।