ସମୀର ୱାଙ୍ଖଡେଙ୍କ ନିକହା କରାଇଥିବା ମୌଲାନାଙ୍କ ଦାବି, ନିକହା ବେଳେ ପୁରା ପରିବାର ଥିଲେ ମୁସଲିମ୍

283

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକ ଆଜି ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡଙ୍କ ନିକହା ଓ ନିକହାନାମାର ଫଟୋ ଜାରି କରି ପୁଣି ସମୀରଙ୍କ ଉପରେ ଆକ୍ରମଣ କରିଛନ୍ତି । ନୱାବ ମଲ୍ଲିକ ଦାବି କରିଛନ୍ତି କି ନିକହାନାମାରେ ସମୀରଙ୍କ ନାମ ସମୀର ଦାଓଦ ୱାଙ୍ଖଡେ ରହିଛି । ଅନ୍ୟପଟେ ଏହି ପ୍ରମାଣକୁ ଆହୁରି ଦୃଢ କରିଛନ୍ତି ସମୀରଙ୍କ ନିକହା କରାଇଥିବା ମୌଲାନା ମୁଜମ୍ମିଲ ଅହମ୍ମଦ । ସେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି “ମୁଁ ସମୀର ୱାଙ୍ଖେଡଙ୍କ ନିକହା କରାଇଥିଲି ଓ ସେତେବେଳେ ସମୀରଙ୍କ ପୁରା ପରିବାର ମୁସଲମାନ ଥିଲେ” ଏହା ପୂର୍ବର ସମୀରଙ୍କ ପତ୍ନୀ କ୍ରାନ୍ତି ଦାବି କରିଥିଲେ କି ସମୀର ଜନ୍ମରୁ ହିଁ ହିନ୍ଦୁ ଅଟନ୍ତି ।

ନିକହା କରାଇଥିବା ମୌଲାନା ମୁଜମ୍ମିଲ ଅହମ୍ମଦ କହିଛନ୍ତି କି “ମୁଁ ହିଁ ନିକହା ପଢାଇବାକୁ ଯାଇଥିଲି, ଯଦି ସମୀର ହିନ୍ଦୁ ହୋଇଥାନ୍ତେ ତେବେ ନିକହା କିଭଳି ହୋଇଥାନ୍ତା, ଖୁସିର ସହିତ ନିକହା ହୋଇଥିଲା ଓ ସେତେବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତେ ମୁସଲିମ୍ ଥିଲେ,” କେବଳ ସେତିକି ନୁହେଁ ନିକହା କରାଇଥିବା ମୌଲାନା ଦାବି କରିଛନ୍ତି କି ସମୀର ମିଛ କହୁଛନ୍ତି । ସେ ନିକହା କରିବା ପରେ ଦସ୍ତଖତ କରିଥିଲେ ଓ ନିକହାର ପଞ୍ଜିକରଣ ଫର୍ମରେ ସାକ୍ଷୀଙ୍କ ହସ୍ତାକ୍ଷର ବି ରହିଛି ।

କହିରଖୁ କି ଆଜି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକ ଏକ ନୂଆ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟରେ ନୱାବ ସମୀରଙ୍କ ପ୍ରଥମ ବାହାଘରର ନିକହାନାମା ସାମିଲ କରିଛନ୍ତି । ନୱାବ ଦାବି କରିଛନ୍ତି କି ନିକହାନାମାରେ ସମୀରଙ୍କ ପୁରା ନାମ ସମୀର ଦାଓଦ ୱାଙ୍ଖେଡ ଲେଖା ହୋଇଛି । ନୱାବ ଦାବି କରିଛନ୍ତି କି ୨୦୦୬ ଡିସେମ୍ବର ୭ ତାରିଖ ରାତି ୮ ଟାରେ ସମୀର ଶାବନା କ୍ୟୁରେସୀଙ୍କ ମଧ୍ୟରେ ବିବାହ ହୋଇଥିଲା । ଏହି ବାହାଘର ମୁମ୍ବାଇର ଅନେ୍ଧରୀ (ପଶ୍ଚିମ) ଲୋଖଣ୍ଡୱାଲା କମ୍ପେ୍ଲକ୍ସରେ ହୋଇଥିଲା । ଯଦି ଏହା ପ୍ରମାଣିତ ହୋଇଯାଏ ତେବେ ସମୀରଙ୍କ ପାଇଁ ଅଡୁଆ ବଢିବ ।

ଅନ୍ୟପଟେ ନୱାବ ମଲ୍ଲିକଙ୍କ ଏଭଳି ଖୁଲାସାକୁ ନେଇ ସମୀରଙ୍କ ଦ୍ୱିତୀୟ ପତ୍ନୀ କ୍ରାନ୍ତି ରେଡକର କହିଛନ୍ତି କି ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସେ କହିଛନ୍ତି କି ସମୀର ଓ ମୁଁ ଜନ୍ମରୁ ହିନ୍ଦୁ ଅଟୁ , ଆମେ କେବେ ବି ଧର୍ମ ପରିବର୍ତ୍ତନ କରିନାହୁଁ । ଆମେ ସବୁ ଧର୍ମକୁ ସମ୍ମାନ କରୁ । ଏହାସହ କ୍ରାନ୍ତି ଏକଥା ବି ମାନିଛନ୍ତି କି ସମୀରଙ୍କ ବାପା ହିନ୍ଦୁ ଓ ମା’ ମୁସଲିମ୍ ଥିଲେ ।