ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ ଆଣିଲା ହିମସ୍ଖଳନ । ଜଳ ପ୍ରଳୟରେ ଶତାଧିକ ମୃତାହତ ଆଶଙ୍କା । ସର୍ବାଧିକ ପ୍ରଭାବିତ ହେଲା ଋଷିଗଙ୍ଗା ଶକ୍ତି ପ୍ରକଳ୍ପ 

213

କନକ ବ୍ୟୁରୋ : ୨୦୧୩ ପରେ ଉତ୍ତରାଖଣ୍ଡରେ ପୁଣି ଆସିଛି ପ୍ରଳୟ । ସେତେବେଳେ ବାଦଳ ଫଟା ବର୍ଷା ଆଣିଥିଲା ଜଳପ୍ରଳୟ, ଏବେ ହିମସ୍ଖଳନ ଆଣିଛି ଭୟାନକ ଚିତ୍ର । ପ୍ରକୃତିର ତାଣ୍ଡବ ଦେବଭୂମି ଉତ୍ତରାଖଣ୍ଡରେ ଭୟାବହତା ସୃଷ୍ଟି କରିଛି । ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସିଥିଲା । ହିମସ୍ଖଳନ ପରେ ଭୀଷଣ ଆକାର ନେଇ ମାଡି ଆସିଥିବା ଜଳଶ୍ରୋତ ରୁଷିଗଙ୍ଗା ଶକ୍ତି ପ୍ରକଳ୍ପକୁ ପ୍ରଭାବିତ କରିଛି ।

ଆଖି ପିଛୁଳାକେ ପାହାଡ ଉପରୁ ମାଡି ଆସୁଥିବା ହିମସ୍ଖଳନ, ଶକ୍ତିଶାଳୀ କଂକ୍ରିଟ ଓ ଲୁହାରେ ନିର୍ମିତ ବନ୍ଧଙ୍କୁ ବି ଭସେଇ ନେଇଛି । କେବଳ ଏତିକି ନୁହଁ ପାହାଡ ତଳେ ଥିବା ଗାଁ ପୂରା ଭାସି ଯାଇଛି । ହିମସ୍ଖଳନରରେ ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଶହେରୁ ଅଧିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ସ୍ଥାନରେ କାମ କରୁଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କ ପତା ମିଳୁନଥିବାରୁ ଉଦ୍ଧାର କାମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି ।

ଚମୋଲି ଜିଲ୍ଲାର ରେଣି ଗାଁରେ ହୋଇଥିଲା ହିମ ସ୍ଖଳନ । ଫଳରେ ଅକଳନନ୍ଦା ଓ ଧୋଲିଗଙ୍ଗା ନଦୀରେ ବନ୍ୟା ଆସି ଉପକୂଳରେ ଥିବା ଜନବସତିକୁ ପ୍ରଭାବିତ କରିଛି । ଅନେକ ଘର ଭସାଇ ନେଇଥିବା ଆଶଙ୍କା କରାଯାଉଛି । ଜୋଶିମଠ ଅଂଚଳରେ ମଧ୍ୟ ବନ୍ଧ ଭାଙ୍ଗିଥିବା ସୂଚନା ମିଳୁଛି । ଏସଡିଆରଏଫ ଓ ଆଟିବିପି ଟିମ୍ ଉଦ୍ଧାର କାମରେ ଲାଗିଛନ୍ତି ।

କେତେକ ସ୍ଥାନରେ ୨୦୧୩ଠାରୁ ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଏହି ବିପର୍ଯ୍ୟୟ ଖବର ମିଳିବା ମାତ୍ରେ ଦିଲ୍ଲୀରୁ ୪ଟି ଏନଡିଆରଏଫ୍ ଟିମ୍ ଆକାଶପଥରେ ବାହାରି ଆସି ଡେରୁଡୁନରେ ପହଁଚି ସାମିଲ ହୋଇଛି ଉଦ୍ଧାରକାମରେ । ଉଦ୍ଧାର କାମରେ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର ।

ରେଣି ଗାଁ ନିକଟ ପାହାଡ ତଳେ ତିଆରି ହେଉଥିବା ପାୱାର ପ୍ରୋଜେକ୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଠାରେ କାମ କରୁଥିବା ପ୍ରାୟ ୧୫୦ ଶ୍ରମିକ ଓ କର୍ମଚାରୀ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ମୃତାହତଙ୍କ ବାବଦରେ ସୂଚନା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତରାଖଣ୍ଡରେ ବିପର୍ଯ୍ୟୟ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଟ୍ୱିଟ କରି ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।