କନକ ବ୍ୟୁରୋ: କୋରାପୁଟ ବୋରିଗୁମ୍ମା ବ୍ଳକ ହରଦଳି ପଞ୍ଚାୟତରେ ପାଣିରେ ପଡ଼ିଲା କୋଟି କୋଟି ଟଙ୍କା । ବହୁମୁଖି କୃଷି ଉଦ୍ୟୋଗ ଯୋଜନାରେ ସାମ୍ନାକୁ ଆସିଛି ବଡ଼ ଦୁର୍ନୀତିର ଚିତ୍ର । ୨୦୨୧ ମସିହାରେ ଏହି ଯୋଜନା ହୋଇଥିଲା । ୧୨ ଏକର ଜାଗାରେ ୧୨ରୁ ଅଧିକ ପ୍ରକଳ୍ପ ତିଆରି ହୋଇଥିଲା । କିନ୍ତୁ ଉଦଘାଟନର ୪ ବର୍ଷ ପରେ ମଧ୍ୟ କୌଣସି ପ୍ରକଳ୍ପରୁ ତାଲା ଖୋଲିପାରି ନାହିଁ । ଆଧୁନିକ ଓ ଉନ୍ନତ ମାନର ଯନ୍ତ୍ରପାତି ଲଗାଯାଇଥିବା ଏହି ମେଗା ପ୍ରକଳ୍ପ ଏବେ ନଷ୍ଟ ହେବାରେ ବସିଛି । କେଉଁ ପ୍ରକଳ୍ପର ଛାତ ଉଡ଼ି ଗଲାଣି ତ, କେଉଁଠି ମୂଲ୍ୟବାନ ଯନ୍ତ୍ରପାତି ଚୋରି ହୋଇଗଲାଣି । ରାଜ୍ୟ ସରକାରଙ୍କ ଜୀବିକା ମିଶନ, ମନରେଗା ଓ ନବୀନ ଓଡ଼ିଶା ଆମ ଓଡ଼ିଶା ମାଧ୍ୟମରେ ତିଆରି ହୋଇଥିଲା ଏହି ପ୍ରକଳ୍ପ । କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ ନହେବାରୁ ଏହା ଖତ ଖାଇବାରେ ଲାଗିଛି । କୃଷି ଉଦ୍ୟୋଗ ଯୋଜନାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ କାହାରିକୁ ନିଯୁକ୍ତି ମିଳିନାହିଁ କିମ୍ବା ପ୍ରକଳ୍ପର ଲାଭ ପାଇନାହାନ୍ତି ଲୋକେ । ତେବେ କାହା ସ୍ୱାର୍ଥରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment