କନକ ବ୍ୟୁରୋ: ବଳ ଗୋଟାଉଛି ଓଡିଶା କଂଗ୍ରେସ । ମିଳିଥିବା ସୂଚନା ଅନୁସାରେ, ଆଗରୁ ବଡଧରଣର ମିଶ୍ରଣ ପର୍ବ ହେବାକୁ ଯାଉଛି । ପୂର୍ବତନ ହକି ଅଧିନାୟକ ପ୍ରବୋଧ ତିର୍କୀଙ୍କ ସହ ବହୁ କିଛି ପୂର୍ବତନ ପ୍ରଶାସନିକ ଅଧିକାରୀ କଂଗ୍ରେସ ଶିବିରରେ ଯୋଗ ଦେଇପାରନ୍ତି । ସେହିପରି ମହମ୍ମଦ ମୋକିମ ଓ ଚିରଂଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯିବ ବୋଲି କଂଗ୍ରେସ ଅନ୍ଦର ମହଲରୁ ସୂଚନା ମିଳିଛି ।

Advertisment

ଆଗାମୀ ନିର୍ବାଚନକୁ ଆଖିରେ ରଖି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁପର ଷ୍ଟ୍ରାଟେଜି କରିବ ଓଡିଶା କଂଗ୍ରେସ । ଆସନ୍ତା ମାସ ପ୍ରଥମାର୍ଦ୍ଧରେ କଂଗ୍ରେସର ବଡ ଧରଣର ମିଶ୍ରଣ ପର୍ବ ହେବ । ସାଂଗଠନିକ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଅଣାଯିବ । ସେପ୍ଟେମ୍ବର ୫ରେ ହେବାକୁ ଥିବା ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ, ହେମା ଗମାଙ୍ଗ, ପୂର୍ବତନ ବିଧାୟକ ଜୟରାମ ପାଙ୍ଗୀ, କୃଷ୍ଣଚନ୍ଦ୍ର ସଗରିଆ ଓ ତାଙ୍କର ଅନେକ ସମର୍ଥକ ସାମିଲ ହେବେ । ଏହାଛଡା କ୍ରୀଡାବିତ୍ ପ୍ରବୋଧ ତିର୍କୀ ଓ ବହୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ବଡ କଥା ହେଉଛି ଏହି ମିଶ୍ରଣ ପର୍ବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇପାରନ୍ତି ।

ଏକଦା କଂଗ୍ରେସର ଗଡଥିବା ଦକ୍ଷିଣ ଓଡିଶାରେ କଂଗ୍ରେସର ସମ୍ଭାବନା ରହିଛି । ତେଣୁ ପ୍ରଥମେ ଦକ୍ଷିଣ ଓଡିଶାର ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣି ବଡ ଲଢେଇ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି । କ୍ରୀଡାବିତ ଓ ଆଦିବାସୀ ଚେହେରା ଭାବେ ପ୍ରବୋଧ ତିର୍କୀ ଓ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ଦଳକୁ ଆଣି ନୂଆ ସମୀକରଣ ସହ ନିର୍ବାଚନକୁ ଓହ୍ଲାଇବାକୁ ଯୋଜନା ରଖିଛି ଦଳ । ଏହାଛଡା ବଡ ମିଶ୍ରଣ ପର୍ବ ଆୟୋଜନ ପଛର ଆଉ ଏକ ବଡ କାରଣ ହେଉଛି, କଂଗ୍ରେସ ବାର୍ତା ଦେବାକୁ ଚାହୁଁଛି ଯେ, କଂଗ୍ରେସ ତାର ଚମକ ହରାଇ ନାହିଁ । ନେତା, କ୍ରୀଡାବିତ, ପୂର୍ବତନ ପ୍ରଶାସନିକ ଅଧିକାରୀ ଓଡିଶା କଂଗ୍ରେସକୁ ବିକଳ୍ପ ଭାବେ ବାଛୁଛନ୍ତି ।

କେବଳ ଦଳର ପୁରୁଣା ନେତା ଦଳକୁ ଫେରିବେ ତା ନୁହେଁ । ଦଳରୁ ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚୀରଞ୍ଜୀବ ବିଶ୍ୱାଳଙ୍କ ଉପରୁ ଶୀଘ୍ର କଂଗ୍ରେସ ନିଲମ୍ବନ ପ୍ରତ୍ୟାହାର କରିବ ବୋଲି ସୂଚନା ମିଳିିଛି ।