କନକ ବ୍ୟୁରୋ: ଉମେଶ ପାଲ ହତ୍ୟାକାଣ୍ଡରେ ପୁଅ ଅସଦ ଓ ସୁଟର ଗୁଲାମକୁ ଏନକାଉଣ୍ଟର ପରେ ଭାଙ୍ଗିପଡ଼ିଛି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ । ଅତିକ ସ୍ୱୀକାର କରିଛି ଯେ ସେ ହିଁ ହତ୍ୟା ପାଇଁ ରଚିଥିଲା ଷଡଯନ୍ତ୍ର । ରିମାଣ୍ଡ କପି ଅନୁସାରେ, ଅଭିଯୁକ୍ତ ଅତିକ ଅହମ୍ମଦ ଏପ୍ରିଲ ୧୨, ୨୦୨୩ରେ ପୋଲିସକୁ ବୟାନ ଦେଇ କହିଛି ଯେ ସେ ଜେଲରେ ରହି ଉମେଶ ପାଲ ହତ୍ୟାକାଣ୍ଡର ପୂରା ଯୋଜନା ରଚିଥିଲା । ଏହାସହ ଅତିକର ପତ୍ନୀ ଶାଇସ୍ତା ମଧ୍ୟ ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, ଉମେଶ ସହ ୨ଜଣ ଗନମ୍ୟାନ୍ ରହୁଥିଲେ । ସେଥିପାଇଁ ଉମେଶ ପାଲର ସୁରକ୍ଷାରେ ଥିବା ପୋଲିସ କର୍ମୀକୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅର୍ଥାତ୍ ପୋଲିସକର୍ମୀ ଉପରେ ଆକ୍ରମଣ କରିବା ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇଥିଲା ।

Advertisment

ଅସଦ ଏନକାଉଣ୍ଟରକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ବୟାନବାଜି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ଫେକ୍ ଏନକାଉଣ୍ଟର କହି ଉତ୍ତର ପ୍ରଦେଶ ସରକାର ଉପରେ ବର୍ଷିଛନ୍ତି । ସେହିପରି ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ୟୁପିରେ ଲଗାତର ଏନକାଉଣ୍ଟର ହେଉଛି । ଭାରତ ଏକ ଗଣତାନ୍ତ୍ରିକ ଦେଶ । କିନ୍ତୁ ଉତ୍ତର ପ୍ରଦେଶରେ ଆଇନଶୃଙ୍ଖଳାର ହତ୍ୟା କରାଯାଇଥିବା କହିଛନ୍ତି ଡିମ୍ପଲ । ସେପଟେ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ତେବେ ଏହାର ଜବାବ ରଖିଛି ବିଜେପି ।
ସେପଟେ ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅସଦକୁ ବଞ୍ଚଇବା ପାଇଁ ବାପା ଅତିକ ଅଣ୍ଡରୱାର୍ଲ୍ଡର ଡି’ ଗ୍ୟାଙ୍ଗ ସହ ହାତ ମିଳାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ୨୫ ଦିନ ଧରି ଫେରାର ଥିବା ଅସଦକୁ ସହାୟତା କରୁଥିଲା ଡି’ କମ୍ପାନୀ । କାରଣ ସମସ୍ତେ ଜାଣନ୍ତି ଯେ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ ଆବୁ ସାଲେମ ଉତ୍ତରପ୍ରଦେଶର ଆଜମଗଡ଼ରେ ରୁହନ୍ତି । ତେବେ ଅତିକ ସହ ତା’ର ଯୋଗାଯୋଗ କେମିତି ହେଲା, ତାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି ।