ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ କ୍ରାଇମସିନ ଦେଖିଲା ପୋଲିସ୍ । ସେପଟେ ଦକ୍ଷିଣାଞ୍ଚଳ ଡିଆଇଜି କହିଲେ ମିଳିଛି ବଡ ସୁରାକ୍, ଖୁବଶୀଘ୍ର ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା

376

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ ହିଁ ହୋଇଛି ରହସ୍ୟମୟ ମୃତ୍ୟୁ । ଯାହାକୁ ଏବେ ବି ଅନେକ ବୁଝି ପାରୁ ନାହାଁନ୍ତି, ଯେ କେମିତି ଏହି ଘର ଭିତରେ ଜଣେ ବ୍ୟକ୍ତି ପୋଡି ହୋଇଯିବ ଏବଂ କେହି ତାଙ୍କୁ ବଂଚାଇ ପାରିବେ ନାହିଁ । ପୋଲିସ ତନ୍ନ ତନ୍ନ କରି ଯାଂଚ କରିଛି । କଳାଦାଗଠାରୁ ଟେବୁଲ କେତେ ଦୂରରେ ଅଛି, କିରୋସିନ କେତେ ଦୂରରେ ପଡିଛି, ଚେୟାର ଓ ଦାଗ ଭିତରେ କେତେ ଦୂରତା ରହିଛି, ଏହିପରି ସମସ୍ତ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଂଚ ଓ ପାରଳାଖେମୁଣ୍ଡି ପୋଲିସ ।

ସୌମ୍ୟରଞ୍ଜନଙ୍କ ବାସଭବନରେ ତାଙ୍କ ଦେହରେ ନିଆଁ ଲାଗିଥିଲା ନା ଅନ୍ୟ ସ୍ଥାନରେ ଅଘଟଣ ଘଟାଇ ବାସଭବନରେ ଅନ୍ତିମ ରୂପ ଦିଆଯାଇଥିଲା, ଏହା ମଧ୍ୟ ଜାଣିବା ପାଇଁ ବାସଭବନ ଭିତରେ ସବୁ ଦିଗରୁ ଅନୁଧ୍ୟାନ କରୁଥିଲା ପୋଲିସ । ଏବଂ ଶେଷରେ କ୍ରାଇବ୍ରାଂଚର ଅଧିକାରୀ କହିଥିଲେ, ଘର ଭିତରେ ହିଁ ପୋଡି ହୋଇଛନ୍ତି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ।

ଏସିଏଫ ସୌମ୍ୟରଞ୍ଜନଙ୍କର କେମିତି ହେଲା ମୃତ୍ୟୁ, ଏହା ଏକ ହତ୍ୟା ନା ଆତ୍ମହତ୍ୟ, ନା ଆକସ୍ମିକ ଦୁର୍ଘଟଣା, ଏହା ଜାଣିବା ପାଇଁ ଏକପ୍ରକାର ସାରାରାଜ୍ୟ ଅପେକ୍ଷା କରି ରହିଥିବାବେଳେ ପୋଲିସକୁ ମିଳିଛି ବଡ ସୁରାକ । ଏହା ଦକ୍ଷିଣାଂଚଳ ଡିଆଇଜି ସ୍ପଷ୍ଟ କରିନଥିଲେ ବି ସୌମ୍ୟରଞ୍ଜନଙ୍କ ମୃତ୍ୟୁ କାଳିନ ଜମାନବନ୍ଦୀକୁ ପୋଲିସ ଗୁରୁତ୍ୱ ଦେଉଛି ।

ମୃତ୍ୟୁକାଳିନ ଜମାନବନ୍ଦୀରେ ସୌମ୍ୟ କହିଥିଲେ, ସେ ବହି ଆଣିବାକୁ ଯାଉଥିବାବେଳେ ପାଦରେ ବାଜି କିରୋସିନ ଢ଼ାଳି ହୋଇଯାଇଥିଲା, ଏବଂ ଏହା ପରେ ନିଆଁ ଲାଗି ଯାଇଥିଲା । ଏହି ବୟାନ ଆତ୍ମହତ୍ୟା ଦିଗରେ ସନ୍ଦେହ କରିବା ପାଇଁ ପୋଲିସକୁ ଖୋରାକ ଯୋଗାଉଛି ବୋଲି କୁହାଯାଉଛି । କିନ୍ତୁ ପୋଲିସ କହିଛି, ସବୁ ଦିଗରୁ ତଦନ୍ତ କରାଯାଉଛି ।