ବିଜେଡି ଆଭିମୁଖ୍ୟରେ ବଡ଼ ପରିବର୍ତନ । କାର୍ଯ୍ୟକାରିଣୀରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ । କହିଲେ, ହିନ୍ଦୀ ଭାଷା ଉପରେ ଜୋର ଦେଉଛନ୍ତି ଜାତୀୟ ଦଳ

141

କନକ ବ୍ୟୁରୋ : ୨୧ ବର୍ଷର ଶାସନ ଭିତରେ ଏମିତି କମ ଅବସରର ଥିବ, ଯେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରୁ ଆପଣ ଭାଷଣ ଶୁଶିଥିବେ, ଯାହା ରାଜ୍ୟ ଯୁବ କାର୍ଯ୍ୟକାରିଣୀ ବୈଠକରେ ଶୁଣିବାକୁ ମିଳିଛି । ସିଧାସଳଖ ଜାତୀୟଦଳ ଗୁଡ଼ିକର ଆଭିମୁଖ୍ୟ ଓ ମନ୍ତ୍ରୀଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି ନବୀନ ପଟ୍ଟନାୟକ ।

ପ୍ରାୟ ୧୨ ମିନିଟ୍ର ଅଭିଭାଷଣରେ ନବୀନଙ୍କ ଫୋକସ୍ରେ ଥିଲା ଓଡ଼ିଶା । ଓଡ଼ିଶା, ଓଡ଼ିଆ ଭାଷା, ଓଡ଼ିଶାର ସଂସ୍କୃତି, ଓଡ଼ିଶାର ଐତିହ୍ୟ, ଓଡ଼ିଶାର ସ୍ୱାର୍ଥ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଓଡ଼ିଶାକୁ କେନ୍ଦ୍ରର ବୈମାତୃକ ଭାବ । ଏଭଳି ତମାମ୍ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ।

ବିଜେଡି ସୁପ୍ରିମୋଙ୍କ ବୟାନ୍ ଠିକ୍ ସେତିକି ବେଳେ ଆସିଛି, ଯେତେବେଳେ ପରୀ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ, ପ୍ରତିଦିନ ଟାର୍ଗେଟ୍ କରୁଛନ୍ତି । ଆଉ ନବୀନ ସାମ୍ନାକୁ ଆସି, ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ।

ସାରା ଦେଶରେ ଗୋଟିଏ ଭାଷା, ଗୋଟିଏ ସଂସ୍କୃତିର କଥା ଉଠାଇ, କେନ୍ଦ୍ରର ମୋଦି ସରକାରଙ୍କ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସୁପ୍ରିମୋ । କେବଳ ସେତିକି ନୁହେଁ ଜାତୀୟ ଦଳ ଆପଣମାନଙ୍କୁ ସାଗରରେ ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ବୋଲି ଚେତାଇ ଦେଇଛନ୍ତି ।

ନବୀନ ପଟ୍ଟନାୟକଙ୍କ ଏହି ଅଭିଭାଷଣ ଓ ଆଭିମୁଖ୍ୟ ବିରୋଧୀଙ୍କୁ ଯେମିତି ଚକିତ କରିନି, ରାଜନୈତିକ ମହଲରେ ତାଠୁ ଅଧିକ ଚର୍ଚ୍ଚା ସୃଷ୍ଟି କରୁଛି । ନିର୍ବଚାନର ଦେଢ଼ ବର୍ଷ ଯାଏଁ ନୀରବ ଥିବା ନବୀନ, ଏଭଳି ଅଭିମୁଖ୍ୟ ରଖି କଣ ବର୍ତା ଦେଉଛନ୍ତି, ତାକୁ ନେଇ ଚର୍ଚ୍ଚା ବଢିଛି ।