ଓଲିଉଡ ଜଗତକୁ ଶକ୍ତ ଝଟକା । ଆତ୍ମହତ୍ୟା କଲେ ରାଇମୋହନ ପରିଡା

452

କନକ ବ୍ୟୁରୋ : ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଅତି ପରିଚିତ ନାଁ ରାଇମୋହନ ପରିଡା । ସେ ଯେତେବେଳେ ଯାହା କରନ୍ତି ତାହା ହୁଏ ନିଆରା । ତାଙ୍କ ଅଭିନୟ ହେଉ କି ପିଚରେ ତାଙ୍କର ଡାଇଲଗ୍ ଉଚ୍ଚାରଣ ସବୁଦୃଷ୍ଟିରେ ଭିନ୍ନ ହେଉଛନ୍ତି ରାଇମୋହନ । କିନ୍ତୁ ଏହାରି ଭିତରେ ତାଙ୍କର ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି । କେହି ବିଶ୍ୱାସ କରିପାରୁ ନାହାନ୍ତି ସେ ଆଉ ଆମ ଗହଣରେ ନାହାନ୍ତି । ଓଲିଉଡ ଜଗତକୁ ଶକ୍ତ ଝଟକା ଲାଗିଛି । ଚାରିଆଡେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି ପାରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଚଳଚ୍ଚିତ୍ର ହେଉ ବା ଯାତ୍ରା ଜଗତ ସବୁଥିରେ ତାଙ୍କୁ ଭିନ୍ନ ଭିନ୍ନ ଭାବେ ଦେଖିବାକୁ ମିଳେ । ଆସୁଛି ମୋ କାଳିଆ ସୁନା, ଉଦଣ୍ଡି ସୀତା, ଦାଦାଗିରି, ସିଂହ ବାହିନୀ, ରକତ ଚିହ୍ନିଛି ନିଜର କିଏ ଆଦି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ସଭିଁଙ୍କ ମନ ମୋହିଛନ୍ତି ଭେଟେରାନ୍ ରାଇମୋହନ ପରିଡା । ରାଇମୋନ ଙ୍କ ଜନ୍ମ କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମରେ । ତାଙ୍କ ପ୍ରତିଭା ବଳରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ୧୯୮୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଆଗମନ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗଙ୍ଗଶିଉଳି ଥିଲା ।

ସେ ଚଳଚ୍ଚିତ୍ର ଜଗତରେ ଜଣେ ଖଳନାୟକ ହେଲ ମଧ୍ୟ ସେ ଜଣେ ସାନ୍ତ ସ୍ଵଭାବ ର ମଣିଷ । ସେ ତାଙ୍କ ଜୀବନ କାଳ ମଧ୍ୟ ରେ ଅନେକ କୃତିତ୍ୱ ଲାଭ କରିଛନ୍ତି । ସେ ୭୦ ରୁ ୮୦ ଟା ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ଓଡିଆ ଯାତ୍ରା ଜଗତରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି ।