କନକ ବ୍ୟୁରୋ: ଜିନିଷ କିଣିବା ସମୟରେ ସାଧାରଣତଃ ଦୋକାନୀମାନେ ବ୍ୟାଗ ପାଇଁ ଗ୍ରାହକଙ୍କଠାରୁ ଅତିରିକ୍ତ ଟଙ୍କା ନେଇଥାନ୍ତି । ତେବେ ଏହା ଏବେ ଦୋକାନୀମାନଙ୍କ ପାଇଁ ହୋଇପାରେ ମହଙ୍ଗା । କାହିଁକି ନା ଏଣିକି ଯଦି କୌଣସି ଦୋକାନୀ ବ୍ୟାଗ ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ମାଗନ୍ତି ତେବେ ଏଥିପାଇଁ କଂପାନୀକୁ ଦେବାକୁ ପଡିପାରେ ଜରିମାନା । ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ ।

Advertisment

ପଂଚକୁଲା ସ୍ଥିତ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମ ପକ୍ଷରୁ ଗ୍ରାହକଙ୍କଠାରୁ ବ୍ୟାଗ ବାବଦକୁ ୧୮ ଟଙ୍କା ନେବା ଅଭିଯୋଗରେ ବିଗ ବଜାର ବିରୋଧରେ ୧୦ହଜାର ଟଙ୍କାର ଜରିମାନା ଲଗାଇଛି । ତେବେ ସୂଚନା ମୁତାବକ, ପଂଚକୁଲାର ବଳଦେବ ନାମକ ଜଣେ ଗ୍ରାହକ ଗତ ମାର୍ଚ୍ଚ ମାସରେ ବିଗ ବଜାରରୁ କିଛି ଜିନିଷ କିଣିଥିଲେ ଆଉ ଏହି ସମୟରେ ବିଲିଂ କାଉଂଟର କର୍ମଚରୀ ବ୍ୟାଗ ପାଇଁ ତାଙ୍କୁ ଅତିରିକ୍ତ ୧୮ ଟଙ୍କା ଦେବାକୁ କହିଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ କଥାଟା ଏତେ ବିଗିଡ ଯାଇଥଲା କି ଗ୍ରାହକ ଜଣକ ଏସପଂର୍କରେ କନଜ୍ୟୁମର ଫୋରମର ଦ୍ୱାରସ୍ଥ ହୋଇଥିଲେ ।

ତେବେ ଫୋରମ ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତିତ କରି ଏବଂ ଉଭୟ ପକ୍ଷର କଥାକୁ ନଜରରେ ରଖି ଏଭଳି ନିଷ୍ପତି ଶୁଣାଇଛନ୍ତି । ବିଗ ବଜାରକୁ ୧୦ ହଜାର ଟଙ୍କା କନଜ୍ୟୁମର ଲିଗାଲ ଆଣ୍ଡ ଆକାଉଂଟରେ ଜମା କରାଇବା ସହ ମକଦ୍ଦମା ଖର୍ଚ୍ଚ ବାବଦକୁ ଅଭିଯୋଗକାରୀଙ୍କୁ ୫୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ହିଁ ଅଭିଯୋଗକାରୀଙ୍କୁ ମାନସିକ ଉତ୍ପୀଡନ ପାଇଁ ହଜାରେ ଟଙ୍କା ଏବଂ କ୍ୟାରିବ୍ୟାଗ ପାଇଁ ନେଇଥିବା ୧୮ ଟଙ୍କା ମଧ୍ୟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଣ କହୁଛି କ୍ୟାରିବ୍ୟାଗ ନିୟମ

କନଜ୍ୟୁମର ଫୋରମର କହିବାନୁସାରେ, ବ୍ରାଣ୍ଡକୁ ପ୍ରଚାର କରୁଥିବା ଏହି କ୍ୟାରିବ୍ୟାଗ ପାଇଁ ଗ୍ରାହକଙ୍କଠାରୁ ଅତିରିକ୍ତ ଟଙ୍କା ନେଇପାରିବେନି କୌଣସି ବି କଂପାନୀ ତଥା ଦୋକାନୀ । କାହିଁକି ନା ଜିନିଷ ସହିତ ଗ୍ରାହକଙ୍କୁ ମାଗଣାରେ କ୍ୟାରିବ୍ୟାଗ ଉପଲବ୍ଧ କରାଇବା ସବୁ ଦୋକାନ ତଥା କଂପାନୀର ଦାୟିତ୍ୱ । ଯଦି କୌଣସି କଂପାନୀ ବା ଦୋକାନୀ କ୍ୟାରିବ୍ୟାଗ ନାଁରେ ଗ୍ରାହକଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ କରନ୍ତି ତେବେ ଉକ୍ତ କଂପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।