ନବୀନଙ୍କ ଏକାମ୍ର ପ୍ଲାନ । ବଦଳିବ ରୂପରେଖ, ବର୍ଷକରେ ଝଲସିବ ଏକାମ୍ର କ୍ଷେତ୍ର । ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଏକାଠି ବସି ଦେଖିପାରିବେ ୨ ଲକ୍ଷ ଲୋକ । ଲିଙ୍ଗରାଜ ମନ୍ଦିରରୁ ସିଧା ଦେଖିହେବ ବିନ୍ଦୁସାଗରର ଚନ୍ଦନ ଯାତ୍ରା

732

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ନେଇ ନବୀନଙ୍କ ବଡ ପ୍ଲାନ । ଏକା ସାଙ୍ଗରେ ଶିବରାତ୍ରୀ ଦେଖିବେ ୨ ଲକ୍ଷ ଭକ୍ତ । ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଏକାଠି ବସି ୨ ଲକ୍ଷ ଲୋକ ଦେଖିପାରିବେ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁ ସାଗରର ଚନ୍ଦନ ଯାତ୍ରା । ମନ୍ଦିର ନିକଟ ୬୬ ଏକର ଜମି ଉପରେ କାର୍ଯ୍ୟକାରୀ ହେବ ଯୋଜନା । ଏକାମ୍ରକ୍ଷେତ୍ର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ।

ତେବେ ୬୬ ଏକର ପରିମିତ ଜମିରେ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ କରିପାରିବେ।

ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ କାଉଡିଆ ଶ୍ରୀ ଲିଙ୍ଗରାଜ ମନ୍ଦିର ଆସିଥାନ୍ତି। ସେମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ଦୃଷ୍ଟି ଦିଆଯାଇଛି।

ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳନିଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି।