ଇଲେକ୍ଟ୍ରିକ୍ କାର୍ ପାଇଁ ବଜେଟରେ ବଡ ଘୋଷଣା । ରିହାତି ଦେବେ ସରକାର, ଜାଣନ୍ତୁ ଭାରତକୁ କେବେ ଆସିବ ଇଲେକ୍ଟ୍ରିକ୍ କାର୍ ?

288

କନକ ବ୍ୟୁରୋ : ଭାରତୀୟ ବଜାରକୁ ଆସି ନାହିଁ ଇଲେକ୍ଟ୍ରିକ୍ କାର, ହେଲେ କାର୍ ବ୍ୟବହାର ପାଇଁ ପ୍ରୋତ୍ସାହନ ଦିଆଯାଇଛି । ଏହି କାରକୁ ଲୋକପ୍ରିୟ ଓ ସୁଲଭ କରିବା ପାଇଁ ୨ଟି ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୧୨ ପ୍ରତିଶତ ଜିଏସଟିକୁ ହ୍ରାସ କରି ଇଲେକ୍ଟ୍ରିକ୍ କାର ଉପରେ ୫ ପ୍ରତିଶତ କରାଯାଇଛି । ସେହିପରି ଏହି ପ୍ରକାରର କାର କିଣିଲେ ଦେଢ ଲକ୍ଷ ଟଙ୍କାର ଆୟକର ରିହାତି ମିଳିବ ବୋଲି ବଜେଟରେ ବ୍ୟବସ୍ଥା ହୋଇଛି ।

ଭାରତକୁ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାତାଙ୍କ ହବ କରିବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।ପ୍ରଦୂଷଣ କମାଇବାରେ ଏହା ସହାୟକ ହେବ ବୋଲି ମନେ କରାଯାଉଛି । ଭାରତୀୟ ବଜାର ପ୍ରବେଶ ପାଇଁ ଅପେକ୍ଷା କରିଛି ହୁଣ୍ଡାଇ କୋନା ଏସୟୁଭି । ହୁଣ୍ଡାଇ କୋନା ହେବ ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି । ଜୁଲାଇ ୯ରେ ବଜାର ପ୍ରବେଶ କରିବାକୁ ଥିବା ଏହି କାରର ମୂଲ୍ୟ ୨୫ରୁ ୩୦ ଲକ୍ଷ ଟଙ୍କା । ମାତ୍ର ଥରେ ଚାର୍ଜ ହେଲେ କାରଟି ୩୧୨ କିଲୋମିଟର ଅତିକ୍ରମ କରିବ । ସବୁଠୁ ବଡ କଥା ହେଲା ମାତ୍ର ୫୪ ମିନିଟରେ ଏହି କାର ୮୦ ପ୍ରତିଶତ ଚାର୍ଜ ହୋଇପାରିବ ।

ସେହିପରି ଏମଜି ଇ-ଜେଡଏସ୍ । ଡିସେମ୍ବର ୨୦୧୯ରେ ବଜାରକୁ ଆସିବ । ଏହି କାରର ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ମହିନ୍ଦ୍ରା ମଧ୍ୟ ନିର୍ମାଣ କରିବ ଇଲେକ୍ଟ୍ରିକ୍ କାର ।ମହିନ୍ଦ୍ରା ଇ-କେୟୁଭି୧୦୦ ଯାହାର ମୂଲ୍ୟ ରହିଛି ୭ରୁ ୯ଲକ୍ଷ ଟଙ୍କା । ଥରେ ଚାର୍ଜ ହେଲେ ୧୪୦ କିଲୋମିଟର ଅତିକ୍ରମ କରିବ । ସେହିଭଳି ୧ ଘଣ୍ଟାରୁ କମ ସମୟରେ ଏହା ୮୦ ପ୍ରତିଶତ ଚାର୍ଜ ହୋଇପାରିବ ।

ମାରୁତି ୱାଗନ ଆରଇଭି । ଆସନ୍ତା ବର୍ଷ ବଜାରକୁ ଆସିବ ମାରୁତି-ସୁଜୁକିର ଇଲେକ୍ଟ୍ରିକ୍ କାର୍
ଯାହାର ମୂଲ୍ୟ ରହିଛି ପ୍ରାୟ ୭ ଲକ୍ଷ ଟଙ୍କା । ଥରେ ଚାର୍ଜ ହେଲେ ୨୦୦ କିଲୋମିଟର ବାଟ ଯିବ । ସେହିପରି ନିଶାନ୍ ଇଣ୍ଡିଆ ମଧ୍ୟ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରିବା ପାଇଁ ଘୋଷଣା କରିଛି । ନିଶାନ୍ ଲିଫ୍ ନାମରେ ଏହି କାରରେ ଶକ୍ତିିଶାଳୀ ବ୍ୟାଟେରୀ ବ୍ୟବହୃତ ହେବ । ଥରେ ଚାର୍ଜ ହେଲେ ୪୦୦ କିଲୋମିଟର ଯିବ ଏହି କାର୍ । ମାତ୍ର ୪୦ ମିନିଟରେ ୮୦ ପ୍ରତିଶତ ଚାର୍ଜ ହୋଇପାରିବ ବ୍ୟାଟେରୀ ।