ଆରବିଆଇ ଗଭର୍ଣ୍ଣରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଡିସେମ୍ବର ୧୪ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ…ଜାଣନ୍ତୁ ସାଧାରଣ ଜନତାଙ୍କୁ କଣ ମିଳିବ ଫାଇଦା..

ବଦଳିଯିବ ଟଙ୍କା ସହ ଜଡିତ ନିୟମ...

7,491

କନକ ବ୍ୟୁରୋ: ଦେଶରେ ଡିଜିଟାଲ ପେମେଂଟକୁ ପ୍ରାଥମିକତା ଦେବାକୁ ଆରବିଆଇର ନୂଆ ପଦକ୍ଷେପ  । ଡିସେମ୍ବର ୧୪ତାରିଖରେ ଡିଜିଟାଲ କାରବାରକୁ ନେଇ ହେବାକୁ ଯାଉଛି ବଡ ପରିବର୍ତ୍ତନ । ତେବେ ଆସନ୍ତା ୧୪ରୁ ଆରଟିଜିଏସ୍ ତଥା ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଂଟକୁ ୨୪ ଘଂଟିଆ ଉପଲବ୍ଧ କରିବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୂର୍ବରୁ ଏହି ବ୍ୟବସ୍ଥା ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ଦେଲା ପରେ ସପ୍ତାହର ବାକିସବୁ କାର୍ଯ୍ୟଦିବସରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଉପଲବ୍ଧ ଥିଲା । ମାତ୍ର ଏବେ ଏହି ଆରଟିଜିଏସ୍ ସିଷ୍ଟମକୁ ୨୪ଘଂଟିଆ କରିବାକୁ ନିଷ୍ପତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଂଟ୍ କଣ?

ଆରଟିଜିଏସ ଅର୍ଥାତ୍ ରିୟଲ ଟାଇମ ସେଟଲମେଂଟ ଜରିଆରେ ତୁରନ୍ତ ଫଣ୍ଡ ଟ୍ରାନ୍ସଫର କରାଯାଇପାରିବ । ଯାହାକି ବଡ ବଡ ଆର୍ଥିକ କାରବାରରେ କାମରେ ଆସିଥାଏ । ରିୟଲ ଟାଇମ ସେଟଲମେଂଟ୍ ମାଧ୍ୟମରେ ୨ ଲକ୍ଷରୁ କମ ଆମାଉଂଟ ଟ୍ରାନ୍ସଫର ହୋଇପାରିବ ନାହିଁ । ଏହି ବ୍ୟବସ୍ଥାକୁ ଆପଣ ଉଭୟ ଅନଲାଇଲ୍ ଏବଂ ବ୍ୟାଙ୍କ ବ୍ରାଂଚରୁ ବି ବ୍ୟବହାର କରିପାରିବେ । ବଡ କଥା ହେଉଛି ଆରଟିଜିଏସ ପାଇଁ କୌଣସି ପ୍ରକାରର ଫଣ୍ଡ ଟ୍ରାନ୍ସଫର ଶୁଳ୍କ ଲାଗି ନଥାଏ ମାତ୍ର ବ୍ରାଂଚରେ ଏହା ଉପରେ ଦେୟ ଦେବାକୁ ପଡିଥାଏ ।

ଏଠାରେ ଆମେ କହି ରଖୁଛୁ ଯେ, ଡିଜିଟାଲ ପେମେଂଟକୁ ଅଧିକ ଗୁରୁତ୍ୱ ଦେବାକୁ ୟୁପିଆଇ କିମ୍ବା କାର୍ଡ ଜରିଆରେ ବିନା କୌଣସି ଯୋଗାଯୋଗରେ କରାଯାଉଥିବା ଆର୍ଥିକ ଦେଣନେଣର ସୀମାକୁ ନୂଆବର୍ଷ ଜାନୁଆରୀ ୧, ୨୦୨୧ରୁ ଦୁଇ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ ।  ତେବେ ପରବର୍ତ୍ତୀ ସମୟରେ ଏସଂପର୍କିତ ଏକ ମାର୍ଗଦର୍ଶିକା ପୃଥକ ରୂପେ ଜାରି ହେବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।