ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ: ଇଟାଲୀରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଭୁବନେଶ୍ୱର…ଜାଣନ୍ତୁ କେମିତି ଥିଲା ଏହି କରୋନା ଆକ୍ରାନ୍ତଙ୍କ ପୂରା କାହାଣୀ

ଟ୍ରେନରେ ଆସିବା ବେଳେ ଏବଂ ଓଡ଼ିଶାରେ ପହଂଚିବା ପରେ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ଆକ୍ରାନ୍ତ

4,888

କନକ ବ୍ୟୁରୋ: ରବିବାର ବିଳମ୍ବିତ ରାତିରେ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଦିନ ତମାମ ଏହି ଖବରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା । ଆଉ ଏହାରି ଭିତରେ ଏହି ଯୁବକ, ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଏହା ଛଡା ଟ୍ରେନରେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସେମାନଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଏବେ ତଥ୍ୟ ସଂଗ୍ରହ ଜାରି ରଖିଛନ୍ତି । ଓଡିଶାରୁ ଯାଇ ଇଟାଲୀରେ ଗବେଷଣା କରୁଥିବା ଏହି ୩୩ ବର୍ଷିୟ ଯୁବକଙ୍କ ଦେହରେ କରୋନା ଭୁତାଣୁ ଥିବା ଜଣାପଡିବା ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

 

ଇଟାଲିରୁ ଭୁବନେଶ୍ୱର ଭାୟା ଦିଲ୍ଲୀ…କେବେ ଆସିଥିଲେ, କେମିତି ଚିହ୍ନଟ ହେଲା? ଇଟାଲିରୁ ଭାରତ, ଆକାଶ ମାର୍ଗରେ ପ୍ରାୟ ୬ହଜାର କିଲୋମିଟର ଯାତ୍ରା କରିବା ପରେ ମାର୍ଚ୍ଚ ୬ ତାରିଖ ଦିଲ୍ଲୀରେ ପହଂଚିଥିଲେ ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତ । ୬ ତାରିଖ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍କ୍ରିନିଂ ବି କରାଯାଇଥିଲା । ୧୨ ତାରିଖ ଟ୍ରେନ୍ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଂଚିଥିଲେ ଏହି ଯୁବକ । ୧୩ ତାରିଖ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ପରେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ୧୪ ତାରିଖ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ । ଆଉ ୧୫ ତାରିଖ ବିଳମ୍ବିତ ରାତିରେ ଯେତେବେଳେ ଏହି ଯୁବକଙ୍କ ରିପୋର୍ଟ ଆସିଥିଲା, ଜଣାପଡ଼ିଲା ସେ କରୋନା ଆକ୍ରାନ୍ତ ।

ଇଟାଲିରେ ଗବେଷଣା କରୁଥିବା ଏହି ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ତେବେ ଏହି ସମୟ ବ୍ୟବଧାନ ଭିତରେ ସେ କାହା ସଂଶ୍ପର୍ଶରେ ଆସିଥିଲେ ତା ଉପରେ ତଥ୍ୟ ସଂଗ୍ରହ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଦେଇଥିବା ସୂଚନା ଅନୁସାରେ-

-୫୩ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡିଶାର ପ୍ରଥମ କରୋନା ରୋଗୀ

-ଟ୍ରେନରେ ଆସୁଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ୭୬ ଜଣଙ୍କୁ ଟ୍ରାକ୍ କରାଯାଉଛି

-ଆକ୍ରାନ୍ତ ଯାଇଥିବା ଘରୋଇ କ୍ଲିନକକୁ ବି ବନ୍ଦ କରିଦିଆଯାଇଛି

-ସଂପୃକ୍ତ ଡାକ୍ତରଙ୍କ ସମେତ ଘରୋଇ କ୍ଲିନକର କର୍ମଚାରୀଙ୍କ ଉପରେ ନଜର ରଖାଯାଇଛି

ରବିବାର ବିଳମ୍ବତି ରାତିରେ ଏହି ୩୩ ବର୍ଷିୟ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଆଉ ଏହା ପରେ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିତିର ମୁକାବିଲା ପାଇଁ ଚାଲିଥିବା ଅଭିଯାନକୁ ଆହୁରି ବ୍ୟାପକ କରିଦେଇଛନ୍ତି ।