କନକ ବ୍ୟୁରୋ : ମହାଦେବ ବେଟିଂ ଆପ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁବାଇରେ ମହାଦେବ ବେଟିଂ ଆପର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଅଟକ ରଖାଯାଇଛି । ଖୁବ୍ ଶୀଘ୍ର ଠକ ଚନ୍ଦ୍ରାକରଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରେ । ପୁଲିସ ଚନ୍ଦ୍ରାକରଙ୍କ ବିରୋଧରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଧାରାରେ ମାମଲା ରୁଜୁ କରିଛି । ଏହା ସହ ୨୦୧୯ ରୁ ଏହି ଆପ୍ ଜରିଆରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଠକେଇ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ମୁମ୍ବାଇ ପୋଲିସ ଚନ୍ଦ୍ରାକରଙ୍କ ବିରୋଧରେ ଧାରା ୪୨୦, ୪୬୫, ୪୬୭, ୪୬୮, ୧୨୦ (ବି) ଏବଂ ଆଇଟି ଆଇନର ଧାରା ୬୬ (ସି), ୬୬ (ଏଫ୍) ଅନୁଯାୟୀ ଏଫଆଇଆର ରୁଜୁ କରିଛି ।

Advertisment

ପୁଲିସ ଏହି ମାମଲାରେ ଚନ୍ଦ୍ରାକରଙ୍କ ସମେତ ୩୨ ଜଣଙ୍କୁ ଅଭିଯୁକ୍ତ କରିଛି । ଏହି ମାମଲାରେ ପୋଲିସ ଦ୍ୱାରା ଲାଗୁ କରାଯାଇଥିବା ଆଇଟି ଆଇନର ଧାରା ୬୬(ଏଫ୍)ର ଅର୍ଥ ହେଉଛି "ସାଇବର ଆତଙ୍କବାଦ ପାଇଁ ଦଣ୍ଡ", ଏହି ଧାରା ବହୁତ କମ୍ ମାମଲାରେ ଲାଗୁ କରାଯାଇଛି । ଭାରତର ଅଖଣ୍ଡତା, ଏକତା ଏବଂ ନିରାପତା ପ୍ରତି ବିପଦ ଥିବା କ୍ଷେତ୍ରରେ ଏହି ଧାରା ବିଶେଷ ଭାବରେ ପ୍ରୟୋଗ କରାଯାଏ । ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତମାନେ ୨୦୧୯ ରୁ ଫେସବୁକ, ଇନଷ୍ଟାଗ୍ରାମ, ଗୁଗୁଲରେ ପ୍ରମୋସନ କରି ଖିଲାଡି ବୁକ୍ ଭଳି ଆପ୍ଲିକେସନ୍ ବ୍ୟବହାର କରୁଥିଲେ ଏବଂ ଲୋକଙ୍କୁ କ୍ରିକେଟ, ଫୁଟବଲ, ଟେନିସ, କ୍ୟାସିନୋ ଏବଂ ତିନ ପଟ୍ଟି ଭଳି ଖେଳ ଖେଳିବାକୁ ପ୍ରୋତ୍ସାହିତ କରୁଥିଲେ ।

ଅଭିଯୁକ୍ତମାନେ ଏହି ମାଧ୍ୟମରେ ପାଖାପାଖି ୧୫ ହଜାର କୋଟି ଟଙ୍କା ବେଆଇନ୍ ଭାବେ ରୋଜଗାର କରିଛନ୍ତି ଏବଂ ଏହି ପାଣ୍ଠିକୁ ଭାରତ ଏବଂ ବିଦେଶରେ ହୋଟେଲ ଏବଂ ଅନ୍ୟାନ୍ୟ ସଂପତି ଅଧିଗ୍ରହଣ କରିଥିବା ଅଭିଯୋଗ ହୋଇଛି । ନିକଟରେ ଆଇଟି ମନ୍ତ୍ରଣାଳୟ ମହାଦେବ ଆପ୍ ସମେତ ୨୨ଟି ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି । ଇଡିର ଅନୁରୋଧକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ୱେବସାଇଟ୍ ବ୍ଲକ୍ ହେବା ମାତ୍ରେ ମହାଦେବ ବୁକ୍ ମଧ୍ୟ ଏକ ନୂଆ ଡୋମେନ୍ ଜାରି କରିଛି । ଏହି ଆପ୍ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ବେଟରଙ୍କ ଆଇଡି ଓ ପାସୱାର୍ଡ ସମାନ ରହିବ ।