କନକ ବ୍ୟୁରୋ: ଆଜି ଆଉ ୯ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ତେବେ ଏହି ୯ଟି ଆସନ ଭିତରେ ରହିଛି ରେମୁଣା ଆସନକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । କାରଣ ସେଠାରୁ ଜଣେ ସରପଞ୍ଚଙ୍କୁ ବିଜେଡି ଟିକେଟ ଦେଇ ବିଧାୟିକା ପ୍ରାର୍ଥୀ କରିଛି । ଆଉ ଟିକେଟ ପାଇବା ପରେ ପ୍ରାର୍ଥି ବିଦ୍ୟାସ୍ମିତା ମହାଳିକା ଭାବବିହ୍ୱଳ ହୋଇପଡି କାନ୍ଦି ପକାଇଛନ୍ତି ।
ଜଣେ ସରପଞ୍ଚ ଭାବେ ଦଳର ବିଶ୍ୱାସ ଭାଜନ ହେବା ପରେ ବିଦ୍ୟାସ୍ମିତାଙ୍କୁ ବିଧାୟିକା ଟିକେଟ ଦେଇ ଦଳ ସରପ୍ରାଇଜ ଦେଇଛି । ତେବେ ଟିକେଟ ପାଇବାପରେ ସେ ଭାବବିହ୍ୱଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଆଉ ପ୍ରତିକ୍ରିୟା ଦେଇ ସେ କହିଥିଲେ, ଜଣେ ଗରିବ ମହିଳାକୁ ଆଗକୁ ଯିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ ।
ଏହି ଆସନରେ ୨୦୦୯ରେ ବିଜେଡି ବିଜୟୀ ହୋଇଥିଲା ବେଳେ ୨୦୧୪ରେ ବିଜେପି ବିଜୟୀ ହୋଇଥିଲା । ତେବେ ୨୦୧୯ରେ ସୁଧାଶୁଂ ଶେଖର ପରିଡା ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏହି ଆସନକୁ ନିଜ କବଜାରେ ରଖିବାକୁ ନୂଆ ଚାଲ ଖେଳିଛି ବିଜେଡି । ଜଣେ ମହିଳା ସରପଞ୍ଚ ଙ୍କୁ ବିଧାୟିକା ଟିକେଟ ଦେଇଛି ଦଳ । ତେବେ ଦେଖିବାକୁ ବାକି ରହିଲା ବିଦ୍ୟାସ୍ମିତା ଦଳର ବିଶ୍ୱାସ ଜିତି ପାରୁଛନ୍ତି କି ନାହିଁ ।