ଫୁଲବାଣୀର ବିସ୍ମୟ ବାଳିକା ବିଦୁସ୍ମିତା ପ୍ରଧାନ : ଆଖିରେ ପଟି ବାନ୍ଧି ଚଲାଉଛନ୍ତି ସାଇକେଲ, ପଢୁଛନ୍ତି ବହି

ଗନ୍ଧ ବାରି ଚିହ୍ନୁଛନ୍ତି ପେନସିଲର ରଙ୍ଗ

243

କନକ ବ୍ୟୁରୋ : ସାଧନା ବଳରେ ଅସାଧାରଣ କାର୍ଯ୍ୟ ବି ସହଜରେ କରିହୁଏ । କୌଣସି କାର୍ଯ୍ୟ ଅସମ୍ଭବ ହୋଇ ରୁହେ ନାହିଁ । ଯାହା କରି ପାରିଛନ୍ତି ୧୪ ବର୍ଷର ବାଳିକା ବିଦୁସ୍ମିତା ପ୍ରଧାନ । ଫୁଲବାଣୀ ଜି.ଇ.ଡି କଲୋନୀର ବିଦୁସ୍ମିତା ଆଖି ବନ୍ଦ କରି ସାଇକେଲ ଚଲେଇବା ସହ ପାଠ ପଢିବା ଏବଂ ଲେଖାଲେଖି କରୁଛନ୍ତି ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ଜି.ଇ.ଡି କଲୋନୀର ବଳରାମ ପ୍ରଧାନ ଓ ଅର୍ଚ୍ଚନା ପ୍ରଧାନଙ୍କ ବଡ ଝିଅ ବିଦୁସ୍ମିତା । ନବମ ଶ୍ରେଣୀର ଛାତ୍ରୀ ବିଦୁସ୍ମିତାଙ୍କ ବିସ୍ମୟକର ପ୍ରତିଭା ସମସ୍ତଙ୍କୁ ଚକିତ କରିଛି । ଆଖିରେ ପଟି ବାନ୍ଧି ପାଠ ପଢିବା ସହ ଲେଖି ପାରନ୍ତି ଏହି ୧୪ ବର୍ଷର ଝିଅ । ଖାଲି ଏତିକି ନୁହେଁ ସାଇକେଲ ଚଲାଇବା ଏବଂ ରଙ୍ଗ ପେନସିଲ ଶୁଙ୍ଘି ରଙ୍ଗ ମଧ୍ୟ କହି ପାରନ୍ତି ବିଦୁସ୍ମିତା ।

ତେବେ ଆଖି ବନ୍ଦ ହୋଇଗଲେ ସବୁ ଅନ୍ଧାର ହୋଇଯାଏ । କାମ କରିବା ପାଇଁ ସହଯୋଗ ଲୋଡା ପଡେ । କିନ୍ତୁ ବିଦୁସ୍ମିତା ଆଖିରେ ପଟି ବାନ୍ଧି ମୋବାଇଲ, କମ୍ପୁଟର ପରିଚାଳନା କରି ପାରୁଛନ୍ତି । ଯୋଗ ସାଧନା ଦ୍ୱାରା ନିଜକୁ ଆୟତ୍ତ ରଖିପାରିଲେ ସବୁ କାମ ସମ୍ଭବ । ତେଣୁ ସେ ପ୍ରତିଦିନ ସକାଳୁ ୩ ଘଣ୍ଟା ଯୋଗ କରିବା ସହ ସାନ ଭଉଣୀ ମଧୁସ୍ମିତାକୁ ମଧ୍ୟ ଯୋଗ ଶିକ୍ଷା ଦେଉଛନ୍ତି । ତେଣୁ ସାନ ଭଉଣୀ ମଧ୍ୟ ସେହି ଶକ୍ତିର ଅଧିକାରୀ ହୋଇପାରିଛନ୍ତି  ।