ଇସ୍ରାଏଲ-ପାଲେଷ୍ଟାୟିନୀ ମଧ୍ୟରେ ବଢୁଛି ହିଂସାତ୍ମକ ସଂଘର୍ଷ... ହିଂସାର ତୀବ୍ରତା କମାଇବାକୁ ବୁଝାଇଲେ ବାଇଡେନ୍ । ଗାଜା ଉପରେ ଆକ୍ରମଣ ଜାରି ରହିବ କହିଲେ ନେତାନ୍ୟାହୁ

Advertisment
ଇସ୍ରାଏଲ-ପାଲେଷ୍ଟାୟିନୀ ମଧ୍ୟରେ ବଢୁଛି  ହିଂସାତ୍ମକ ସଂଘର୍ଷ... ହିଂସାର ତୀବ୍ରତା କମାଇବାକୁ ବୁଝାଇଲେ ବାଇଡେନ୍ । ଗାଜା ଉପରେ ଆକ୍ରମଣ ଜାରି ରହିବ କହିଲେ ନେତାନ୍ୟାହୁ

୧୦ ଦିନରୁ ଊର୍ଦ୍ଧ୍ବ ହେବ ଚାଲିଥିବା ହିଂସାତ୍ମକ ସଂଘର୍ଷର ତୀବ୍ରତା କମାଇ ଅସ୍ତ୍ରବିରତି ପାଇଁ ଉପାୟ କରାଯାଉ ବୋଲି ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ବୁଝାଇବା ସତ୍ତ୍ବେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଲ‌‌, ଗାଜାର ଶାସକ ହମାସ୍‌ ସଂଗଠନ ଉପରେ ଆକ୍ରମଣ ଅଭିଯାନ ପୂର୍ବ ଭଳି ଚାଲୁ ରହିବ। ଆତ୍ମରକ୍ଷା ନିମନ୍ତେ ଗାଜାର ରକେଟ୍‌ ଆକ୍ରମଣକୁ ପ୍ରତିହତ କରିବା ଅଧିକାର ତାଙ୍କର ରହିଛି। ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ତାଙ୍କୁ ସମର୍ଥନ କରିଛି ବୋଲି ସେ ବାରମ୍ବାର କହି ଆସୁଛନ୍ତି।

କିନ୍ତୁ, ଯୁଦ୍ଧର ତୀବ୍ରତା କମାଇବା ସମୟ ଆସିଯାଇଛି ବୋଲି ବାଇଡେନ୍‌ ତାଙ୍କୁ ଟେଲିଫୋନ୍‌ରେ କହିଥିବା ପରାମର୍ଶକୁ ସେ ଗ୍ରହଣ କରିବାକୁ ନାରାଜ । ଏ ସଂକ୍ରାନ୍ତରେ ହ୍ବାଇଟ୍‌ ହାଉସ୍‌ର ମୁଖପାତ୍ରୀ କେରାଇନ୍‌ ଜିନ୍‌-ପାଇରି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଗାଜାର ସାମ୍ପ୍ରତିକ ପରିସ୍ଥିତି, ଆଞ୍ଚଳିକ ସରକାର ଓ ଯୁକ୍ତରାଷ୍ଟ୍ର ଆମେରିକା ଚଳାଇ ଥିବା କୂଟନୈତିକ ଉଦ୍ୟମ ସଂକ୍ରାନ୍ତରେ ଉଭୟ ନେତା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଅସ୍ତ୍ରବିରତି ପାଇଁ ଆଜି ଉପାୟ କରାଯାଉ ବୋଲି ରାଷ୍ଟ୍ରପତି ବାଇଡେନ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ପରାମର୍ଶ ଦେଇଛନ୍ତି।

ସେପଟେ, ପାଲେଷ୍ଟାୟିନୀୟ ମେଡିକାଲ୍‌ ଅଧିକାରୀମାନେ କହିଛନ୍ତି ଯେ, ମେ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ କାରଣରୁ ବିମାନ ଆକ୍ରମଣରେ ଏଯାବତ୍ ୨୨୭ଜଣ ବ୍ୟକ୍ତି ନିହତ ହୋଇଛନ୍ତି । ଏହାଛଡ଼ା, ରାସ୍ତାଘାଟ, କୋଠାବାଡ଼ି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିଧ୍ବସ୍ତ ହୋଇ ଗାଜାର ମାନବୀୟ ପରିସ୍ଥିତି ଉଜୁଡ଼ି ଗଲାଣି। ସେହିଭଳି, ଇସ୍ରାଏଲୀୟ କର୍ତ୍ତୃପକ୍ଷମାନେ କହିଛନ୍ତି, ଇସ୍ରାଏଲ୍‌ରେ ୧୨ଜଣ ବ୍ୟକ୍ତି ନିହତ ହୋଇଛନ୍ତି। ଘନ ଘନ ରକେଟ୍ ଆକ୍ରମଣ ହେଉଥିବାରୁ ଲୋକେ ଛାନିଆରେ ଆଶ୍ରୟସ୍ଥଳମାନଙ୍କୁ ଧାଇଁ ଯାଉଛନ୍ତି । ଅସ୍ତ୍ରବିରତି ଲାଗି ଆଞ୍ଚଳିକ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ କୂଟନୈତିକ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯନ୍ତ ଫଳପ୍ରଦ ହୋଇପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe