ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଜୋ ବାଇଡେନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବଦଳାଇଲେ ଟ୍ରମ୍ପଙ୍କ ୧୭ଟି ନିଷ୍ପତ୍ତି ।

277

କନକ ବ୍ୟୁରୋ : ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ପଦଭାର ସମ୍ଭାଳିବା ପରେ ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଜୋ ବାଇଡେନ । କାର୍ଯ୍ୟଭାର ସମ୍ଭାଳିବାର ପ୍ରଥମ ଦିନରେ ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳାଇ ଦେଇଛନ୍ତି ବାଇଡେନ । ସରକାର ପ୍ରାଥମିକ ଭାବରେ କୋଭିଡ, ଅର୍ଥନୀତି ସଙ୍କଟ ଏବଂ ଜଳବାୟୁ ସଙ୍କଟକୁ ଗୁରୁତ୍ୱ ଦେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜୋ ବାଇଡେନ ବଦଳାଇଥିବା ନିିଷ୍ପତ୍ତି ଗୁଡିକରେ ପ୍ରମୁଖ ରହିଛି :-
୧. କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
୨. ପ୍ୟାରିସ ଜଳବାୟୁ ଚୁକ୍ତିକୁ ପୁଣି ଫେରିବ ଆମେରିକା
୩. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ପୁଣି ସାମିଲ ହେବ ଆମେରିକା
୪. ମୁସଲିମ ଦେଶ ଗୁଡିକ ଉପରେ ଲାଗିଥିବା ଯାତ୍ରା କଟକଣା ହଟିଲା
୫. ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ ଉପରେ ରୋକ

କରୋନାକୁ ହରାଇବା ପାଇଁ ଆମେରିକାବାସୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ବାଇଡେନ । ତେବେ ପ୍ୟାରିସ ଜଳବାୟୁ ଚୁକ୍ତିନାମା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ସରକାର ଓହରିବ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ଏବେ ଆମେରିକା ଏହି ସବୁ ଫୋରମରେ ପୁଣି ଯୋଗ ଦେବ ବୋଲି ସୂଚନା ଦେଇଛନ୍ତି ଜୋ ବାଇଡେନ ।

କେବଳ ଏତିକି ନୁହେଁ ମୁସଲିମ ଦେଶ ଗୁଡିକରେ ଆମେରିକାକୁ ଯାତ୍ରା କରିବା ଉପରେ ଲାଗିଥିବା ବ୍ୟାନକୁ ମଧ୍ୟ ହଟାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୨୦୧୭ରେ ମୁସଲିମ ବହୁଳ ଦେଶ ଗୁଡିକ ଉପରେ କଟକଣା ଲଗାଇଥିଲେ ଟ୍ରମ୍ପ ସରକାର । ସେହିପରି ଆମେରିକା–ମେକ୍ସିକୋ ଭିତରେ ପାଚେରୀ ନିର୍ମାଣ ଉପରେ ମଧ୍ୟ ତୁରନ୍ତ ରୋକ ଲଗାଇଛନ୍ତି ବାଇଡେନ ସରକାର ।

ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ପ୍ରତ୍ୟାହାର କରିବା ପାଇଁ ଏପର୍ଯ୍ୟନ୍ତ ୧୭ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିସାରିଛନ୍ତି । ଆଗାମୀ ଦିନରେ ସେ ଏପରି ଅନେକ ନିଷ୍ପତିକୁ ବଦଳାଇ ବୋଲି ସୂଚନା ମିଳିଛି । ଯାହା ପଦ ସମ୍ଭାଳିବାର କିଛି ସମୟ ମଧ୍ୟରେ କରି ଦେଖାଇଥିଲେ ଜୋ ବାଇଡେନ ।