ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଆସନ୍ତାକାଲି ବାଇଡେନଙ୍କ ସହ ଆଲୋଚନା

ଆତଙ୍କବାଦ ସମେତ ବିଭିନ୍ନ ପ୍ରସଙ୍ଗରେ ହେବ ଚର୍ଚ୍ଚା; କୋଭିଡ୍ ବିଶ୍ୱ ସମ୍ମିଳନୀରେ ଯୋଗ ଦେଇ କହିଲେ, ଟିକା ଉତ୍ପାଦନ ବଢ଼ିଲେ ବିଦେଶକୁ ଟିକା ଯୋଗାଇବ ଭାରତ

116

କନକ ବ୍ୟୁରୋ : ଟିକା ପ୍ରମାଣପତ୍ର ଓ ପାରସ୍ପରିକ ସହଯୋଗ ଜରିଆରେ ଅନ୍ତର୍ଜାତୀୟ ଯାତ୍ରାକୁ ସହଜ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଶ୍ୱ କୋଭିଡ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଟିକା ପ୍ରସ୍ତୁତି ପାଇଁ କଂଚାମାଲ ଯୋଗାଣର ମାଧ୍ୟମକୁ ଖୋଲା ରଖାଯିବା ଦରକାର । ଅର୍ଥନୀତି ଉପରେ କରୋନାର ପ୍ରଭାବକୁ ବିଚାରକୁ ନେଇ ଏହାକୁ ସୁଧାରିବାକୁ ଚେଷ୍ଟା ହେବା ଦରକାର , ଆଉ ଏଥିପାଇଁ ଅନ୍ତର୍ଜାତୀୟ ଯାତ୍ରା ସହଜ ହେବା ଆବଶ୍ୟକ । ଦେଶମାନେ ପରସ୍ପରର ଟିକା ପ୍ରମାଣପତ୍ରକୁ ମାନ୍ୟତା ଦେଇ ଏଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଦେଶରେ ଟିକା ଉତ୍ପାଦନ ବଢ଼ାଉଯାଉଛି ଓ ଭାରତ ପୁଣି ଥରେ ବିଦେଶକୁ ଟିକା ଯୋଗାଇବ ବୋଲି ଭରସା ଦେଇଛନ୍ତି ମୋଦି । ୫ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ । ଆତଙ୍କବାଦ ସମେତ ବାଣିଜ୍ୟ ଓ ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆଦି କ୍ଷେତ୍ରରେ ଆଲୋଚନା କରିବେ । ଆଫଗାନିସ୍ତାନରେ ବର୍ତ୍ତମାନର ଆଂଚଳିକ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।