କନକ ବ୍ୟୁରୋ : ୟୁକ୍ରେନ ସଙ୍କଟ ଭିତରେ ଏୟାର ଇଣ୍ଡିଆ କରିଛି ବଡ ଘୋଷଣା । ସେଠାରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଫେରାଇବା ଅନୁରୋଧ ବଢିବା ପରେ ବଡ ଘୋଷଣା କରିଛି ଏୟାରଇଣ୍ଡିଆ । ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆସନ୍ତା ସପ୍ତାହରେ ଭାରତ ଓ ୟୁକ୍ରେନ ମଧ୍ୟରେ ୩ଟି ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଛି ଏୟାରଇଣ୍ଡିଆ । ଫେବୃଆରୀ ୨୨, ୨୪ ଓ ୨୬ରେ ବିମାନଗୁଠିକ ୟୁକ୍ରେନରେ ପହଁଚିବ ଓ ଭାରତୀୟଙ୍କୁ ସ୍ୱଦେଶ ଆଣିବ । ସେପଟେ ନିଜ ପରିଜନ କିଭଳି ସୁରକ୍ଷିତ ଫେରିବେ ସେ ନେଇ ଚିନ୍ତାରେ ଅଛନ୍ତି ଭାରତରେ ଥିବା ସର୍ମ୍ପକୀୟ ।

Advertisment

ଅନ୍ୟପଟେ ୟୁକ୍ରେନକୁ ନେଇ ଏବେ ବି ସାରା ବିଶ୍ୱ ଆଶା ଆଶଙ୍କା ଘେରରେ । ଋଷିଆ କହୁଛି ବାର୍ଷିକ ଯୁଦ୍ଧାଭ୍ୟାସ ପରେ ୟୁକ୍ରେନ ସୀମାନ୍ତରୁ ସେ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରୁଛି । ଋଷିଆର ଏହି କଥାକୁ ନମାନି ବାରମ୍ବାର ଆମେରିକା ଗୋଟେ ଦାବି କରି ଆସୁଛି । ଆଉ ଏହି ଦାବି ହେଉଛି ୟୁକ୍ରେନ ଉପରେ ଋଷିଆ କୌଣସି ମୁହୁର୍ତରେ କରିପାରେ ଆକ୍ରମଣ । ଏବେ ପୁଣି ସମାନ କଥା ଦୋହରାଇ ସର୍ତକ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ଏସବୁ ବୟାନବାଜି ଭିତରେ ୟୁକ୍ରେନରେ ହୋଇଛି ବିସ୍ଫୋରଣ । ପୂର୍ବ ୟୁକ୍ରେନର ଲୁହାନସ୍କରେ ବିସ୍ଫୋରଣ ହୋଇଛି । ଲୁହାନସ୍କର ଗ୍ୟାସ୍ ପାଇପ୍ ଲାଇନ୍ ନିକଟରେ ବିସ୍ଫୋରଣ ହୋଇଛି । ଲୁହାନସ୍କ ଓ ଡୋନେସରେ ୨୪ଘଂଟାରେ ୧୨ଟି ସ୍ଥାନରେ ବିସ୍ଫୋରଣ ଘଟିଛି । ସେପଟେ ଯୁଦ୍ଧ ନେଇ ଆଶଙ୍କା ପ୍ରକାଶ କରିଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ୟୁକ୍ରେନ୍ ଉପରେ ଆକ୍ରାମଣ ପାଇଁ ମନ ସ୍ଥିର କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ରୁଷ ସେନା ପ୍ରତ୍ୟାହାର କରିବା ପରିବର୍ତେ ୟୁକ୍ରେନ୍ ସୀମା ଆଡକୁ ପଠାଉଛନ୍ତି । ବାଇଡେନଙ୍କ ଏହି ଟିପ୍ପଣୀକୁ ବେଶ୍ ଗୁରୁତର ସହ ନିଆଯାଉଛି । ଭ୍ଳାଦିମିର ପୁଟିନଙ୍କ ପ୍ରରୋଚନାରେ ବିଦ୍ରୋହୀ ସେନା ୟୁକ୍ରେନରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛି । ଯୁଦ୍ଧ ଆଶଙ୍କା ଭିିତରେ ସୀମା ନିକଟବର୍ତୀ ଲୁହାନସ୍କ ଅଂଚଳରୁ ପ୍ରାୟ ୭ହଜାର ଲୋକ ଘର ଛାଡିଛନ୍ତି । ଏମାନଙ୍କ ଭିତରେ ଅଧିକାଂଶ ମହିଳା ଓ ଛୋଟ ପିଲା ରହିଛନ୍ତି ।

୨୦୧୪ରେ ଋଷ ଯେତେବେଳେ କ୍ରିମିଆ ଉପରେ ଆକ୍ରମଣ କରି ତାକୁ ଅକ୍ତିଆର କରିଥିଲା ସେହି ସମୟରେ ବିଦ୍ରୋହୀ ସେନା ୟୁକ୍ରେନରେ ଆକ୍ରମଣ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଥିଲା । ଯେଉଁଥିରେ ୮ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ପୁଣି ଥରେ ଏପରି ପରିସ୍ଥିତି ଭୟରେ ଲୁହାନସ୍କ ବାସୀ ନିଜର ଘର ଛାଡିଛନ୍ତି । ଏହାରି ଭିତରେ ୟୁକ୍ରେନ୍ ସୀମାରେ ଆଟାକ୍ ପୋଜିସନରେ ରହିଛନ୍ତି ରୁଷର ୪୦ରୁ ୫୦ ହଜାର ଜଣ ସୈନିକ । ରୁଷ ୟୁକ୍ରେନ୍ ସୀମାରେ ସୈନ୍ୟ ସଂଖ୍ୟା ବଢାଇ ଚାଲିଛି ବୋଲି ଆମେରିକା ଲାଗତର ଦାବି କରି ଆସୁଛି । ୟୁକ୍ରେନ୍ ନିକଟରେ ରୁଷ ପ୍ରାୟ ୧ ଲକ୍ଷ ୯୦ ହଜାର ସୈନ୍ୟ ମୁତୟନ କରିଛି ବୋଲି କୁହାଯାଉଛି । ଗତ ଜାନୁଆରୀରେ ଏହି ସଂଖ୍ୟା ଥିଲା ୧ ଲକ୍ଷ । ୟୁକ୍ରେନ୍ ସଂକଟ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କାନାଡା, ୟୁରୋପ ଓ ନାଟୋର ବିଭିନ୍ନ ନେତାଙ୍କ ସହ ବୈଠକ କରିବେ ।