ଋଷିଆ ରାଷ୍ଟପତିି ପୁଟିନଙ୍କୁ ହତ୍ୟାକାରୀ କହିଲେ ବାଇଡେନ୍ । ନିର୍ବାଚନରେ ଟ୍ରମ୍ପଙ୍କୁ ସହାୟତା କରୁଥିବା ଆଣିଲେ ଅଭିଯୋଗ ।

172

କନକ ବ୍ୟୁରୋ: ଆମେରିକା ଓ ଋଷିଆ ମଧ୍ୟରେ ପୁଣି ଆରମ୍ଭ ହୋଇଛି ତିକ୍ତତା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟାକାରୀ ବୋଲି କହିଛନ୍ତି । ଭ୍ଲାଦିମିର ପୁଟିନ ଜଣେ ହତ୍ୟାକାରୀ ଏବଂ ଆମେରିକୀୟ ନିର୍ବାଚନରେ ହସ୍ତକ୍ଷେପ କରିଥିବା କାରଣରୁ ସେ ଏହାର ପରିଣାମ ଭୋଗିବେ ବୋଲି କହିଛନ୍ତି ବାଇଡେନ । ଏହାପରେ ତୁରନ୍ତ ଆଗାମୀ ଦିନରେ ଉଭୟ ଦେଶର ସର୍ମ୍ପକକୁ ନେଇ ବିଚାରବିମର୍ଷ କରିବା ପାଇଁ ଆମେରିକାରେ ଥିବା ଋଷିୟ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଛି ଋଷିଆ । କିନ୍ତୁ ମସ୍କୋରେ ଥିବା ତାର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନାହିଁ ୱାସିଂଟନ ।

ଆମେରିକୀୟ ଗଣମାଧ୍ୟମରେ ସାକ୍ଷାତକାର ବେଳେ ବାଇଡେନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ରିପୋର୍ଟ ସମ୍ପର୍କରେ ପଚରାଯାଇଥିଲା । ଗୁଇନ୍ଦା ରିପୋର୍ଟ ଅନୁସାରେ ୨୦୨୦ ଆମେରିକା ନିର୍ବାଚନରେ ବାଇଡେନଙ୍କୁ କ୍ଷତି ଏବଂ ଟ୍ରମ୍ପଙ୍କ ସହାୟତା ପାଇଁ ପୁଟିନ ଉଦ୍ୟମ କରିଥିଲେ । ଜୋ ବାଇଡେନ କହିଥିଲେ ସେ ଏହାର ପରିଣାମ ଭୋଗିବେ । ଏହାସହ ଋଷ ସରକାରଙ୍କ ବିରୋଧୀ ନେତା ଆଲେକ୍ସି ନାଭାଲିନ ଏବଂ ଅନ୍ୟ ପ୍ରତିଦ୍ୱନ୍ଦୀଙ୍କୁ ବିଷ ଦେବା ଲାଗି ଆଦେଶ ଦେଇଥିବା ପୁଟିନଙ୍କୁ ସେ ଜଣେ ହତ୍ୟାକାରୀ ଦୃଷ୍ଟିରେ ଦେଖନ୍ତି କି? ବୋଲି ବାଇଡେନଙ୍କୁ ପଚରା ଯିବା ପରେ ଉତ୍ତରରେ ବାଇଡେନ କହିଲେ, ହଁ ମୁଁ ତାଙ୍କୁ ସେହି ଦୃଷ୍ଟିରେ ଦେଖେ ।

ଭ୍ଲାଦିମିର ପୁଟିନଙ୍କୁ ହତ୍ୟ।।କାରୀ କହିବା ବାଇଡେନଙ୍କ ବୟାନକୁ ନେଇ ଋଷିଆ ପ୍ରତିକ୍ରିୟା ପ୍ରକାଶ କରିଛି । ଏପରିକି ବାଇଡେନଙ୍କ ଏପରି ବୟାନ ପାଇଁ ଆମେରିକା କ୍ଷମା ମାଗିବା ଆବଶ୍ୟକ ବୋଲି କହିଛି ଋଷିଆ । ଏହାଛଡା ନାଭାଲିନଙ୍କୁ ବିଷ ଦେଇଥିବା କାରଣରୁ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ବିଭାଗ ଋଷିଆ ପ୍ରତି ଲାଗୁ କରିଥିବା ରପ୍ତାନି କଟକଣାକୁ ଆହୁରି କଠୋର କରିବ ବୋଲି ମଧ୍ୟ ଘୋଷଣା କରିଛି ।