କନକ ବ୍ୟୁରୋ : ୟୁକ୍ରେନ-ଋଷ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗିଛି । ସମସ୍ୟାର ସମାଧାନ ପାଇଁ  ଶିଖର ସମ୍ମିଳନୀ ଡାକିବାକୁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜି ହୋଇଛନ୍ତି । ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ରହିଛି । ତାହା ହେଲେ ୟୁକ୍ରେନ ଉପରେ ଋଷ ଯେଭଳି ଆକ୍ରମଣ ନ କରେ । ଆମେରିକା ହ୍ୱାଇଟହ୍ୱାଉସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

Advertisment

ଫ୍ରାନ୍ସର ରାଷ୍ଟ୍ରପତି ଏହି ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ ।  ୟୁରୋପର ନିରପତ୍ତା ଓ ରାଜନୈତିକ ସ୍ଥିରତା ଦୃଷ୍ଟିରୁ  ଏହି ବୈଠକ ଜରୁରୀ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଥିଲା । ଏହି ସମ୍ମିଳନୀକୁ  ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କୁ ଡକାଯିବ ବୋଲି ବି ଫ୍ରାନ୍ସ କହିଥିଲା । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ପୂର୍ବରୁ  ୨୪ ତାରିଖରେ ଭବିଷ୍ୟତ ରଣନୀତି ସ୍ଥିର କରିବାକୁ ଦୁୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବସିବ ।  ସେପଟେ ୟୁକ୍ରେନ ସୀମାରେ ଉତ୍ତେଜନା ଲାଗି ରହିଛି ।  ସୀମାନ୍ତରେ ଋଷ ଆଣବିକ ସମରାଭ୍ୟାସ ସହ  ସେନା ସଂଖ୍ୟା ବଢାଇଚାଲିଛି ।

ଏକାଧିକ କ୍ଷେପଣାସ୍ତ୍ର ବି  ପରୀକ୍ଷଣ କରିଛି । କେବଳ ଏତିକି ନୁହେଁ, ୟୁକ୍ରେନ ବିଚ୍ଛନ୍ନତାବାଦୀଙ୍କୁ ମଧ୍ୟ ଋଷ ସମର୍ଥନ କରିବାକୁ ଘୋଷଣା କରିଛି । ଏହାକୁ ଦୃଷ୍ଟିରେ ରଖି ଋଷ ୟୁକ୍ରେନ ଉପରେ ଯେକୌଣସି ମୂୂହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି  ଆମେରିକା ଆଶଙ୍କା ପ୍ରକାଶ କରିଛି ।  ୟୁକ୍ରେନ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ନିଜ ଦେଶର ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ।