ବାଇଡେନଙ୍କ ମୁହଁରେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଶଂସା । କହିଲେ, ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ମୂଳ ଆମେରିକୀୟ ।

174

କନକ ବ୍ୟୁରୋ: ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ମୂଳ ଆମେରିକୀୟ । ଏକଥା ଶୁଣି କିଛି ଆଶ୍ଚର୍ଯ୍ୟ ଲାଗୁଛି କି , ଲାଗିବା ବି ସ୍ୱାଭାବିକ । ହେଲେ ଏକଥା ଆମେ କହୁନାହୁଁ ବରଂ ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକଥା କହିଛନ୍ତି । ଅବଶ୍ୟ ବାଇଡେନ ମଜାଳିଆ ଢଙ୍ଗରେ ଏହା କହିଛନ୍ତି । ଆମେରିକୀୟ ମହାକାଶ ସଂସ୍ଥା, ନାସାର ବୈଜ୍ଞାନିକଙ୍କ ସହ ଭିଡିଓ କନଫେରେନ୍ସିଂରେ କଥା ହେବା ବେଳେ ଏହା ଥିଲା ବାଇଡେନଙ୍କ ଉକ୍ତି ।

ନାସାର ମଙ୍ଗଳ ଅଭିଯାନ ନେଇ ବୈଜ୍ଞାନିକଙ୍କ ସହ କଥା ହେଉଥିଲେ ବାଇଡେନ । ଭାରତୀୟ ବଂଶୋଦ୍ଭବ ସ୍ୱାତୀ ମୋହନ ନାସାର ମଙ୍ଗଳ ଅଭିଯାନର କଥା ବୁଝୁଛନ୍ତି । ମଙ୍ଗଳଯାନର ନିୟନ୍ତ୍ରଣ, ମାର୍ଗ ଦର୍ଶନ ଓ ପରିଚାଳନା ସ୍ୱାତୀ ମୋହନଙ୍କ ଦାୟିତ୍ୱରେ ଅଛି । ବାଇଡେନ ନିଜ ସମ୍ବୋଧନରେ ସ୍ୱାତୀଙ୍କ ଅବଦାନକୁ ପ୍ରଂଶସା କରିଥିଲେ ।

ରାଷ୍ଟ୍ରପତି ହେବାର ୫୦ ଦିନରୁ କମ୍ ସମୟ ମଧ୍ୟରେ ବାଇଡେନ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀରେ ୫୦ରୁ ଅଧିକ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତି ଦେଇସାରିଛନ୍ତି । ଭାଷଣ ଲେଖକଙ୍କ ଠାରୁ ଆରମ୍ଭ କରି ନାସା ପର୍ଯ୍ୟନ୍ତ, ଆମେରିକା ପ୍ରଶାସନର ପ୍ରାୟ ସବୁ ବିଭାଗରେ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି…

ବାଇଡେନଙ୍କ ଟିମରେ ଭାରତୀୟ ବଂଶୋଦ୍ଭବ

• ଉପରାଷ୍ଟ୍ରପତି ଡେପୁଟି ପ୍ରେସ୍ ସେକ୍ରେଟାରୀ ସବ୍ରିନା ସିଂ
• ହ୍ୱାଇଡ ହାଉସର ଡିଜିଟାଲ ବିଭାଗରେ କାର୍ଯ୍ୟରତ ଆୟସା ଶାହା
• ହ୍ୱାଇଟ ହାଉସର ଜାତୀୟ ଅର୍ଥନୈତିକ ପରିଷଦରେ ଉପନିର୍ଦ୍ଦେଶକ ସମୀରା ଫାଜିଲି
• ଆସିଣ୍ଟାଣ୍ଟ ପ୍ରେସ୍ ସେକ୍ରେଟାରୀ ବେଦାନ୍ତ ପଟେଲ
• ଜାତୀୟ ଅର୍ଥନୈତିକ ପରିଷଦରେ ଉପନିର୍ଦ୍ଦେଶକ ଭରତ ରାମମୂର୍ତ୍ତି
• ପ୍ରେସିଡେନସିଆଲ ପର୍ସୋନେଲ ଅଫିସରେ ଉପନିର୍ଦ୍ଦେଶକ ଗୌତମ ରାଘବନ
• ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ସହଯୋଗୀ ମାଳା ଆଡିିଗା
• ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ଡିଜିଟାଲ ପରାମର୍ଶଦାତା ଗରିମା ବର୍ମା
• ଜାତୀୟ ସୁରକ୍ଷା ଓ ପ୍ରଯୁକ୍ତ କ୍ଷେତ୍ରରେ ବରିଷ୍ଠ ନିର୍ଦ୍ଦେଶକ ତରୁଣ ଛାବ୍ରା
• ଜାତୀୟ ସୁରକ୍ଷା ପରିଷଦରେ ବରିଷ୍ଠ ନିର୍ଦ୍ଦେଶକ ସୁମନା ଗୁହା
• ଗଣତନ୍ତ୍ର ଓ ମାନବିକ ଅଧିକାର ଆବାହକ ଶାନ୍ତି କାଳାତିଲ
• ପରିବେଶ ସମ୍ପର୍କିତ ନିୟମ ପରାମର୍ଶଦାତା ସୋନିଆ ଅଗ୍ରୱାଲ

ସବୁଠୁ ବଡ଼ କଥା ହେଲା ଆମେରିକାର ଏବେକାର ଉପରାଷ୍ଟ୍ରପତି କମଳା ହାରିସ୍ ଜଣେ ଭାରତୀୟ ବଂଶୋଦ୍ଭବ । ବାଇଡେନ ପ୍ରଶାସନକୁ କ୍ଷମତାକୁ ଆଣିବାକୁ ଭାରତୀୟ ମୂଳ ଆମେରିକୀୟ ମାନେ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।