ଆମେରିକାରେ ଭାଙ୍ଗିବ ଦୀର୍ଘ ବର୍ଷର ପରମ୍ପରା । ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର ।

448

କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର । ଦୀର୍ଘ ଦିନ ହେଲା ଅନୁସରଣ କରାଯାଇ ଆସୁଥିବା ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି । ଆମେରିକାର ଏକ ଟିଭି ଚ୍ୟାନଲେକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଜୋ ବାଇଡେନ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଟ୍ରମ୍ପ ଗୁଇନ୍ଦା ସୂଚନା ପାଇବା ଦେଶପ୍ରତି ବିପଦ ଓ ତାଙ୍କ ପାଟି ଲଗାମହୀନ । ତେଣୁ ଗୁଇନ୍ଦା ସୂଚନା ମିଳିଲେ ଟ୍ରମ୍ପ ଇୟାଡୁ ସିୟାଡୁ ବୟାନ ଦେଇ ଦେଶର ସମସ୍ୟା ବଢାଇବେ ବୋଲି କହିଛନ୍ତି ବାଇଡେନ ।

ଆମେରିକା ଇତିହାସରେ ପ୍ରଥମ ଥର ପାଇଁ କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ କ୍ଲାସିଫାଇଡ ଇଂଟିଲିଜେନ୍ସ ବା ଗୁଇନ୍ଦା ତଥ୍ୟ ଦିଆଯିବ ନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି । ଆମେରିକା ଚ୍ୟାନାଲ ସିବିଏସ ନ୍ୟୁଜକୁ ସାକ୍ଷାତକାର ଦେଇ ବାଇଡେନ କହିଛନ୍ତି, ଟ୍ରମ୍ପଙ୍କୁ କୌଣସି ପ୍ରକାର ଗୋପନୀୟ ତଥ୍ୟ ଦିଆଯିବ ନାହିଁ । କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟବହାର ଓ ତାଙ୍କ ପାଟି ଉପରେ ଭରସା କରାଯାଇ ପାରିବ ନାହିଁ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏପରି ଘୋଷଣା ବିସ୍ମୟଜନକ । କାରଣ ଆମେରିକାରେ ଦୀର୍ଘ ଦିନରୁ ପରମ୍ପରା ରହିଛି, ବର୍ତମାନର ରାଷ୍ଟ୍ରପତି ଯେତିକି ଗୁଇନ୍ଦା ସୂଚନା ପାଆନ୍ତି, ସେତିକି ସୂଚନା ପୂର୍ବତନ ରାଷ୍ଟ୍ରପତିଙ୍କୁ ମଧ୍ୟ ଦିଆଯାଇ ଥାଏ । ହେଲେ ଏଥର ସେହି ପରମ୍ପରା ଭାଙ୍ଗିବାକୁ ଯାଉଛି ।

ଏହାପୂର୍ବରୁ ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀ ଜେନ ସାକି ଚଳିତ ସପ୍ତାହର ଆରମ୍ଭ କହିଥିଲେ, ଟ୍ରମ୍ପଙ୍କୁ ଗୁଇନ୍ଦା ସୂଚନା ଦିଆଯିବ ନା ନାହିଁ, ସେ ଉପରେ ବିଚାର ବିମର୍ଶ ଚାଲିଛି । ଏବେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ହୁଏତ କ୍ୟାପିଟଲ ହିଲ ଦଙ୍ଗା ପରେ ଟ୍ରମ୍ପ ଉପରେ ଭରସା କରିପାରୁ ନାହାନ୍ତି ବାଇଡେନ । ଅନ୍ୟପଟେ ଗୋଇନ୍ଦା ସୂଚନା ପାଇବା ପୂର୍ବତନ ରାଷ୍ଟ୍ରପତିଙ୍କ ଅଧିକାର ପରିସର ଭୁକ୍ତରୁ ବଂଚିତ ହେବା ଟ୍ରମ୍ପଙ୍କ ପାଇଁ ଯେ ଏକ ବଡ ଅପମାନ ଏଥିରେ ସନ୍ଦେହ ନାହିଁ । ସେପଟେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଫେବୃୟାରୀ ୮ ପରେ ଯେକୌଣସି ଦିନ କ୍ୟାପିଟଲ ଦଙ୍ଗା ନେଇ ବୟାନ ଦେବା ପାଇଁ ତାଙ୍କୁ ସିନେଟକୁ ଡକାଯାଇପାରେ