କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ଘଟଣା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଲେ ଋଷକୁ ପରିଣାମ ଭୋଗିବାକୁ ହେବ । ଏଥିପାଇଁ ଜି-ସେଭେନ ଦେଶ ଏକାଠି ହୋଇଛନ୍ତି । ଋଷର ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି ବାଇଡେନ । ଏଥିସହ ଋଷର ୪ଟି ବଡ ବ୍ୟାଙ୍କ ଉପରେ କଟକଣା ଲଗାଇଛନ୍ତି । ଏଥିସହ ଅନ୍ୟାନ୍ୟ କଟକଣା ଲଗାଇ ଋଷର ବ୍ୟବସାୟ ୟୁରୋ ଏବଂ ଡଲାରରେ ସୀମିତ ରଖିଛନ୍ତି ।

Advertisment

ତେବେ ପୁଟିନଙ୍କ ସହ ତାଙ୍କର କଥା ହେବାର କୌଣସି ଯୋଜନା ନାହିଁ । ପୁଟିନ ପୂର୍ବ ସୋଭିଏତ ସଂଘକୁ ପୁନର୍ବାର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । କିନ୍ତୁ ପୁଟିନଙ୍କର ଏହି ଆଶା ପୂରଣ ହେବନି । ଋଷ ବିରୋଧରେ ନାଟୋ ମଜବୁତ ହେବ । ଏଥିପାଇଁ ଜର୍ମାନୀକୁ ଆମେରିକା ଅତିରିକ୍ତ ଫୋର୍ସ ପଠାଇବ ବୋଲି ବାଇଡେନ କହିଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଆମେରିକା ୟୁକ୍ରେନକୁ ସେନା ପଠାଇବ ନାହିଁ । ଏହାର ଅର୍ଥ ୟୁକ୍ରେନ ସେନାକୁ ଋଷ ବିରୋଧରେ ଲଢିବାକୁ ହେବ ।

ନାଟୋ ଦେଶର ସମର୍ଥନ ୟୁକ୍ରେନ ସହିତ ରହିଛି । ଏହି ସମୟ ଆମ ପାଇଁ ଘଡିସନ୍ଧି ମୁହୂର୍ତ ବୋଲି ବାଇଡେନ କହିଛନ୍ତି । ସେହିପରି ଋଷ ୟୁକ୍ରେନ ଉପରେ ସାଇବର ଆଟାକ କରୁଛି । ଏହାକୁ କଡା ଜବାବ ଦେବାକୁ ଆମେରିକା ମଧ୍ୟ ପ୍ରସ୍ତୁତି କରିଛି ବୋଲି ସେ କହିଛନ୍ତି । ସେହିପରି ଋଷ ପ୍ରସଙ୍ଗରେ ଭାରତ ସହିତ ଆମେରିକା କଥା ହୋଇଛି କି ପ୍ରଶ୍ନରେ ବାଇଡେନ କହିଛନ୍ତି, ଆମେ ଭାରତ ସହିତ ଏ ପ୍ରସଙ୍ଗରେ କଥା ହେଉଛୁ । ହେଲେ କୌଣସି ନିସ୍କର୍ଷ ବାହାରିନି ।