ଆମେରିକାରେ କୋହଳ ହେଲା ମାସ୍କ କଟକଣା : ପ୍ରାୟ ୧୪ କୋଟି ଟିକାକରଣ ପରେ କଟକଣା କୋହଳ କଲେ ବାଇଡେନ ସରକାର

ଏଣିକି ବାହାରକୁ ବାହାରିଲେ ବାଧ୍ୟତାମୂଳକ ନୁହେଁ ମାସ୍କ ପିନ୍ଧିବା

368

କନକ ବ୍ୟୁରୋ : ଆମ ଦେଶରେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ଏଡାଇବାକୁ ବିଶେଷଜ୍ଞ ଏଭଳି ସତର୍କତା ଗ୍ରହଣ କରିବାକୁ କହୁଛନ୍ତି । ହେଲେ ଆମେରିକା, ମାସ୍କ ପିନ୍ଧିବାକୁ ନେଇ ନିୟମରେ ପରିବର୍ତନ କରିଛି । ଏଣିକି ଟିକା ନେଇସାରିଥିବା ବ୍ୟକ୍ତି ଆମେରିକାରେ ବିନା ମାସ୍କରେ ବାହାରକୁ ଯାଇପାରିବେ । ହେଲେ ଭିଡ ଯାଗାକୁ ଗଲେ ମାସ୍କ ପିନ୍ଧିବାକୁ କୁହାଯାଇଛି ।

କୁହାଯାଉଛି, ଆମେରିକାରେ ପ୍ରାୟ ଅର୍ଦ୍ଧାଧିକ ବୟସ୍କ ବ୍ୟକ୍ତିଙ୍କ କରୋନା ଟିକାକରଣ ହୋଇସାରିବା ପରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ବ୍ୟାପକ ଟିକାକରଣ ଫଳରେ ବୟସ୍କଙ୍କ ମୃତ୍ୟୁରେ ୮୦ ପ୍ରତିଶତ ହ୍ରାସ ଦେଖା ଦେଇଛି । ସେହିପରି କରୋନା ସଂକ୍ରମଣ ମଧ୍ୟ ୧୬ ପ୍ରତିଶତ ହ୍ରାସ ପାଇଛି । ଆମେରିକାରେ ପ୍ରାୟ ୧୪ କୋଟି ଲୋକଙ୍କୁ ଫାଇଜର ଟିକାର ପ୍ରଥମ ଡୋଜ୍ କିମ୍ବା ଜନସନ ଆଣ୍ଡ ଜନସନର ଟିକା ଦିଆଯାଇଛି ।

ଆମେରିକାରେ କରୋନା କଟକଣା କୋହଳ ହୋଇଥିବାବେଳେ, ଟିକା ନେଇସାରିଥିବା ଏକାଧିକ ବ୍ୟକ୍ତି ବାହାରେ ବୁଲାବୁଲି କରିବା କିମ୍ବା ରେଷ୍ଟୁରାଂଟରେ ଏକାଠି ଖାଇପାରିବେ ବୋଲି କୁହାଯାଇଛି । ଏପରିକି କିଛି ଟିକା ନଇଥିବା ବ୍ୟକ୍ତି ଓ ଟିକା ନେଇନଥିବା ବ୍ୟକ୍ତି ମଧ୍ୟ ଏକାଠି ହୋଇପାରିବେ । କିନ୍ତୁ ପରେଡ୍ ଓ କ୍ରୀଡା କାର୍ଯ୍ୟକ୍ରମ ସହ ସାଲୁନ, ସପିଂ ମଲ ଓ ସିନେମା ହଲରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।