ଚୀନର ବିସ୍ତାରବାଦୀ ନିତିକୁ ବାଇଡେନ୍ ପ୍ରଶାସନର ନିନ୍ଦା । ମିତ୍ର ରାଷ୍ଟ୍ରର ସୁରକ୍ଷା ସର୍ବଦା ପ୍ରାଥମିକତା ରହିବ ବୋଲି କହିଛି ଆମେରିକା

114

ପୂର୍ବ ଲଦାଖ୍ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଂଚଳରେ ଚୀନ୍‌ର ବିସ୍ତାରବାଦୀ ନୀତି ପାଇଁ ଏବେ ତୀବ୍ର ଉତ୍ତେଜନା ଲାଗି ରହିଛି। ଉଭୟ ପଟେ ୫୦ ହଜାରରୁ ଅଧିକ ସେନା ମୁତୟନ ହୋଇଛନ୍ତି ଏବଂ ଚୀନ୍‌ ସେନାର ଅତିକ୍ରମଣ ଷଡ଼ଯନ୍ତ୍ରକୁ ଭାରତ ପଣ୍ଡ କରୁଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ପ୍ରଥମ ଥର ପାଇଁ ଏ ବାବଦରେ ବିବୃତି ଜାରି କରି ଚୀନ୍‌କୁ କଡ଼ା ସମାଲୋଚନା କରିଛି। ଚୀନ୍‌ ନିଜର ବିସ୍ତାରବାଦୀ ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ସର୍ବଦା ଷଡ଼ଯନ୍ତ୍ର କରୁଛି ଏବଂ ପଡ଼ୋଶୀଙ୍କୁ ଡରାଉଛି ବୋଲି ଆମେରିକା କହିଛି। ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ଲାଗି ରହିଥିବା ସ୍ଥିତି ଉପରେ ଆମେ ନଜର ରଖିଛୁ ଏବଂ ଏ ବାବଦରେ ଉଭୟ ରାଷ୍ଟ୍ର ମଧ୍ୟରେ ସିଧାସଳଖ ଆଲୋଚନାକୁ ପ୍ରୋତ୍ସାହନ ଦେବୁ ବୋଲି ଆମେରିକାର ଜାତୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଏମିଲି ଜେ ହର୍ଣ୍ଣ କହିଛନ୍ତି। ତେବେ ଚୀନ୍‌ର ବିସ୍ତାରବାଦୀ ନୀତି ବିରୋଧରେ ଆମେ ମିତ୍ରମାନଙ୍କ ସହିତ ରହିବୁ ଏବଂ ମିତ୍ର ରାଷ୍ଟ୍ରମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବୁ ବୋଲି ‌ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ମେ ୫ ତାରିଖରୁ ପୂର୍ବ ଲଦାଖ୍‌ରେ ଚୀନ୍‌ ଓ ଭାରତ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଚୀନ୍‌ ପଟୁ ଯେ କୌଣସି ଅତିକ୍ରମଣର କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ ରହିଛି। ଚୀନ୍‌ର ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଭାରତ ବିଭିନ୍ନ ରେଂଜ୍‌ର କ୍ଷେପଣାସ୍ତ୍ର ମୁତୟନ କରିଛି ଏବଂ ଯୁଦ୍ଧ ବିମାନଗୁଡ଼ିକ ନିୟମିତ ବ୍ୟବଧାନରେ ଉଡ଼ାଣ ଭରୁଛନ୍ତି।