ଆଇପିଏଲର ଦୁଇ ନୂଆ ଟିମ୍ ପାଇଁ ଶେଷ ହେଲା ବିଡ୍ ଦାଖଲ ପ୍ରକ୍ରିୟା । ଖୁବଶୀଘ୍ର ହୋଇପାରେ ବଡ ଘୋଷଣା ।

240

କନକ ବ୍ୟୁରୋ: ଆଇପିଏଲରେ ସାମିଲ ହେବେ ୨ ନୂଆ ଟିମ୍ । ଏଥିପାଇଁ ଆଜି ଦୁବାଇରେ ଶେଷ ହୋଇଛି ବିଡ୍ ଦାଖଲ ପ୍ରକ୍ରିୟା । ତେବେ କେଉଁ ଦୁଇ ନୂଆ ଟିମ୍ ଆଇପିଏଲରେ ସ୍ଥାନ ପାଇବେ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ତେବେ ମିଳିଥିବା ସୂଚନା ମୁତାବକ, ଅହମ୍ମଦାବାଦ ଓ ଲକ୍ଷ୍ନୌ ଟିମ୍ ଆଇପିଏଲ ସାମିଲ ହୋଇପାରନ୍ତି । ଏହି ଦୁଇ ନୂଆ ଟିମକୁ ଫ୍ରାଞ୍ଚାଇଜ୍ ମାନେ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ କେଉଁ ଦୁଇ ଦଳ ଆଗାମୀ ଆଇପିଏଲରେ ସାମିଲ ହେବେ ସେନେଇ ବିସିସିଆଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ।

ଆଇପିଏଲ ଟିମର ନିଲାମ ପ୍ରକ୍ରିୟାରେ ବହୁ ନାମୀଦାମୀ କମ୍ପାନୀ ଭାଗ ନେଇଛନ୍ତି । ହେଲେ ଏମାନଙ୍କ ଭିତରୁ ଅଦାନୀ ଗ୍ରୁପ୍ ଓ ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ହିଁ ଦୁଇ ନୂଆ ଟିମକୁ କିଣିପାରେ ବୋଲି ସୂଚନା ମିଳୁଛି । ଏହି ଦୁଇ କମ୍ପାନୀ ଭିତରୁ ସଞ୍ଜୀବ ଗୋଏଙ୍କା ଗ୍ରୁପ ପୂର୍ବରୁ ଆଇପିଏଲ ସହ ଜଡିତ ଅଛି । ପୁଣେ ସୁପରଜ୍ୟାଣ୍ଟସ ଦଳର ମାଲିକ ଥିଲା ଏହି ଗ୍ରୁପ । ତେବେ ଆଗାମୀ ଆଇପିଏଲରେ ଏହି ଗ୍ରୁପ ନୂଆ ଟିମ ସହ ଅଂଶଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅହମ୍ମଦାବାଦ, ଓ ଲକ୍ଷ୍ନୌ ସହରରେ ଦେଶର ଦୁଇଟି ସୁନ୍ଦର ଷ୍ଟାଡିୟମ ରହିଛି । ଅହମ୍ମଦାବାଦରେ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ ରହିଥିବାବେଳେ, ଲକ୍ଷ୍ନୌରେ ରହିଛି ଆଉ ଏକ ସୁନ୍ଦର କ୍ରିକେଟ୍ ଷ୍ଟାଡିୟମ । ଯାହାର ନାଁ ହେଉଛି ଅଟଳ ବିହାରୀ ବାଜପେୟୀ ଏକାନ୍ନା କ୍ରିକେଟ୍ ଷ୍ଟାଡିୟମ । ତେଣୁ ଏହି ଦୁଇ ନୂଆ ଟିମ୍ ଆଇପିଏଲରେ ସାମିଲ ହେଲେ ଏହି ଦୁଇ ଷ୍ଟାଡିୟମ ଦୁଇ ଦଳର ହୋମ୍ ଗ୍ରାଉଣ୍ଡ ହେବ ।