ବଦଳୁଛି ରାଜଧାନୀ ରାଜରାସ୍ତାର ଚେହେରା... ସାଇକେଲ୍ ଚାଳକଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଟ୍ରାକ୍, ରାସ୍ତା ମଝିରେ ପଡିଲା ବାଡ

Advertisment
ବଦଳୁଛି ରାଜଧାନୀ ରାଜରାସ୍ତାର ଚେହେରା... ସାଇକେଲ୍ ଚାଳକଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଟ୍ରାକ୍, ରାସ୍ତା ମଝିରେ ପଡିଲା ବାଡ

ହକି ବିଶ୍ବକପ୍‌ ପାଇଁ ବଦଳିଥିଲା ରାଜଧାନୀର ଚେହେରା। କଳିଙ୍ଗ ଷ୍ଟାଡିୟମ୍‌ଠାରୁ କିଟ୍‌ ଛକ ପର୍ଯ୍ୟନ୍ତ, ସବୁଠି ତିଆରି ହୋଇଥିଲା ସାଇକେଲ୍‌ ଟ୍ରାକ୍‌। ନୂଆ ରୂପରଙ୍ଗରେ ସଜେଇ ହୋଇଥିଲା। ତେବେ ଦିନ କେଇଟା ଯାଇଛି କି ନାହିଁ, ସବୁ କିଛି ବିଗିଡ଼ି ଯାଇଥିଲା। ରାସ୍ତାରୁ ରଙ୍ଗ ଛାଡ଼ି ଯାଇଥିଲା। କାନ୍ଥରୁ ଚିତ୍ର ଲିଭିଥିଲା। ସାଇକେଲ୍‌ ଟ୍ରାକ୍‌ରେ କାର୍‌, ଅଟୋ, ବାଇକ୍‌ ଗଡ଼ୁଥିଲା। ଏବେ ବି ଅଧିକାଂଶ ରାସ୍ତାରେ ସାଇକେଲ୍‌ ଟ୍ରାକ୍‌ ହିଁ ନାହିଁ, ବରଂ ସାଇକେଲ୍‌ ଟ୍ରାକ୍‌ ଏବେ କାର୍‌, ବାଇକ୍‌ର ପାର୍କିଂ ସ୍ଥାନ ପାଲଟିଛି। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ପରେ ଏବେ ପୁଣିଥରେ ରାଜଧାନୀର ରାଜରାସ୍ତା ଚେହେରା ବଦଳିବାକୁ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ କେବଳ ରାସ୍ତା କଡ଼ରେ ନାଲି ରଙ୍ଗ ଚିହ୍ନ ଦିଆଯାଇଥିବା ବେଳେ ଏବେ ସାଇକେଲ୍ ଚାଳକଙ୍କ ପାଇଁ ସ୍ବତନ୍ତ୍ର ଟ୍ରାକ୍‌ କରିଡର୍‌ (ରାସ୍ତା ମଝିରେ ବାଡ଼) କରାଯାଉଛି। ଏଭଳି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଇନ୍‌ଫୋସିଟିରୁ ଶିଖରଚଣ୍ଡୀ ପାଦଦେଶ ପର୍ଯ୍ୟନ୍ତ ରାସ୍ତାରେ ‌ନିର୍ମିତ ହୋଇଛି।

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ସୂଚନା ଅନୁଯାୟୀ, ପ୍ରଥମଥର ଲାଗି ଭୁବନେଶ୍ବରରେ ଏଭଳି ରାସ୍ତା କରାଯାଉଛି। ପରବର୍ତୀ ସମୟରେ ଏହାର ସଫଳତା ପରୀକ୍ଷଣ କରାଯାଇ ରାଜଧାନୀର ବିଭିନ୍ନ ରାସ୍ତା ପାର୍ଶ୍ବରେ କରିବାକୁ ଯୋଜନା ରହିଛି। ବର୍ତମାନ ଶିଖରଚଣ୍ଡୀଠାରୁ ଇନ୍‌ଫୋସିଟି ଛକ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାର ଗୋଟିଏ ପାଖରେ ସାଇକେଲ୍ ଟ୍ରାକ୍‌ ଚିହ୍ନଟ ହେବା ସହ ରାସ୍ତାରେ ବାଡ଼ ଦିଆଯାଇଛି। ଏହାଦ୍ବାରା ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଲଗାମ ଲଗାଯାଇପାରିବ। ସେମାନେ ଯେପରି ସାଇକେଲ୍ ଟ୍ରାକ୍‌କୁ ନ ଆ‌ସିବେ, ସେନେଇ ତାର ବାଡ଼ ବୁଲାଯାଇଛି। ଏଥିସହ ରାସ୍ତାକୁ ଆହୁରି ସୁନ୍ଦର କରିବାକୁ ମଝିରେ ମଝିରେ ଫୁଲକୁଣ୍ଡ ମଧ୍ୟ ରଖାଯାଇଛି। ଖରାଦିନେ ପାଦ ନ ତାତିବା ପାଇଁ ରାସ୍ତାରେ ଏକ କେମିକାଲର ଲେପ ହୋଇଛି। ଉକ୍ତ ସ୍ଥାନରେ କେବଳ ସାଇକେଲ ଯାଇପାରିବ ବୋଲି ଚିହ୍ନ ଓ ସଚେତନତା ବାର୍ତା ମଧ୍ୟ ଲେଖାଯାଇଛି। ରନ୍‌ୱେ ଭିତରେ ଯେପରି କୌଣସି ବାଇକ୍ ନ ଆସିବ, ସେନେଇ ମଝିରେ ମଝିରେ ହଡଲ୍ସ୍ ପୋତା ଯାଇଛି।

ଅନ୍ୟପକ୍ଷରେ ରାଜଧାନୀରେ ମୋ’ ସାଇକେଲ୍ ବ୍ୟବହାର ଠପ୍ ହୋଇଯାଇଥିଲା ବେଳେ ସାଇକେଲ ଚାଳକଙ୍କ ପାଇଁ ଏହି ସ୍ବତନ୍ତ୍ର ରାସ୍ତା କେତେ ଫଳପ୍ରଦ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ମାତ୍ର ଏହି ବ୍ୟବସ୍ଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବୁଦ୍ଧିଜୀବୀଙ୍କ ମତ ଅନୁଯାୟୀ ଏପରି ‌ବ୍ୟବସ୍ଥା ବିଦେଶରେ ଦେଖାଯାଇଥାଏ। ସାଇକେଲ ଚାଳକମାନଙ୍କୁ ବିଦେଶରେ ସ୍ବତନ୍ତ୍ର ସମ୍ମାନ ଦିଆଯାଉ ଥିବାରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରାଯାଇଥାଏ। ଭୁବନେଶ୍ବର ବଦଳୁଥିବା ଚେହେରା ବହୁତ ଭଲ ଲାଗୁଛି। ତେବେ ଏହାର ରକ୍ଷଣାବେକ୍ଷଣ କିଭଳି ହେଉଛି, ତାହା ଦେଖିବାକୁ ବାକି ରହିଛି। ଆଜି ବି ରାଜଧାନୀର ରାସ୍ତାକଡ଼ରେ ମାଳମାଳ ବୁଲା ଗାଈଗୋରୁ, ଅମାନିଆ ବାଇକ୍, କାର୍ ଚାଳକଙ୍କ ପାଇଁ ଦୁର୍ଘଟଣା ହେଉଛି। ଏଭଳି ସମୟରେ ସ୍ବତନ୍ତ୍ର ସାଇକେଲ୍ ଟ୍ରାକ୍‌ କେତେ ଉପଯୋଗୀ ହୋଇପାରିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe