ଜୀବନ ପାଉଛି ଶୁଖିଲା ପଇଡ: ଅଦରକାରୀ ପଇଡକୁ ସାଉଁଟି ଆଣି ଦେବାଦେବୀଙ୍କ ସୁନ୍ଦର ଚିତ୍ର କରୁଛନ୍ତି ବିଭୂତି

424

କନକ ବ୍ୟୁରୋ: ପଇଡରୁ ପାଣି ପିଇ ସାରିଲା ପରେ ସମସ୍ତେ ତାକୁ ଫୋପାଡି ଦିଅନ୍ତି କିମ୍ବା ଅଦରକାରୀ ଭାବି ଜାଳେଣୀ ପାଇଁ ନେଇଯାଆନ୍ତି । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ପଇଡ ସହ ଦିନ ରାତି କାଟି ଦିଅନ୍ତି । ପଇଡକୁ ପ୍ରେମ କରନ୍ତି, ପଇଡକୁ ମନ ଦିଅନ୍ତି ଆଉ ପଇଡ ଭିତରେ ପ୍ରଭୁଙ୍କୁ ଦେଖନ୍ତି । ଲୋକେ ଅଦରକାରୀ ଭାବି ଫିଙ୍ଗି ଦେଉଥିବା ପଇଡକୁ ଗୋଟାଇ ସେ ଜୀବନ୍ୟାସ ଦିଅନ୍ତି ଆଉ ନିଜ ଚିତ୍ରକଳା ମାଧ୍ୟମରେ ତାକୁ ଆକର୍ଷଣୀୟ କରନ୍ତି । ବୋଧହୁଏ ସେଇଥିପାଇଁ ତାଙ୍କୁ ଲୋକେ ପ୍ରେମରେ ପଇଡ ଭାଇନା ବୋଲି ଡାକନ୍ତି ।

ତେବେ ପଇଡରେ ଭିନ୍ନ ଭିନ୍ନ କଳାକୃତି ଫୁଟାଉଥିବା ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଗୋପୀନାଥ ମଠସାହିର ବିଭୂତିଭୂଷଣ ପରିଡା । ଯିଏ ସ୍ଥାନୀୟ ଅଞ୍ଚଳରେ ପଇଡ ଭାଇନା ଭାବେ ପରିଚିତ । ଦିନେ ମଠରେ ପଡିଥିବା ଏକ ଅଦରକାରୀ ପଇଡକୁ ଛୁରୀ ମାଧ୍ୟମରେ ଖୋଳୁ ଖୋଳୁ ଏକ ସୁନ୍ଦର କଳାକୃତି କରିଥିଲେ ବିଭୂତି । ଆଉ ସେହି ଦିନ ଠାରୁ ସେ ଏହି କାମରେ ଲାଗିପଡିଛନ୍ତି । ଯାହା ତାଙ୍କୁ ଏବେ ସାରା ଜିଲ୍ଲାରେ ପରିଚୟ ଦେଇଛି ।

ଶୁଖିଲା ପଇଡରେ ବିଭୂତି ଖାଲି ଦେବାଦେବୀଙ୍କ ଚିତ୍ର ଆଙ୍କନ୍ତିନି ବରଂ ପେନଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ ବି ତିଆରି କରନ୍ତି । ତେବେ ସରକାରୀ ସହାୟତା ମିଳିଲେ ବିଭୂତି ଆଗାମୀ ଦିନରେ ବର୍ଜ୍ୟବସ୍ତୁରୁ ଏମିତି ସୁନ୍ଦର ଜିନିଷ ତିଆରି କରି ପାରିବେ ବୋଲି କହିଛନ୍ତି ।