ସ୍ୱାତୀ ମାଲିୱାଲ କେସ୍ ; ବିଭବ କୁମାରଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ ।

79

କନକ ବ୍ୟୁରୋ: ସ୍ୱାତୀ ମାଲିୱାଲ କେସରେ ବିଭବ କୁମାରଙ୍କୁ ୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ । ତୀସ ହଜାରୀ କୋର୍ଟଙ୍କ ଆଦେଶ ଅନୁସାରେ, ଆସନ୍ତା ମେ ୨୮ ତାରିଖ ପର୍ଯ୍ୟନ୍ତ ବିଭବ କୁମାର ନ୍ୟାୟିକ ହେପାଜତରେ ରହିବେ । ତେବେ ଆଜି ଅର୍ଥାତ ଶୁକ୍ରବାର ବିଭବ କୁମାରଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ପୋଲିସ ତାଙ୍କୁ ୪ ଦିନ ପାଇଁ ହେପାଜତରେ ନେବାକୁ ଆବେଦନ କରିଥିଲା । ଆଉ କୋର୍ଟ ମଧ୍ୟ ପୋଲିସର ଆବେଦନକୁ ସ୍ୱୀକାର କରିଥିଲେ ।

ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, ସେମାନେ କୋର୍ଟଙ୍କ ନିର୍ଦ୍ଦେଶରେ ବିଭବ କୁମାରଙ୍କ ପରିବାର ସଦସ୍ୟ ଏବଂ ଓକିଲଙ୍କୁ ତାଙ୍କ ସହ ଭେଟିବାକୁ ଅନୁମତି ଦେଇଥିଲୁ । ଅନ୍ୟପଟେ ବିଭବଙ୍କ ଓକଲି କହିଛନ୍ତି ଯେ, ନ୍ୟାୟିକ ହେପାଜତ କିମ୍ବା ପୋଲିସ୍ ହେପାଜତ ଦୁଇଟି ଯାକରେ ଅଭିଯୁକ୍ତଙ୍କ ସ୍ୱତନ୍ତ୍ରତା ପ୍ରଭାବିତ ହେଇଥାଏ । ତେବେ ନ୍ୟାୟିକ ହେପାଜତ ୧୪ ଦିନ ପାଇଁ ହେବା କଥା, ହେଲେ ପୋଲିସ କିନ୍ତୁ ୪ ଦିନ ପାଇଁ ନ୍ୟାୟିକ ହେପାଜତ ମାଗିଥିଲା ।

ସୂଚନାଯୋଗ୍ୟ ଯେ, ଆପ୍ ସାଂସଦ ସ୍ୱାତୀ ମାଲିୱାଲ ମେ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଆବାସରେ ତାଙ୍କ ସହ ମାରପିଟ୍ ହେଇଥିବା ନେଇ ଅଭିଯୋଗ କରିଥିଲେ । ଏହାର ଠିକ୍ ୫ ଦିନ ପରେ ଅଭିଯୁକ୍ତ ବିଭବ କୁମାରଙ୍କୁ ଗିରଫ କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ୫ ଦିନ ପାଇଁ ପୋଲିସ୍ ହେପାଜତକୁ ପଠାଇ ଦେଇଥିଲେ । ତେବେ ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ପୁଣି ହାଜର କରାଯାଇଥିଲା । ଯେଉଁଠି କୋର୍ଟ ତାଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇ ଦେଇଛନ୍ତି ।