୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଝାରପଡା ଜେଲରେ ୧୦ ମିିନିଟ୍ ଧରି ହେଲା ଟିଆଇ ପରେଡ୍ । ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଚିହ୍ନିଲେ ପୀଡିତା ।

256

କନକ ବ୍ୟୁରୋ: ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପୋଲିସ ହାତରେ ଧରାପଡିବା ଯେତିକି ଗୁରୁତ୍ୱପୂର୍ଣ୍ଣ , ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ୨୨ ବର୍ଷ ପରେ ବିବନ ବିଶ୍ୱାଳକୁ ପୀଡିତା ଜଣକ ଚିହ୍ନିବା ।

ଆଜି ଯେତେବେଳେ ଝାରପଡା ଜେଲ ପରିସରରେ ବିବନ ବିଶ୍ୱାଳର ଟିଆଇ ପରେଡ ଆରମ୍ଭ ହୋଇଥିଲା ସେତେବେଳେ ବିବନ ବିଶ୍ୱାଳ ସମେତ ୧୦ରୁ ୧୨ଜଣ ଅଭିଯୁକ୍ତଙ୍କୁ ଧାଡିରେ ଛିଡା କରାଯାଇଥିଲା । ଆଉ ଏହାପରେ ଟିଆଇ ପରେଡ ସ୍ଥଳରେ ଆସି ପହଂଚିଥିଲେ ପୀଡିତା ଏବଂ ତାଙ୍କ ଡ୍ରାଇଭର ନିଳକଣ୍ଠ । ଜେଲ ସୁପରିଟେଣ୍ଡଂଟ, ପୋଲିସ ଅଧିକାରୀ, ସିବିଆଇ ଅଧିକାରୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ ଆରମ୍ଭ ହୋଇଥିଲା । ପ୍ରାୟ ୧୦ ମିନିଟ ଟିଆଇ ପରେଡ ପ୍ରକ୍ରିୟା ଚାଲିବା ପରେ ଦୁହେଁ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନଟ କରିଥିବା କହିଛନ୍ତି ।

ଏହି ଟିଆଇ ପରେଡ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟକୁ ଅଧିକ ସୁଦୃଢ କରିବାରେ ବେଶ ସହାୟକ ହେବ ବୋଲି କୁହାଯାଉଛି । କାରଣ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ବି ଚିହ୍ନଟ କରିଛନ୍ତି ନିଜେ ପୀଡିତା ।  ଏବେ ଗଣଦୁଷ୍କର୍ମ ମାମଲାରେ ଫାଇନାଲ ବା ଅନ୍ତିମ ଚାର୍ଜସିଟ ହେବା ପରେ କୋର୍ଟରେ ଶୁଣାଣି ହେବ ଏବଂ ଟିଆଇ ପରେଡର ସତକୁ କୋର୍ଟ ଏକ ପ୍ରମାଣ ଭାବେ ମଧ୍ୟ ଗ୍ରହଣ କରିପାରନ୍ତି । ୨୨ବର୍ଷର ଲୁଚକାଳି ଖେଳ ପରେ ଯେତେବେଳେ ପୁଣେର ଲୋନାୱାଲାରୁ ବିବନ ବିଶ୍ୱାଳ ଗିରଫ ହୋଇଥିଲା ସେତେବେଳେ ପ୍ରଶ୍ନ ଉଠିଥିଲା, କୋର୍ଟରେ ଏକଥା କିପରି ପ୍ରମାଣ ହେବ ଯେ ଗିରଫ ବ୍ୟକ୍ତି ହିଁ ବିବନ ବିଶ୍ୱାଳ । ଟିଆଇ ପରେଡରେ ପୀଡିତା ଜଣକ ତାଙ୍କୁ ଚିହ୍ନିବା ଫଳରେ ଏହି ମାମଲା ଆଉ ଏକ ପାଦ ଆଗେଇଛି ।

Comments are closed.