କନକ ବ୍ୟୁରୋ: ଓଡ଼ିଶା ଇତିହାସର ସବୁଠାରୁ କଳଙ୍କିତ ଅପରାଧ କାହାଣୀ ପୁଣି ଥରେ ଦୃଶ୍ୟପଟ୍ଟକୁ ଫେରି ଆସିଛି । ଯେତେବେଳେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଦୀର୍ଘ ୨୨ ବର୍ଷ ପରେ ପୁରୁଣା ଫାଇଲକୁ ଏଭଳି ଢ଼ଙ୍ଗରେ ଓଲଟାଇ ସାମ୍ନାକୁ ଆଣିଛି ପୁଲିସ୍, ଯାହା ଅପରାଧର ଶେଷ ଫର୍ଦ୍ଦ ଲେଖିବାର ସୁଯୋଗ ଆଣିଛି । ପୁଲିସ୍ ଓ ସିବିଆଇକୁ ଚକମା ଦେଇ ଦୀର୍ଘ ୨୨ ବର୍ଷ ଧରି ନିଜ ଅପରାଧ ଲୁଚେଇବାକୁ ଚେଷ୍ଟା କରୁଥିବା ବିବନ୍ ଓରଫ୍ ବିବେକାନନ୍ଦ ବିଶ୍ୱାଳକୁ ଏଭଳି ଢ଼ଙ୍ଗରେ କାବୁ କରିଛି ପୁଲିସ୍, ଯାହା ସେ କେବେ ଚିନ୍ତା ବି କରିନଥିବ । ନିଜର ପରିଚୟକୁ ସିନା ବଦଳାଇ ଦେଲା, ହେଲେ ଅପରାଧକୁ ଲୁଚେଇ ପାରିଲାନି ବିବନ୍ ବିଶ୍ୱାଳ ।
ଓଡ଼ିଶାରୁ ଖସିଯାଇ ମୁମ୍ବାଇ-ପୁନେ ରାସ୍ତା ଲୋନାୱାଲାର ଆମ୍ବିଭାଲିରେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରିଥିଲା ବିବନ୍ । ନୂଆ ନାଁରେ ବ୍ୟାଙ୍କ୍ ଖାତା, ଆଧାର କାର୍ଡ କରି ସେଠି ସ୍ଥାୟୀ କର୍ମଚାରୀ ଭାବେ ଲୁଚି ରହିଥିଲା । ସିଧାସଳଖ ନହେଲେ ବି ପରୋକ୍ଷରେ ପରିବାର ସହ ରହୁଥିଲା ସମ୍ପର୍କ ଆଉ ପରିବାର ଲୋକଙ୍କୁ ତା’ର ମୃତ୍ୟୁ ପ୍ରମାଣପତ୍ର ବାହାର କରିବା ପାଇଁ କହୁଥିଲା । ବିବନର ସବୁ ଚାଲାକି ଧରାପଡ଼ିଯାଇଥିଲା, ଯେତେବେଳେ ଓଡ଼ିଶା ପୁଲିସ୍ ଆରମ୍ଭ କରିଥିଲା- ଅପରେସନ୍ ସାଇଲେଂଟ ଭାଇପର ।
ବିବନର ଗିରଫଦାରୀ ପରେ ପୁଣିରେ ଜୀବନ୍ତ ହୋଇଯାଇଛି ସେହି ଲୋମହର୍ଷଣକାରୀ କାହାଣୀ । ୯ ଜାନୁୟାରୀ, ୧୯୯୯ରେ ବାରଙ୍ଗ ଥାନା ବେଲଗୋଛିଆ ମହଲା ଅଞ୍ଚଳରେ ବନ୍ଧୁଙ୍କ ସହ କାରରେ ଯାଉଥିବା ଜଣେ ଯୁବତୀଙ୍କୁୁ ନିଛାଟିଆ ଜାଗାକୁ ନେଇ ଗଣ ଦୁଷ୍କର୍ମ କରିଥିଲେ ପ୍ରଦୀପ ସାହୁ ଓରଫ୍ ପଦିଆ, ଧୀରେନ୍ଦ୍ର ମହାନ୍ତି ଓରଫ୍ ଟୁନିଆ ଏବଂ ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ୍ । ୩ରୁ ୪ ଘଂଟା ଧରି ଅତିଅମାନୁଷିକ ଭାବେ ଚାଲିଥିଲା ଅତ୍ୟାଚାର ।
ଘଟଣାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ୧୦ ଜାନୁୟାରୀ ୧୯୯୯ ମସିହାରେ କଟକ ମହିଳା ଥାନାରେ ଏନେଇ ଏତଲା ଦିଆଯାଇଥିଲା । ୨୬ ଜାନୁୟାରୀ, ୧୯୯୯ରେ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଗିରଫ ହୋଇଥିଲେ । ୨୬ ଫେବୃୟାରୀ, ୧୯୯୯ରେ ଓଡ଼ିଶା ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ୨୯ ଏପ୍ରିଲ ୨୦୦୨ ମସିହାରେ ଜିଲ୍ଲା ଜର୍ଜ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ କରିଥିଲେ । ଆଉ ଏହି ରାୟକୁ ୨୪ ଜୁନ୍ ୨୦୧୦ରେ କାଏମ୍ ରଖିଥିଲେ ଓଡ଼ିଶା ହାଇକୋର୍ଟ । ହେଲେ ଏତେ ସବୁ ଭିତରେ ଲୁଚି ରଖିଥିଲା ବିବନ୍ ବିଶ୍ୱାଳ । ଯାହାକୁ ଆଜି ଗିରଫ କରିଛି କମିଶନରେଟ୍ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/PHOTO-01005400.png)