ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଣିଲା ‘କବଚ ପର୍ସନାଲ ଲୋନ’ ଯୋଜନା । କରୋନା ରୋଗୀଙ୍କ ଚିକତ୍ସା ପାଇଁ କମ୍ ସୁଧହାରରେ ଯୋଗାଇବ ଋଣ

741

କନକ ବ୍ୟୁରୋ : କରୋନା ରୋଗୀମାନଙ୍କ ଚିକିତ୍ସାକୁ ନେଇ ନିଜ ପରିବାର ଲୋକ ନାହିଁ ନଥିବାର ଆର୍ଥିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । କିଏ କ୍ରାଉଡ ଫଣ୍ଡି ମାଧ୍ୟମରେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରୁଛି ତ କିଏ ନିଜର ସମ୍ପତ୍ତିବାଡି ଓ ସୁନା ବିକ୍ରି କରି ଚିକିତ୍ସା କରାଉଛି । ଏମାନଙ୍କୁ ସୁବିଧାରେ ଟଙ୍କା ଯୋଗାଇ ଦେବାକୁ ଦେଶର ସର୍ବବୃହତ ଜାତୀୟକରଣ ବ୍ୟାଙ୍କ କୁହାଯାଉଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ‘କବଚ ପର୍ସନାଲ ଲୋନ ’ ନାମରେ ଏକ ଋଣ ଯୋଜନା ଆଣିଛି । ଏହି ଯୋଜନାରେ କମ୍ ସୁଧହାରରେ କରୋନା ସଂକ୍ରମିତ ଋଣ ନେଇ ଚିକିତ୍ସିତ ହୋଇପାରିବେ ।

ବ୍ୟାଙ୍କର ସୂଚନା ମୁତାବକ ଏହି ସ୍କିମରେ ଜଣେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବ । ଏସବିଆଇର ଚେୟାରମ୍ୟାନ ଦୀନେଶ ଖ୍ୱାରୀ କହିଛନ୍ତି କି “ଏସବିଆଇ ଏହି ସ୍କିମ୍ ଲଂଚ କରି ବେସ୍ ଖୁସି ଅଛି । ଏହି ସ୍କିମ୍ ମାଧ୍ୟମରେ ସାଧାରଣ ଲୋକ କମ୍ ସୁଧରେ ଋଣ ନେଇ ନିଜର କିମ୍ବା ପରିବାର ଲୋକଙ୍କର କରୋନା ଚିକିତ୍ସା କରାଇପାରିବେ” ।

ସେପଟେ ବ୍ୟାଙ୍କ ତରଫରୁ ସ୍ପଷ୍ଟ କରାଯାଇଛି କି ଏହି ଋଣ ପାଇଁ ଋଣଧାରକ ବ୍ୟାଙ୍କକୁ କିଛି ବି ବନ୍ଧକ ଦେବାକୁ ପଡିବ ନାହିଁ । ଏହି ଯୋଜନାରେ ସର୍ବାଧିକ ୫ ଲକ୍ଷ ସର୍ବନିମ୍ନ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ଓ ତାହାକୁ ଋଣ ଧାରକ ୫ ବର୍ଷ ପର୍ଯ୍ୟନ୍ତ ସୁଝିବାର ସୁବିଧା ରହିଛି । ଏହି ଋଣ ଉପରେ ଋଣଧାରକଙ୍କୁ ବାର୍ଷିକ ୮.୫ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ । ଅନ୍ୟପଟେ ଲୋନ ଉପରେ ମୋରେଟୋରିୟମ ଅବଧି ରହିଛି ।

ଏହି ଋଣ ଯୋଜନାର ଲାଭ ଦରମା ପ୍ରାପ୍ତ, ପେନସନ ଭୋଗୀ ଓ ସାଧାରଣ ଲୋକ ନେଇପାରିବେ । ଏହି ଋଣ ପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ବ୍ୟାଙ୍କ ତରଫରୁ କୁହାଯାଇଛି କି, କରୋନାରେ ପିଡୀତ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷରେ ଏଭଳି ଋଣ ଯୋଜନା ଲଂଚ କରାଯାଇଛି ।