ସୋସିଆଲମିଡିଆରେ ଟ୍ରୋଲ ହେଲେ ଭୁବନେଶ୍ୱର କୁମାର: ରାଗି ଯାଇ ସମାଲୋଚକଙ୍କ ପାଟି ଚୁପ୍ କଲେ ସ୍ତ୍ରୀ

1,400

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଭାରତର ପରାଜୟ ପରେ ଏବେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି ଭୁବନେଶ୍ୱର କୁମାର । ୧୯ତମ ଓଭରରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ କ୍ରିକେଟପ୍ରେମୀମାନେ ଟ୍ରୋଲ କରିଛନ୍ତି । ଭୁବନେଶ୍ୱର କୁମାର ଟ୍ରୋଲ ହେବା ପରେ ଏବେ ତାଙ୍କ ସ୍ତ୍ରୀ ସାମ୍ନାକୁ ଆସିଛନ୍ତି । ଆଉ ସମାଲୋଚକଙ୍କୁ କଡା ଜବାବ ଦେଇ ନିଜ କାମ ନିଜେ କରିବାକୁ ପରାର୍ଶ ଦେଇଛନ୍ତି ।

ଭୁବନେଶ୍ୱର କୁମାରଙ୍କ ପତ୍ନୀ ନୂପୁର ନାଗର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ଲୋକଙ୍କ ପାଖରେ ଫାଲତୁର ସମୟ ବହୁତ ଅଛି । ଲୋକମାନେ ଏବେ ଅଯୋଗ୍ୟ ହେଇ ବସି ରହୁଛନ୍ତି । ସେଥିପାଇଁ ସେମାନଙ୍କ ପାଖରେ ଘୃଣା ସୃଷ୍ଟି କରିବା ଛଡା ଆଉ କିଛି କାମ ନାହିଁ । ଏହାସହ ସେ ସମାଲୋଚକଙ୍କୁ ପରାମର୍ଶ ଦେଇ କହିଛନ୍ତି ଏହି ସମୟ ନିଜକୁ ଉତ୍ତମ କରିବାକୁ ଲଗାନ୍ତୁ, କାରଣ ଏହାର ସୁଯୋଗ କମ ରହିଛି ।

ଟି-୨୦ରେ ଟିମ ଇଣ୍ଡିଆର ପ୍ରଦର୍ଶନ ଏବେ ଦଳକୁ ଚିନ୍ତାରେ ପକାଇଛି । ୧୯ତମ ଓଭର ଯୋଗୁଁ ଦଳ ପରାଜୟ ଭୋଗୁଛି । ଗତ ୪ଟି ଟି-୨୦ ମ୍ୟାଚରୁ ୩ଟି ମ୍ୟାଚ କେବଳ ୧୯ତମ ଓଭର ପାଇଁ ହିଁ ଭାରତ ହାରିଛି । ଆଉ ଏହି ୧୯ତମ ଓଭର ପକାଉଛନ୍ତି ଭୁବନେଶ୍ୱର କୁମାର । ଏଥିପାଇଁ ଭୁବନେଶ୍ୱର କୁମାର ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ଏସିଆକପରେ ପାକିସ୍ତାନ ବିପକ୍ଷରେ ଭାରତ ସୁପର-୪ ମ୍ୟାଚରେ ପରାଜିତ ହୋଇଥିଲା । ଯାହାର କାରଣ ଥିଲା ୧୯ତମ ଓଭର । ଏହି ଓଭରରେ ଭୁବନେଶ୍ୱର କୁମାର ୧୯ ରନ ଦେଇଥିଲେ । ଫଳରେ ଭାରତ ପରାଜୟର ସାମ୍ନା କରିଥିଲା । ସେହିପରି ଶ୍ରୀଲଙ୍କା ବିପକ୍ଷରେ ବି ୧୯ତମ ଓଭରରେ ଭୁବନେଶ୍ୱର ୧୪ ରନ ଦେଇଥିଲେ । ଆଉ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସେହି ୧୯ତମ ଓଭରରେ ହିଁ ହାରିଛି । ଭୁବନେଶ୍ୱର କୁମାର ଏହି ଓଭରରେ ୧୬ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ତେବେ ଏହି ସବୁ ମ୍ୟାଚରେ ଗୋଟିଏ କାରଣ ଯୋଗୁଁ ଭାରତର ପରାଜୟ ପାଇଁ ଫ୍ୟାନମାନେ ଭୁବନେଶ୍ୱରଙ୍କୁ ଟ୍ରୋଲ କରିଛନ୍ତି । ତେଣୁ ଏବେ ସ୍ୱାମୀଙ୍କ ସପକ୍ଷରେ ବାହାରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି ଭୁବନେଶ୍ୱରଙ୍କ ପତ୍ନୀ ନୂପୁର ନାଗର ।