କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଗତ ନଭେମ୍ବର ୨୪ରେ ବାପା ହୋଇଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ପରିବାର ଠାରୁ ଦୂରରେ ଥିଲେ ଭୁବନେଶ୍ୱର । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ପଡିବା ପରେ ଏବେ ପରିବାର ସହ ସମୟ ବିତାଉଛନ୍ତି ଭୁବନେଶ୍ୱର । ଆଉ ଏବେ ନିଜ କୁନି ଝିଅର ପ୍ରଥମ ଫଟୋ ମଧ୍ୟ ସେୟାର କରିଛନ୍ତି । ଉଭୟ ଭୁବନେଶ୍ୱର-ନୁପୁର କୁନି ଝିଅକୁ ଧରିଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ କୁନିଝିଅର ନାଁ ଏଯାଏଁ ସ୍ଥିର କରିନାହାନ୍ତି ଏହି ଦମ୍ପତି ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଖେଳୁଥିବା ବେଳେ ଝିଅ ଜନ୍ମ ହୋଇଥିବା ନେଇ ଖବର ପାଇଥିଲେ ଭୁବନେଶ୍ୱର କୁମାର । ନିଜ ବିବାହ ବାର୍ଷିକୀର ଗୋଟିଏ ଦିନ ପରେ ଝିଅ ଜନ୍ମ ହୋଇଥିବାରୁ ଖୁସିରେ ଆତ୍ମହରା ହୋଇ ଉଠିଥିଲେ ଭୁବନେଶ୍ୱର କୁମାର । ଭୁବନେଶ୍ୱର-ନୁପୁର ପିଲାଦିନୁ ସାଙ୍ଗ ଥିବା ବେଳେ ଗତ ୨୦୧୨ ନଭେମ୍ବର ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପୂର୍ବରୁ ଚଳିତବର୍ଷ ଦୁଇ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ଉମେଶ ଯାଦବ ମଧ୍ୟ ବାପା ହୋଇଥିଲେ ।